ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ନେଇ ଭାରତର କଡ଼ା ପ୍ରତିକ୍ରିୟା

Advertisment
ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ନେଇ ଭାରତର କଡ଼ା ପ୍ରତିକ୍ରିୟା

YThisNews

ନୂଆଦିଲ୍ଲୀ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଭାରତ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପାକିସ୍ତାନ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ବଦଳରେ ଲଜ୍ଜାହୀନ ଭାବେ ମିଥ୍ୟା କହିଚାଲିଛି ବୋଲି ଭାରତ କହିଛି। ନନ୍‌କାନା ଗୁରୁଦ୍ବାରା ସାହେବରେ ଆକ୍ରମଣର ୪୮ ଘଣ୍ଟା ମଧ୍ୟରେ ଆଜି ପେଶାୱରରେ ଜଣେ ୨୫ ବର୍ଷୀୟ ଶିଖ୍‌ ଯୁବକ ରବିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଯୁବକ ଜଣକ ବିବାହ କରିବା ପାଇଁ ମାଲେସିୟାରୁ ପେଶାୱର ଆସିଥିଲେ। ଏହି ଘଟଣାରେ ଭାରତ ଆଜି ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପାକିସ୍ତାନ ବାଧ୍ୟ। ନନ୍‌କାନା ସାହେବ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୋଟିଏ ପରେ ଗୋଟିଏ ମିଥ୍ୟା ବୟାନ ଦେଇ ବିଭ୍ରାନ୍ତି ସୃଷ୍ଟି କରିଥିବାରୁ ଏହାକୁ ଭାରତର ବିଦେଶ ମନ୍ତ୍ରାଳୟ କଡ଼ା ସମାଲୋଚନା କରିଛି।

ଶିଖ୍‌ ସମୁଦାୟ ଉପରେ ପାକିସ୍ତାନର କେତେକ ମୁସ୍‌ଲିମ ସଂଗଠନ ଏବେ ଯୋଜନାବଦ୍ଧ ଆକ୍ରମଣ କରୁଥିବାରୁ ଏହାକୁ ନେଇ ଭାରତରେ ଶିଖ ସମୁଦାୟ ଆନ୍ଦୋଳନକୁ ଓହ୍ଲାଇଛି। ରବିନ୍ଦରଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ବିଧାନ କରିବାକୁ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦାବି କରିଛନ୍ତି। ନନ୍‌କାନା ସାହେବରେ ଆକ୍ରମଣ ପରେ ଶିଖ୍‌ ଯୁବକଙ୍କୁ ଏଭଳି ହତ୍ୟା ମାମଲାକୁ ଜଟିଳ କରିଦେଇଛି। ପାକିସ୍ତାନରେ ଶିଖ୍‌ ସମୁଦାୟ ବିରୋଧ ଘୃଣାର ପ୍ରସାର କରୁଥିବା ସଂଗଠନମାନଙ୍କୁ ଜବତ କରିବାରେ ଇମ୍ରାନ ସରକାର ବିଫଳ ହୋଇଥିବାରୁ ଆଗକୁ ଏହି ମାମଲା ଗମ୍ଭୀର ରୂପ ନେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe