ସୋସିଆଲ ମିଡିଆର ସଠିକ୍ ଉପଯୋଗ: ଇନ୍‌ଫ୍ଲୁଏନସରଙ୍କ ଗୋଟାଏ ଭିଡିଓରେ ଆରମ୍ଭ ହେଲା ରାସ୍ତା କାମ

New Project

ସୀଧୀ(ମଧ୍ୟପ୍ରଦେଶ): କମାଲ କରିଦେଲେ ଇନ୍‌ଫ୍ଲୁଏନସର। ନିଜ ସୋସିଆଲ ମିଡିଆ ଫଲୋୟର୍ସଙ୍କ ସଠିକ୍ ଉପଯୋଗ କରି ବଡ଼ ସମସ୍ୟାର କଲେ ସମାଧାନ। ସୀଧୀ ଜିଲ୍ଲାର ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଲୀଲା ସାହୁଙ୍କ କାମ ଏବେ ଚର୍ଚ୍ଚାରେ। ଇନ୍‌ଫ୍ଲୁଏନସର ଭାବେ ଯେଉଁଭଳି ସେ ଶହ ଶହ ଲୋକଙ୍କ ସମସ୍ୟାର ସମାଧାନ କରିଛନ୍ତି, ତାହା ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ଅନେକ ଦିନ ହେବ ମାଟି ରାସ୍ତା ପକ୍କା ହୋଇ ପାରୁନଥିଲା। କାଦୁଅ ଭର୍ତ୍ତି ରାସ୍ତା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବା ସହ ଲଗାଣ ବର୍ଷା ବୋଝ ଉପରେ ନଳିତା ବିଡ଼ା ପରି କାମ କରୁଥିଲା। ଏସବୁର ସମାଧାନ ପାଇଁ ଇନ୍‌ଫ୍ଲୁଏନସର ଲୀଲା ସାହୁ ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ପରେ ରାସ୍ତା କାମ ଆରମ୍ଭ ହୋଇଥିଲା ବୋଲି ଲୀଲା ନିଜେ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ରାମପୁର ନୌକିନ ବିକାଶ ବ୍ଲକ ଅଞ୍ଚଳର ଖଡ୍ଡି ଖୁର୍ଦ୍ଦର ଗଜରିରୁ ବଗୈୟାକୁ ସଂଯୋଗ କରୁଥିବା ରାସ୍ତାଟି ବହୁତ ଖରାପ ଅବସ୍ଥାରେ ଥିଲା। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଲୀଲା ସାହୁ ଏହାର ସମାଧାନ  ପାଇଁ ଗତ ଗୋଟିଏ ବର୍ଷ ଧରି ସଂଘର୍ଷ କରୁଥିଲେ। ସେ ଜିଲ୍ଲା କଲେକ୍ଟର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଲୋକ ନିର୍ମାଣ ମନ୍ତ୍ରୀ ରାକେଶ ସିଂହ ଏବଂ ସାଂସଦ ରାଜେଶ ମିଶ୍ରାଙ୍କ ନିକଟରେ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ। ଏହା ପରେ ସେ ଖରାପ ରାସ୍ତାର ଭିଡିଓ କରି ସେୟାର କରିଥିଲେ, ଯାହାଦ୍ବାରା ବିଜେପି ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଖରାପ ରାସ୍ତା ପାଇଁ ୬ଜଣ ଗର୍ଭବତୀ ମହିଳାଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରିନଥିଲା ବୋଲି ଲୀଲା ଭିଡିଓରେ କହିଥିଲେ। ଏସବୁ ତଥ୍ୟ ସହ ରାସ୍ତାର ଅବସ୍ଥା ଦେଖାଇବା ପରେ ଏବେ ଜିଲ୍ଲା ପ୍ରଶାସନ ରାସ୍ତା କାମ ଆରମ୍ଭ କରିଛି।

ସେ ସେୟାର କରିଥିବ‌ା ଭିଡିଓର ପ୍ରଭାବ ପଡ଼ିଛି ଏବଂ ରାସ୍ତା କାମ ଆରମ୍ଭ ହୋଇଛି ବୋଲି ଲୀଲା ଭିଡିଓ କରି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe