KNN India
ନୂଆଦିଲ୍ଲୀ : କେନ୍ଦ୍ର ସରକାର ପଛୁଆ, ଗରିବ ଓ ବଞ୍ଚିତ ବର୍ଗର ଯୁବକମାନଙ୍କୁ ବିଶ୍ବସ୍ତରୀୟ ଟ୍ରେନିଂ ଦେବାର ଯୋଜନା କରୁଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଦଶମ ବା ତାଠାରୁ ଅଧିକ ଶିକ୍ଷିତ ଯୁବକମାନଙ୍କୁ ସେମାନଙ୍କର ଆଗ୍ରହ ଓ ଦକ୍ଷତା ଅନୁସାରେ ଟ୍ରେନିଂ ଦିଆଯିବ। ଏହି ଯୁବକମାନଙ୍କର ଆର୍ଥିକ ଓ ଡିଜିଟାଲ ସ୍ବାକ୍ଷରତାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ। ଆନ୍ତର୍ଜାତୀୟ ବଜାର ଓ ଘରୋଇ ବଜାରର ଟ୍ରେଣ୍ଡ ଅନୁସାରେ କେନ୍ଦ୍ର ସରକାର ସେମାନଙ୍କୁ ଟ୍ରେନିଂ ପ୍ରଦାନ କରିବେ, ଯାହାଦ୍ବାରା ସେମାନଙ୍କ ପାଖରେ ଚାକିରି କରିବାର ନଚେତ ନିଜେ ବ୍ୟବସାୟ କରିବାର ବିକଳ୍ପ ରହିବ। ଏହି ପ୍ରଶିକ୍ଷଣ ଲାଗି ରାଜ୍ୟୱାରୀ ଯୁବକମାନଙ୍କୁ ଚୟନ କରାଯିବ। ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଗରିବ, ମହାଦଳିତ, ସଫେଇ କର୍ମୀ, ଟ୍ରାନ୍ସଜେଣ୍ଡର ବର୍ଗର ଯୁବକଙ୍କୁ ପ୍ରଶିକ୍ଷଣ ପାଇଁ ସାମିଲ କରାଯିବ। ଟ୍ରେନିଂର ଅବଧି ଏକ ସପ୍ତାହରୁ ଏକ ବର୍ଷ ପର୍ଯ୍ୟନ୍ତ ରହିବ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ପଛୁଆ ବର୍ଗର ୧୦ ଲକ୍ଷ ଯୁବକଙ୍କୁ ଆଗାମୀ ଚାରି ବର୍ଷ ଭିତରେ ପ୍ରଶିକ୍ଷିତ କରିବାର ଯୋଜନା ଧାର୍ଯ୍ୟ କରିଛନ୍ତି। ଯେଉଁଥିରେ ୨୦୨୦-୨୧ରେ ଦେଢ଼ ଲକ୍ଷ ଯୁବକଙ୍କୁ ଟ୍ରେନିଂ ଦିଆଯିବାର ରୂପରେଖ ପ୍ରସ୍ତୁତ କରାଯାଇଛି।
Follow Us