Asianetnews
ଅମୃତସର: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ବିହାର ପୁଲିସ ଠାରୁ ଏକ ନୋଟିସ୍କୁ ଗ୍ରହଣ କରିବା ପାଇଁ ଦୀର୍ଘ ସପ୍ତାହେ କାଳ ଧରି ଚକ୍ମା ଦେଖାଇବା ପରେ ଶେଷରେ ବିହାର ପୁଲିସ୍ ଅନୋନ୍ୟପାୟ ତାଙ୍କ ଘର ବାହାରେ ନୋଟିସ୍ ଝୁଲାଇବା ଘଟଣା ଦେଶର ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, କ୍ରିକେଟିଅରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର କାଳରେ କଂଗ୍ରେସ ପକ୍ଷରୁ ବିହାରରେ ଆୟୋଜିତ ହୋଇଥିବା ଏକ ନିର୍ବାଚନ ର୍ୟାଲିରେ ଯୋଗ ଦେଇଥିଲେ। ଏହି ର୍ୟାଲିରେ ସିଦ୍ଧୁ ବିହାରର ମୁସଲମାନ ସଂପ୍ରଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକଜୁଟ ହେବା ସହ ତାଙ୍କ ବିରୋଧରେ ଭୋଟ ଦେବାକୁ ଆହ୍ଵାନ ଦେଇଥିଲେ। ତେବେ, ସିଦ୍ଧୁଙ୍କ ଏ ପ୍ରକାରର ଆହ୍ଵାନ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରାଯାଇ ତାଙ୍କ ବିରୋଧରେ ଏକ ମାମଲା ବିହାର କଟିହାର ଜିଲ୍ଲାର ବାରସୋଇ ଥାନାରେ ଆଗତ ହୋଇଥିଲା। କିନ୍ତୁ, ଏହି ମାମଲାର ନୋଟିସକୁ ଗ୍ରହଣ କରୁ ନଥିଲେ ସିଦ୍ଧୁ।
Tribuneସିଦ୍ଧୁଙ୍କୁ ଏହି ନୋଟିସ୍ ପ୍ରଦାନ କରିବା ପାଇଁ ବିହାର ପୁଲିସ୍ର ଏକ ଟିମ୍ ପଞ୍ଜାବର ଅମୃତସର ଯାଇଥିଲା। ହେଲେ, ସବ୍-ଇନ୍ସପେକ୍ଟର ଜାଭେଦ୍ ଅହମ୍ମଦ ଏବଂ ଜନାର୍ଦ୍ଦନ ରାମଙ୍କୁ ନେଇ ଗଠିତ ପୁଲିସ ଟିମ୍ ଗତ ଜୁନ୍ ୧୭ ତାରିଖ ଠାରୁ ପଞ୍ଜାବ ସହରର ସିଦ୍ଧୁଙ୍କ ଭବନ ସମ୍ମୁଖରେ ନୋଟିସ୍ ପ୍ରଦାନ କରିବାକୁ ଅପେକ୍ଷା କରି ରହିଥିଲେ ମଧ୍ୟ ସିଦ୍ଧୁ ସେମାନଙ୍କ ଠାରୁ ନୋଟିସକୁ ଗ୍ରହଣ କରିବା ପରିବର୍ତ୍ତେ ପୁଲିସ୍ ଟିମ୍କୁ ଚକମା ଦେଖାଇଥିଲେ।
ଶେଷରେ ପୁଲିସ୍ ଆଜି ଅନୋନ୍ୟପାୟ ହୋଇ ଅପରାଧୀଙ୍କ ଘର ସମ୍ମୁଖରେ ନୋଟିସ୍ ଲଟକାଇଲା ଭଳି କଂଗ୍ରେସ ନେତା ସିଦ୍ଧୁଙ୍କ ବାସଭବନ ସମ୍ମୁଖରେ ନୋଟିସ୍କୁ ଲଟକାଇ ଦେଇଛି। ବାହାର ପୁଲିସ୍ର ଏପ୍ରକାର କାର୍ଯ୍ୟ ଏବେ ଦେଶର ରାଜନୀତି ମହଲରେ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି।
Follow Us