ହନିପ୍ରୀତ୍‌ଙ୍କୁ ପାଞ୍ଚଘଣ୍ଟା ଧରି ପଚରା ଉଚୁରା କଲା ଏସ୍‌ଆଇଟି

Advertisment
ହନିପ୍ରୀତ୍‌ଙ୍କୁ ପାଞ୍ଚଘଣ୍ଟା ଧରି ପଚରା ଉଚୁରା କଲା ଏସ୍‌ଆଇଟି

Photo Courtesy of TOI

ପଞ୍ଚକୁଲା: ଅଗଷ୍ଟ ୨୫ ତାରିଖ ଦିନ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ ଘଟି ଥିବା ହିଂସା କାଣ୍ଡରେ ସେମାନଙ୍କ ଭୂମିକା ସଂକ୍ରାନ୍ତରେ ରବିବାର ଦିନ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ହନିପ୍ରୀତ୍‌ ଏବଂ ରାକେଶ କୁମାର ଅରୋରାଙ୍କୁ ପଚରା ଉଚୁରା କରିଛି। କିନ୍ତୁ, ଏସ୍‌ଆଇଟିର ଡେପୁଟି ପୁଲିସ କମିସନର୍‌ ମନବୀର ସିଂହ ଏ ସମ୍ବନ୍ଧରେ ବିଶେଷ କିଛି କହିବାକୁ ମନା କରି ଦେଇଛନ୍ତି।

ସେକ୍ଟର୍‌ ୨୩ ଥାନାରେ ପ୍ରାୟ ପାଞ୍ଚ ଘଣ୍ଟା କାଳ, ହନିପ୍ରୀତ୍‌ ଅଶ୍ୱସ୍ତି ପ୍ରକାଶ ନ କରିବା ପର୍ଯ୍ୟନ୍ତ ଏସ୍‌ଆଇଟି ସେମାନଙ୍କୁ ପଚରା ଉଚୁରା କରିଥିଲା ବୋଲି ଅନ୍ୟ ଏକ ସୂତ୍ରରୁ ପ୍ରକାଶ। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସିଭିଲ୍‌ ହସ୍‌ପିଟାଲ୍‌ରୁ ଦଳେ ଡାକ୍ତର ଥାନାକୁ ଧାଇଁ ଯାଇଥିଲେ। ତା’ପରେ ହନିପ୍ରୀତ୍‌ଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆ ଯାଇଛି।

୧୦ ଦିନିଆ ପୁଲିସ ରିମାଣ୍ଡ୍‌ ଅବଧି ଶେଷ ହେବା ପରେ ଶନିବାର ଆଦ୍ୟରେ ଗୁରମୀତ୍‌ଙ୍କ ଗାଡ଼ି ଚାଳକ ଏବଂ ବ୍ୟକ୍ତିଗତ ସହକାରୀ ରାକେଶଙ୍କୁ ଅଦାଲତରେ ହାଜର କରାଯାଇଥିଲା। ତାଙ୍କର ପୁଲିସ ରିମାଣ୍ଡ୍‌କୁ ଅଦାଲତ ଆଉ ଦୁଇ ଦିନ ବଢ଼ାଇ ଦେଇଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ହନିପ୍ରୀତ୍‌ ହିଂସା ଭିଆଇବାକୁ ଯୋଜନା କରିଥିବା ଦଳର ଅଂଶବିଶେଷ ଥିଲେ ବୋଲି ସେ କୁଆଡ଼େ ପଚରା ଉଚୁରାକାରୀଙ୍କୁ କହିଥିଲେ। ଗୁରମୀତ୍‌ ଦୋଷୀ ସାବ୍ୟସ୍ଥ ହେବା ପରେ ଆଇନ-ଶୃଙ୍ଖଳା ପରିସ୍ଥିତି ଉପୁଜାଇବାକୁ ସେ ୧. ୨୫ କୋଟି ଟଙ୍କା ଦେଇଥିଲେ।

ମାମଲା ସଂକ୍ରାନ୍ତରେ ବହୁ ତଥ୍ୟ ମିଳିଲାଣି। ଅଭିଯୁକ୍ତମାନେ ବିଚାର ବିଭାଗୀୟ ହାଜତକୁ ପଠାଯିବା ପରେ ଆମେ ତାହା ଆଲୋଚନା କରିବା ବୋଲି ଡିଜିପି ବି ଏସ୍‌ ସାନ୍ଧୁ କହିଛନ୍ତି।

ଅଦାଲତ ରାୟ ଦେବା ଆଗରୁ ପଞ୍ଚକୁଳାରେ ଏକତ୍ର ହେବା ନିମନ୍ତେ ହନିପ୍ରୀତ୍‌ ଅନୁଗାମୀମାନଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ, ଆଇନ୍‌-ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ପରିବର୍ତ୍ତେ ବିଜୟ ଶୋଭାଯାତ୍ରା ନିମିତ୍ତ ବୋଲି ସେ କହିଥିଲେ।

ନିରୁଦ୍ଦେଶ ଥିବାବେଳେ ହନିପ୍ରୀତ୍‌ ମଙ୍ଗଳବାର ଦିନ ତାଙ୍କ ସହ ଗିରଫ ହୋଇଥିବା ରାକେଶ ଏବଂ ସୁଖଦୀପଙ୍କ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଅନ୍ୟ ଡେରା ସଦସ୍ୟଙ୍କ ସହ କଥାଭାଷା ହୋଇଥିବା ସ୍ୱୀକାର କରିଛନ୍ତି ବୋଲି ପଚରା ଉଚୁରାରୁ ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe