୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏସ୍‌ଆଇଟି ସତ୍ୟପାଠ: ମୋଦୀଙ୍କୁ ଫସାଇବାକୁ ବଡ଼ ଷଡ଼ଯନ୍ତ୍ର ହୋଇଥିଲା

Advertisment

ଅହମଦ ପଟେଲ ତିସ୍ତା ଏବଂ ଅନ୍ୟମାନଙ୍କୁ ୩୦ ଲକ୍ଷ ଦେଇଥିଲେ

ଅହମଦ ପଟେଲ ତିସ୍ତା ଏବଂ ଅନ୍ୟମାନଙ୍କୁ ୩୦ ଲକ୍ଷ ଦେଇଥିଲେ

୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏସ୍‌ଆଇଟି ସତ୍ୟପାଠ: ମୋଦୀଙ୍କୁ ଫସାଇବାକୁ ବଡ଼ ଷଡ଼ଯନ୍ତ୍ର ହୋଇଥିଲା

ଅହମଦାବାଦ: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତଦନ୍ତ କରୁଥିବା ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ଅହମଦାବାଦ ସେସନ୍ସ କୋର୍ଟ‌ରେ ଏକ ସତ୍ୟପାଠ ଦାଖଲ କରି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛି। ଏସ୍‌ଆଇଟି ସତ୍ୟପାଠରେ କୁହାଯାଇଛି, ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫସାଇବା ଏବଂ ଗୁଜରାଟ ସରକାର ଭାଙ୍ଗିବାପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲା। ଏହି ଷଡ଼ଯନ୍ତ୍ର ରଚିଥିଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପୂର୍ବତନ ବରିଷ୍ଠ ସହଯୋଗୀ ତଥା ରାଜନୈତିକ ପରାମର୍ଶଦାତା ଅହମଦ ପଟେଲ। ‌‌‌ ଏଥିପାଇଁ ସାମାଜିକ କର୍ମୀ ତିସ୍ତା ଶୀତଲୱାଡ଼, ଗୁଜରାଟର ପୂର୍ବତନ ଡିଜିପି ଆର୍‌ବି ଶ୍ରୀକୁମାର ଏବଂ ପୂର୍ବତନ ଆଇପିଏସ ଅଫିସର ସଂଜୀବ ଭଟ୍ଟଙ୍କୁ ପ୍ରଥମ କିସ୍ତିରେ ପଟେଲ ୩୦ ଲକ୍ଷ ଟଙ୍କା ଦେଇଥିଲେ। ଅହମଦ ପଟେଲଙ୍କର ୨୦୨୦ରୁ ପରଲୋକ ହୋଇସାରିଛି। ଦଙ୍ଗା ମାମଲାରେ ତିସ୍ତା ଶୀତଲୱାଡ଼ ଏବଂ ଆରବି ଶ୍ରୀକୁମାରଙ୍କ ଦ୍ବାରା ହୋଇଥିବା ଅପରାଧିକ ଷଡ଼ଯନ୍ତ୍ର ମାମଲାର ତଦନ୍ତ କରି ଏସଆଇଟି ଦାଖଲ କରିଥିବା ଏହି ସତ୍ୟପାଠକୁ ନେଇ ସରଗରମ ରାଜନୀତି ଚାଲିଛି।

ତିସ୍ତା ଏବଂ ଶ୍ରୀକୁମାର ଦାଖଲ କରିଥିବା ଜାମିନ ଆବେଦନ ବିରୋଧରେ ଏସ୍‌ଆଇଟି ଏସିପି ବିସି ସୋଲାଙ୍କିଙ୍କ ସ୍ବତନ୍ତ୍ର ସରକାରୀ ଓକିଲ ମିତେଶ ଅମିନ ଏବଂ ଅମିତ ପଟେଲ ସେସନ୍ସ କୋର୍ଟ‌ରେ ସତ୍ୟପାଠ ଦାଖଲ କରିଥିଲେ। ଅଭିଯୁକ୍ତମାନେ ବେଆଇନ ଭାବେ ଟଙ୍କା ହାସଲ କରିବାପାଇଁ ଏବଂ କଂଗ୍ରେସଠାରୁ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଅଭିଯୁକ୍ତମାନଙ୍କର ଅହମଦ ପ‌ଟେଲଙ୍କ ସହ ଅନେକ ଥର ବୈଠକ ହୋଇଥିଲା। ସେମାନେ ପଟେଲଙ୍କଠାରୁ ପ୍ରଥମେ ୫ ଲକ୍ଷ ପାଇଥିଲେ ଏବଂ ଅନ୍ୟ ୨ ଦିନରେ ୨୫ ଲକ୍ଷ ପାଇଥିଲେ। ଏସଆଇଟି ସତ୍ୟପାଠରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ ସେ ସମୟରେ କ୍ଷମତାରେ ଥିବା ଏକ ପ୍ରମୁଖ ଜାତୀୟ ରାଜନୈତିକ ଦଳର ନେତାମାନଙ୍କୁ ତିସ୍ତା ଦିଲ୍ଲୀରେ ଭେଟୁଥିଲେ। ଦଙ୍ଗା ମାମଲାରେ ବିଜେପି ସରକାରର ମନ୍ତ୍ରୀମାନଙ୍କୁ ଫସାଇବା ପାଇଁ ତିସ୍ତା ବଡ଼ ଷଡ଼ଯନ୍ତ୍ର‌‌ରେ ସାମିଲ ହୋଇଥିଲେ। ଏସ୍‌ଆଇଟି ତିସ୍ତାଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ଅନ୍ୟପକ୍ଷେ ଅତିରିକ୍ତ ସେସନ୍ସ ବିଚାରପତି ଡିଡି ଥାକ୍କର ଏସ୍‌ଆଇଟି ସତ୍ୟପାଠକୁ ‌ରେକର୍ଡକୁ ନେବାସହ ଏହି ମାମଲାର ଶୁଣାଣି ଆସନ୍ତା ସୋମବାରକୁ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତମାସରେ ସୁପ୍ରିମକୋର୍ଟ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟମାନଙ୍କୁ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ କ୍ଲିନ ଚିଟ୍‌ ଦେବାପରେ ତିସ୍ତା ଗିରଫ ହୋଇଥିଲେ। ଦଙ୍ଗା ମାମଲା‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆଉ କିଛି ନେତାଙ୍କୁ ଫସାଇବାପାଇଁ ଭୁଲ୍‌ ପ୍ରମାଣ ଦେଇଥିବା ମାମଲାରେ ତିସ୍ତା ଏବଂ ପୂର୍ବତନ ଡିଜିପି ଆର୍‌ବି ଶ୍ରୀକୁମାର ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe