Image Courtesy of My Nation
ନୂଆଦିଲ୍ଲୀ: ଜରୁରୀ ପରିସ୍ଥିତି ସମୟରେ ପ୍ରସିଦ୍ଧ ଗାୟକ କିଶୋର କୁମାର ମଧ୍ୟ ସରକାରଙ୍କୁ ପ୍ରଶଂସା କରିବାକୁ ମନା କରିଦେଇଥିଲେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୯୦ତମ ସଂସ୍କରଣରେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଜୁନ୍ ମାସରେ ଜାରି ହୋଇଥିବା ଜରୁରୀ ପରିସ୍ଥିତିକୁ ଆମେ ଭୁଲିଯିବା ଅନୁଚିତ ବୋଲି ୧୯୭୫ରେ ଜାରି ହୋଇଥିବା ଜରୁରୀ ପରିସ୍ଥିତିକୁ ଭାରତ ଇତିହାସର କଳା ଅଧ୍ୟାୟ।
ସେ କହିଲେ, ଜରୁରୀ ପରିସ୍ଥିତି ସମୟରେ ବଞ୍ଚିବା ଅଧିକାର ଏବଂ ଧାରା ୨୧ଦ୍ବାରା ପ୍ରଦତ୍ତ ବ୍ୟକ୍ତିଗତ ସ୍ବାଧୀନତା ସମତେ ନାଗରିକମାନେ ସବୁ ଅଧିକାରରୁ ବଞ୍ଚିତ ହୋଇଥିଲେ। ଜରୁରୀ ପରିସ୍ଥିତି ସତ୍ତ୍ବେ ଲୋକେ ଗଣତନ୍ତ୍ର ଉପରୁ ବିଶ୍ବାସ ହରାଇ ନ ଥିଲେ।
ଜରୁରୀ ପରିସ୍ଥିତିକୁ ଯେଉଁମାନେ ପ୍ରତିରୋଧ କରିଥିଲେ ସେମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଶେଷରେ ଆମ ଗଣତାନ୍ତ୍ରିକ ମନୋଭାବ ହିଁ ବିଜୟ ହାସଲ କଲା। ଏକଚ୍ଛତ୍ରବାଦ ମନୋଭାବକୁ ପରାସ୍ତ କରିବାରେ ସମଗ୍ର ବିଶ୍ବରେ ଏଭଳି ଦୃଷ୍ଟାନ୍ତ ପାଇବା କଷ୍ଟକର। ଭାରତବାସୀ ଗଣତାନ୍ତ୍ରିକ ପଦ୍ଧତ୍ତିରେ ଜରୁରୀ ପରିସ୍ଥିତି ହଟାଇ ଗଣତନ୍ତ୍ରର ପୁନଃସଂସ୍ଥାପନା କଲେ।
ମୋର ମନେପଡୁଛି, ଜରୁରୀ ପରିସ୍ଥିତି ସମୟରେ ପ୍ରସିଦ୍ଧ ଗାୟକ କିଶୋର କୁମାର ସରକାରଙ୍କୁ ପ୍ରଶଂସା କରିବାକୁ ମନା କରିଦେଇଥିଲେ। ତାଙ୍କୁ ନିଷିଦ୍ଧ ଘୋଷଣା କରାଯାଇ ରେଡିଓରେ ତାଙ୍କ ଗୀତ ବଜାଯାଇ ନ ଥିଲା। ବହୁ ଉଦ୍ୟମ ଏବଂ ହଜାର ହଜାର ଗିରଫଦାରି ଏବଂ କୋଟି କୋଟି ଜନତାଙ୍କ ଉପରେ ଅତ୍ୟାଚାର ସତ୍ତ୍ବେ ଗଣତନ୍ତ୍ର ଉପରେ ଭାରତୀୟଙ୍କ ବିଶ୍ବାସ ପରାହତ ଯାଇ ପାରି ନ ଥିଲା।
Image Courtesy of Mintଭାରତର ମହାକାଶ କ୍ଷେତ୍ରର ଯାତ୍ରା କଥା ବଖାଣି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ଅମୃତ ମହୋତ୍ସବ ନିମନ୍ତେ ଛାତ୍ରଛାତ୍ରୀମାନେ କ୍ଷୁଦ୍ର କୃତ୍ରିମ ଉପଗ୍ରହ ଉପରେ କାର୍ଯ୍ୟ କରୁଛନ୍ତି। ମେହସାନାରୁ ଆସିଥିବା ସ୍କୁଲ୍ ଛାତ୍ରୀ ତନ୍ବୀ ପଟେଲ୍ଙ୍କୁ ମୁଁ ‘ଇନ୍-ସ୍ପେସ୍’ରେ ଆୟୋଜିତ କାର୍ଯ୍ୟକ୍ରମରେ ଭେଟିଥିଲି। ସେ ଅତି କ୍ଷୁଦଅ ସାଟେଲାଇଟ୍ଟିଏ ତିଆରି କରୁଛନ୍ତି ଯାହା ଆଗାମୀ କେତେ ମାସ ମଧ୍ୟରେ ମହାକାଶରେ ଛଡ଼ାଯିବ। ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛୋଟ ଛୋଟ ସହରର ବାସିନ୍ଦା। ଦେଶର ଯୁବା ଆକାଶ ସ୍ପର୍ଶ କରିବାକୁ ପ୍ରସ୍ତୁତ ଅଛନ୍ତି। ଗତ କିଛି ବର୍ଷ ହେବ ଆମ ଦେଶରେ ମହାକାଶ ସଂକ୍ରାନ୍ତରେ ଅନେକ ଗୁରୁତ୍ବପୂର୍ଣ୍ଣ କରାଯାଇଛି। ଦେଶର ସେସବୁ କୃତ୍ବିତ୍ବ ମଧ୍ୟରୁ ଗୋଟିଏ ହେଉଛି ‘ଇନ୍-ସ୍ପେସ୍’ ନାମରେ ଏଜେନ୍ସି ଗଠନ।
ସେ ଆହୁରି ମଧ୍ୟ କହିଛନ୍ତି, ଗତ ଅଳ୍ପ କିଛି ବର୍ଷ ତଳେ ଆମ ଦେଶରେ ମହାକାଶ କ୍ଷେତ୍ରରେ ‘ଷ୍ଟାର୍ଟ-ଅପ୍ସ୍’ ବିଷୟରେ କେହି କଳ୍ପନା ସୁଦ୍ଧା କରି ନ ଥିଲେ। ଆଜି ଦେଶରେ ୧୦୦ରୁ ଅଧିକ ‘ଷ୍ଟାର୍ଟ-ଅପ୍’ ହୋଇଗଲାଣି। ଅଳ୍ପ ଦିନ ପୂର୍ବେ ମୁଁ ‘ଇନ୍-ସ୍ପେସ୍’ର ମୁଖ୍ୟାଳୟ ଉଦ୍ଘାଟନ କରିବାକୁ ଯାଇଥିଲି। ସେଠାରେ ମୁଁ ଅନେକ ନୂଆ ‘ଷ୍ଟାର୍ଟ-ଅପ୍’ର ବୁଦ୍ଧିମତ୍ତା ଏବଂ ଉଦ୍ଦୀପନା ଦେଖିଲି।
କ୍ରୀଡ଼ା କ୍ଷେତ୍ରରେ କୃତ୍ବିତ୍ବ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଅଲିମ୍ପିକ୍ ଖେଳାଳି ନୀରଜ ଚୋପ୍ରାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି, ଏବେ ଆମ ଅଲିମ୍ପିକ୍ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଫିନ୍ଲାଣ୍ଡ୍ର ‘ପାବୋ ନୁର୍ମି ଗେମ୍ସ୍’ରେ ରୌପ୍ୟ ପଦକ ହାସଲ କରିଛନ୍ତି। ନିକଟ ଅତୀତରେ ଅନୁଷ୍ଠିତ ‘ଖେଲୋ ଇଣ୍ଡିଆ ୟୋଥ୍ ଗେମ୍ସ୍’ରେ ଆମ ଖେଳାଳିମାନେ ଅନେକ ରେକର୍ଡ ହାସଲ କରିଛନ୍ତି। ଏହି ଖେଳରେ ସମୁଦାୟ ୧୨ଟି ରେକର୍ଡ ଭାଙ୍ଗିଛି। ସେଥିରୁ ୧୧ଟି ରେକର୍ଡର ଅଧିକାରିଣୀ ହେଉଛନ୍ତି ମହିଳା ଖେଳାଳି। ଏହି ଖେଳାଳିମାନେ ଅତି ସାଧାରଣ ପରିବାରରୁ ଆସିଛନ୍ତି। ତେଣୁ, ସେମାନେ ଜୀବନରେ ଅନେକ ସଂଗ୍ରାମ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ହିମାଚଳ ପ୍ରଦେଶରେ ସମ୍ପ୍ରତି ସାଇକେଲ୍ ରାଲି ଆୟୋଜନ କରାଯାଉଛି। ପରିଚ୍ଛନ୍ନତା ଉପରେ ସଚେତନତା ପ୍ରସାର ହେଉଛି ଏହି ସାଇକେଲ୍ ରାଲିର ଉଦ୍ଦେଶ୍ୟ।
କୋଭିଡ୍ ପରିସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ, ଦ୍ରୁତ ବେଗରେ ଦେଶରେ ‘କୋଭିଡ୍ ପ୍ରିକସନ୍ ଡୋଜ୍’ (ବୁଷ୍ଟର୍ ଡୋଜ୍ ଟିକା) ଦିଆଯାଉଛି। ଆପଣମାନଙ୍କ ପାଇଁ ଟିକା ନେବାର ସମୟ ଆସିଯାଇଛି, ଟିକା ନିଅନ୍ତୁ ଏବଂ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ଆବଶ୍ୟକ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରନ୍ତୁ।
Follow Us