photo-live hindustan
ନୂଆଦିଲ୍ଲୀ: ପଞ୍ଜାବ ପୁଲିସ ଦ୍ବାରା ବିଜେପି ନେତା ତେଜିନ୍ଦର ପାଲ ସିଂ ବଗ୍ଗା ଗିରଫଦାରି ମାମଲାରେ କେବଳ ବିଜେପି ନୁହେଁ, ବରଂ କଂଗ୍ରେସ ନେତାମାନେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଜି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତେଜିନ୍ଦରଙ୍କ ଗିରଫଦାରିକୁ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବଗ୍ଗା ଏକ ଭିନ୍ନ ଦଳର ହୋଇଥିଲେ ବି କେଜ୍ରିୱାଲ ଏବଂ ମାନ ରାଜନୈତିକ ପ୍ରତିଶୋଧ ଭଳି ପାପ କରୁଛନ୍ତି। ଏହା ପୂର୍ବରୁ ବିଜେପି ନେତା ତେଜିନ୍ଦର ପାଲ ସିଂ ବଗ୍ଗାଙ୍କ ଗିରଫଦାରି ମାମଲାରେ ଏକ ନାଟକୀୟ ମୋଡ଼ ଆସିଥିଲା । ପଞ୍ଜାବ ପୁଲିସ ତାଙ୍କୁ ଗିରଫ କରି ସଡ଼କ ପଥରେ ମୋହାଲି ନେଇଯାଉଥିବାବେଳେ ହରିୟାଣାଠାରେ ସ୍ଥାନୀୟ ପୁଲିସ ସେମାନଙ୍କୁ ଅଟକାଇଥିଲା ।
ଏହାପରେ ହରିୟାଣା ପୁଲିସ କୁରୁକ୍ଷେତ୍ରଠାରେ ତାଙ୍କୁ ଦିଲ୍ଲୀ ପୁଲିସ ହାତରେ ସମର୍ପଣ କରିବା ପରେ ଦିଲ୍ଲୀ ପୁଲିସ ତାଙ୍କୁ ନେଇ ଦିଲ୍ଲୀ ଫେରୁଛି । ଏହି ମାମଲାରେ ଦିଲ୍ଲୀ ପୁଲିସ ଯୁକ୍ତି ଦର୍ଶାଇଛି ଯେ ପଞ୍ଜାବ ପୁଲିସ ସେମାନଙ୍କୁ ସୂଚନା ନଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟପଟେ ସିଦ୍ଧୁ ଟୁଇଟ୍ କରି କହିଛନ୍ତି, ଯେ "ତେଜିନ୍ଦର ବଗ୍ଗା ଅନ୍ୟ ଦଳର ହୋଇଥାଇପାରନ୍ତି ଓ ଆଦର୍ଶଗତ ମତଭେଦ ଥାଇପାରେ। କିନ୍ତୁ ପଞ୍ଜାବ ପୁଲିସ୍ ମାଧ୍ୟମରେ ଯେଭଳି ଭାବେ ତାଙ୍କୁ ଉଠାଇନିଆଯାଇଥିଲା ତାହା ଅରବିନ୍ଦ କେଜ୍ରିୱାଲ ଏବଂ ଭଗବନ୍ତ ମାନଙ୍କର ରାଜନୈତିକ ପାପ ଛଡା ଆଉ କିଛି ନୁହେଁ'।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଆପତ୍ତିଜନକ ବୟାନ ପାଇଁ ବଗ୍ଗାଙ୍କ ବିରୋଧରେ ପଂଜାବରେ ମାମଲା ରୁଜ୍ଜୁ ହୋଇଛି । ଆଜି ସକାଳେ ପଞ୍ଜାବ ପୁଲିସ ବଗ୍ଗାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଗିରଫ କରିଥିଲା । ତେବେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର ନକରି ପଞ୍ଜାବ ନିଆଯାଉଥିବାରୁ ଦିଲ୍ଲୀ ପୁଲିସ ଏକ ଅପହରଣ ମାମଲା ରୁଜ୍ଜୁ କରିଥିଲା । ପଞ୍ଜାବ ପୁଲିସ ତାଙ୍କୁ ହରିୟାଣା ଦେଇ ମୋହାଲି ନେଉଥିବା ବେଳେ ହରିୟାଣା ପୁଲିସ ତାଙ୍କୁ ଅଟକାଇଥିଲା ଓ ଦିଲ୍ଲୀ ପୁଲିସକୁ ଖବର ଦେଇଥିଲା । ଦିଲ୍ଲୀ ପୁଲିସ କୁରୁକ୍ଷେତ୍ରଠାରେ ପହଞ୍ଚିବା ପରେ ହରିୟାଣା ପୁଲିସ ବଗ୍ଗାଙ୍କୁ ହସ୍ତାନ୍ତର କରିଥିଲା।
Follow Us