ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଏନକାଉଣ୍ଟରରେ ୨ ଗ୍ୟାଙ୍ଗଷ୍ଟର ନିହତ

୪ ଘଣ୍ଟାର ଅପରେସନ, ୩ ପୁଲିସ ଆହତ

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଏନକାଉଣ୍ଟରରେ ୨ ଗ୍ୟାଙ୍ଗଷ୍ଟର ନିହତ

ABP LIVE - ABP News

ନୂଆଦିଲ୍ଲୀ: ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୨ ସନ୍ଦିଗ୍ଧ ଗ୍ୟାଙ୍ଗଷ୍ଟର ଆଜି ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପଂଜାବ ପୁଲିସ ଦ୍ବାରା ଅମୃତସର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଭାକନା ଗ୍ରାମରେ ଏକ ପରିତ୍ୟକ୍ତ ଗୃହରେ ଉଭୟ ଗ୍ୟାଙ୍ଗ୍‌ଷ୍ଟର ଲୁଚିଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପୁଲିସ ବାହିନୀ ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲା ଏବଂ ଘଟଣାସ୍ଥଳରେ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା। ନିହତ ହୋଇଥିବା ୨ ଗ୍ୟାଙ୍ଗଷ୍ଟର ହେଲେ ମନପ୍ରୀତ ମନ୍ନୁ ଏବଂ ଜଗରୂପ ସିଂହ ରୂପା । ପଂଜାବ ଡିଜିପି ଗୌରବ ଯାଦବ କହିଛନ୍ତି, ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଏହି ଗ୍ୟାଙ୍ଗଷ୍ଟର୍‌ଙ୍କ ସହ ଆଜି ୪ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ଗ୍ୟାଙ୍ଗଷ୍ଟର ଜଗରୂପ ଏବଂ ମନପ୍ରୀତ ନିହତ ହୋଇଛନ୍ତି।

ଗ୍ୟାଙ୍ଗଷ୍ଟରଙ୍କ ନିକଟରୁ ଏକ ଏକେ-୪୭ ବନ୍ଧୁକ ଏବଂ ପିସ୍ତଲ ଜବତ ହୋଇଛି। ପୁଲିସ ରିପୋର୍ଟ ଅନୁଯା‌ୟୀ ମନପ୍ରୀତ ମନ୍ନୁ ମୁସେୱାଲାଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲା। ପଂଜାବ ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ, ସ୍ବତନ୍ତ୍ର ଅପରେସନ ସେଲ୍‌ ଏବଂ ଅର୍ଗାନାଇଜ୍‌ଡ କ୍ରାଇମ କଣ୍ଟ୍ରୋଲ ୟୁନିଟ୍‌ର ଟିମ୍‌ ଏହି ଅଞ୍ଚଳକୁ ପ୍ରଥମେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରିଥିଲେ। ସ୍ଥାନୀୟ ଲୋକଙ୍କୁ ଘରେ ରହିବାପାଇଁ ପୁଲିସ ଟିମ୍‌ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କୁ ସେମାନଙ୍କ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାପାଇଁ କହିଥିଲା। କିନ୍ତୁ ସେମାନେ ପୁଲିସର କଥାକୁ ଗ୍ରହଣ ନକରି ଗୁଳିମାଡ଼ ଆରମ୍ଭ କରିଦେଇଥିଲେ ଏବଂ ଜବାବୀ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe