ଲଣ୍ଡନର ଭାରତୀୟ ଦୂତାବାସ କାର୍ଯ୍ୟାଳୟରୁ ଜାତୀୟ ପତାକା କାଢ଼ିଲେ ଶିଖ୍‌ ଆନ୍ଦୋଳନକାରୀ

ଉତ୍ତମ ଦ୍ବିପାକ୍ଷିକ ସଂପର୍କ ବଜାୟ ରଖିବାକୁ ହେଲେ ଖଲିସ୍ଥାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ : ବ୍ରିଟେନକୁ କହିଲା ଭାରତ

ନୂଆଦିଲ୍ଲୀ : ପଞ୍ଜାବରେ ବିଚ୍ଛିନ୍ନତାବାଦୀ ଅମୃତପାଲ ସିଂହ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲଣ୍ଡନରେ ଆନ୍ଦୋଳନରତ କିଛି ଶିଖ୍‌ ବ୍ୟକ୍ତି ଭାରତୀୟ ଦୂତାବାସ କାର୍ଯ୍ୟାଳୟରୁ ଜାତୀୟ ପତାକାକୁ କାଢ଼ି ଦେବା ଘଟଣାରେ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟେନର ବରିଷ୍ଠ କୂଟନୀତିଜ୍ଞଙ୍କୁ ସମନ କରାଯାଇଛି। ଏଥିସହିତ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ସୁରକ୍ଷା ଅଭାବ ସଂପର୍କରେ ବିସ୍ତୃତ ରିପୋର୍ଟ ଦାବି କରାଯାଇଛି। ଭାରତର କୂଟନୀତିଜ୍ଞ ଏବଂ ଅଧିକାରୀଙ୍କ ପ୍ରତି ବ୍ରିଟେନର ଖାମଖିଆଲି ଆଚରଣ ଗ୍ରହଣଯୋଗ୍ୟ ନୁହେଁ ବୋଲି କୁହାଯାଇଛି।

ରବିବାର ସନ୍ଧ୍ୟାରୁ ଶିଖ ସଂପ୍ରଦାୟର କିଛି ବ୍ୟକ୍ତି ଅମୃତପାଲଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପ୍ରତିବାଦ ଆରମ୍ଭ କରିଥିଲେ। ସାମାଜିକ ଗଣାମଧ୍ୟମରେ ପୋଷ୍ଟ ହୋଇଥିବା ଭିଡିଓରୁ ଦେଖାଯାଇଛି ଯେ କିଛି ବ୍ୟକ୍ତି କୋଠାରେ ଚଢ଼ି ଭାରତୀୟ ପତାକାକୁ କାଢ଼ି ନେଇ ଆସିଥିଲେ। ବ୍ରିଟିସ ସୁରକ୍ଷା କର୍ମୀଙ୍କ ସଂପୂର୍ଣ୍ଣ ଅନୁପସ୍ଥିତି କାରଣରୁ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ଏଭଳି ଲୋକ ପ୍ରବେଶ କରିବାରେ ସମର୍ଥ ହୋଇଛନ୍ତି। ଭିଏନା ରାଜିନାମା ଅନୁଯାୟୀ ବ୍ରିଟେନ ସରକାରଙ୍କ ମୌଳିକ ଦାୟିତ୍ବ ସଂପର୍କରେ ଭାରତର ବିଦେଶ ମନ୍ତ୍ରାଳୟ ସ୍ମରଣ କରାଇ ଦେଇଛି। ଭାରତୀୟ କୂଟନୀତିଜ୍ଞଙ୍କ କାର୍ଯ୍ୟାଳୟ ଏବଂ ଅଧିକାରୀଙ୍କ ପ୍ରତି ବ୍ରିଟେନ ସରକାରଙ୍କ ଏଭଳି ମନୋଭାବକୁ ବିଦେଶ ମନ୍ତ୍ରାଳୟ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe