Mangalam
ଅଲୱର : ଏଲୋପାଥି ବିରୋଧରେ ମନ୍ତବ୍ୟ ଦେବା ପରେ ଯୋଗଗୁରୁ ରାମଦେବ ଏବଂ ଭାରତୀୟ ଚିକିତ୍ସକ ସଂଘ ମଧ୍ୟରେ ଏବେ ବାଦବିବାଦ ଚାଲିଛି। ଏଭଳି ସ୍ଥିତିରେ ଏବେ ରାଜସ୍ଥାନ ସରକାରଙ୍କ ଟାର୍ଗେଟକୁ ଆସିଯାଇଛି ରାମଦେବଙ୍କ କମ୍ପାନି ପତଞ୍ଜଳି। ଅଲୱର ଜିଲ୍ଲା ପ୍ରଶାସନ ବୁଧବାର ରାତିରେ ସିଂଘାଣିଆ ଅଏଲ ମିଲ୍କୁ ସିଲ୍ କରିଛି। ଅଲୱାର ଖୈରଥାଲର ଇସମାଇଲପୁର ରୋଡ୍ ଶିଳ୍ପାଞ୍ଚଳରେ ଏହି ମିଲ୍ ରହିଛି। ଏଥିସହିତ ଏଠାରୁ ପତଞ୍ଜଳିର ପ୍ୟାକିଂ ସାମଗ୍ରୀ ଏବଂ ସୋରିଷ ତେଲ ବୋତଲ ଜବତ କରାଯାଇଛି। ଏହି ତେଲ ଅପମିଶ୍ରିତ ବୋଲି ସନ୍ଦେହ କରାଯାଉଛି।
ଗୁରୁବାର ସଂଧ୍ୟାରେ ଅଧିକାରୀମାନେ କାରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ଖାଦ୍ୟ ଏବଂ ଆୟୁର୍ବେଦ ନିରୀକ୍ଷକମାନଙ୍କ ଦ୍ବାରା ସୋରିଷ ତେଲ ଓ ଅନ୍ୟ କଞ୍ଚାମାଲର ନମୁନା ନିଆଯାଇଛି। ଏହି ରିପୋର୍ଟ ଆସିବା ପରେ ଅଧିକ ପଦକ୍ଷେପ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ବଜାରରେ ନିଜର ଷ୍ଟାମ୍ପ ମାରି ଏହି ତେଲ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଜିଲ୍ଲାପାଳ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
Follow Us