ଏଜିଙ୍କୁ ସିଦ୍ଧୁଙ୍କ ଟ୍ବିଟ୍‌ ବାଣ: ନ୍ୟାୟ ଅନ୍ଧ ହୋଇପାରେ, କିନ୍ତୁ ପଞ୍ଜାବର ଲୋକ ନୁହନ୍ତି

Advertisment
ଏଜିଙ୍କୁ ସିଦ୍ଧୁଙ୍କ ଟ୍ବିଟ୍‌ ବାଣ: ନ୍ୟାୟ ଅନ୍ଧ ହୋଇପାରେ, କିନ୍ତୁ ପଞ୍ଜାବର ଲୋକ ନୁହନ୍ତି

Zee News

ଚଣ୍ଡୀଗଡ଼: ପଞ୍ଜାବ ଆଡ୍‌ଭୋକେଟ୍ ଜେନେରାଲ (ଏଜି) ଏପିଏସ୍‌ ଦେଓଲ ଧର୍ମଗ୍ରନ୍ଥକୁ ଅପମାନ ମାମଲା ଓ ଡ୍ରଗ୍ ମାମଲାରେ ନ୍ୟାୟର ବେକ ମୋଡ଼ୁଥିଲେ ବୋଲି ଅଭିଯୋଗ କରି ପୂର୍ବତନ କ୍ରିକେଟର ତଥା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ରବିବାର ଏକାଧିକ ଟ୍ବିଟ୍ ବାଣ ଛାଡ଼ିଛନ୍ତି। ସେ କହିଛନ୍ତି ଯେ, ନ୍ୟାୟ ଅନ୍ଧ ହୋଇପାରେ, କିନ୍ତୁ ପଞ୍ଜାବର ଜନସାଧାରଣ ନୁହନ୍ତି। ଟ୍ବିଟ୍‌ରେ ସିଦ୍ଧୁ ଲେଖିଛନ୍ତି: ‘ମିଷ୍ଟର ଏଜି-ପଞ୍ଜାବ! ନ୍ୟାୟ ଅନ୍ଧ କିନ୍ତୁ ପଞ୍ଜାବର ଜନସାଧାରଣ ନୁହନ୍ତି। ଅପବିତ୍ରୀକରଣ ମାମଲାରେ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଆମ କଂଗ୍ରେସ ଦଳ କ୍ଷମତାକୁ ଆସିଛି। କିନ୍ତୁ ଆପଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଅଭିଯୁକ୍ତଙ୍କ ତରଫରୁ ହାଇକୋର୍ଟରେ ଲଢ଼ିଲେ ଏବଂ ଆମ ସରକାର ବିରୋଧରେ ନାନା ଗୁରୁତର ଅଭିଯୋଗ ଆଣିଲେ।’

୨୦୧୫ ଅପବିତ୍ରୀକରଣ-ପର ପୁଲିସ ଫାୟାରିଂ ମାମଲାରେ ପୂର୍ବତନ ପଞ୍ଜାବ ଡିଜିପି ସୁମେଧ ସିଂହ ସଇନୀଙ୍କ ପାଇଁ ପ୍ରତିନିଧିତ୍ବ କରୁଥିବାରୁ ଏଜି ଭାବେ ଦେଓଲଙ୍କ ନିଯୁକ୍ତିକୁ ବିରୋଧ କରି ଆସୁଥିବା ସିଦ୍ଧୁ ଆଉ ଏକ ଟ୍ବିଟ୍ କରିଛନ୍ତି: ‘ଜଣେ ଚରିତ୍ରବାନ୍ ମଣିଷ ଯଥାର୍ଥ ମନୋବୃତ୍ତି ନେଇ ଯଥାର୍ଥ କାରଣରୁ ଯଥାର୍ଥ କାର୍ଯ୍ୟ କରିଥାନ୍ତି। ଆପଣଙ୍କର ଆନ୍ତରିକ ନିଷ୍କ୍ରିୟତା ସ୍ପଷ୍ଟତଃ ନ୍ୟାୟକୁ ତଳକୁ ତଳକୁ ନେଉଛି। ଆପଣ ଅଭିଯୁକ୍ତଙ୍କ ପକ୍ଷରୁ ଲଢ଼ିଲେ, ଏବେ ରାଜ୍ୟକୁ ପ୍ରତିନିଧିତ୍ବ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିଚାରପତି ଭାବେ ପଦୋନ୍ନତି ପାଇବେ। ତା’ ପରେ ଏ ମାମଲାର ବିଚାର କରିବେ। ସର୍ବୋଚ୍ଚ ଲ ଅଫିସର ହୋଇ ଆପଣ ରାଜନୈତିକ ଲାଭ ପ୍ରତି ଅଧିକ ଲକ୍ଷ୍ୟ ରଖିଛନ୍ତି’ ବୋଲି ସିଦ୍ଧୁ ଟ୍ବିଟ୍ କରିଛନ୍ତି। ଆଉ ଏକ ଟ୍ବିଟ୍‌ରେ ସିଦ୍ଧୁ ଦେଓଲଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ସେ ନିଜେ ରାଜନୀତିରେ ମୁଣ୍ଡ ନ ପୂରାଇ ରାଜନେତାଙ୍କୁ ରାଜନୀତି କରିବାକୁ ଛାଡ଼ିଦିଅନ୍ତୁ। ଶନିବାର ଏଜି ଅଭିଯୋଗ କରିଥିଲେ ଯେ ପଞ୍ଜାବ କଂଗ୍ରେସ ମୁଖ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ତା’ ସହ ରାଜନୈତିକ ଲାଭ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଦେଓଲ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe