'Sleeping Prince' in eternal sleep Photograph: (sambad.in)
ରିୟାଦ: ସାଉଦି ଆରବର 'ସ୍ଲିପିଂ ପ୍ରିନ୍ସ' ପ୍ରିନ୍ସ ଅଲୱାଲିଦ ବିନ୍ ଖାଲିଦ ବିନ୍ ତଲାଲ ବିନ୍ ଅବଦୁଲାଜିଜ୍ ଅଲ୍ ସୌଦଙ୍କର ୩୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ୨୦୦୫ ମସିହାରେ ଲଣ୍ଡନରେ ଏକ କାର ଦୁର୍ଘଟଣା ପରେ ସେ ୨୦ ବର୍ଷ କୋମାରେ ରହିଥିଲେ।
୨୦୦୫ ମସିହାରେ ମାତ୍ର ୧୫ବର୍ଷ ବୟସରେ ଏକ ଭୟଙ୍କର ଦୁର୍ଘଟଣାରେ ରାଜକୁମାରଙ୍କ ମସ୍ତିଷ୍କରେ ରକ୍ତସ୍ରାବ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। 'ସ୍ଲିପିଂ ପ୍ରିନ୍ସ'' ଭାବରେ ଜଣାଶୁଣା, ସୌଦଙ୍କୁ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେ କେବେ ବି ସମ୍ପୂର୍ଣ୍ଣ ଚେତା ପାଇପାରି ନଥିଲେ।
ତାଙ୍କ ପିତା ପ୍ରିନ୍ସ ଖାଲିଦ ବିନ୍ ତଲାଲ ବିନ୍ ଅବଦୁଲାଜିଜ୍ ପୁଅର ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି, ଆଲ୍ଲାଙ୍କ ନିର୍ଦ୍ଦେଶ ଏବଂ ଭାଗ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ ଓ ଗଭୀର ଦୁଃଖ ସହିତ, ଆମେ ଆମର ପ୍ରିୟ ପୁଅ ପ୍ରିନ୍ସ ଅଲ-ୱାଲିଦ ବିନ୍ ଖାଲିଦ ବିନ୍ ତଲାଲ ବିନ୍ ଅବଦୁଲାଜିଜ୍ ଅଲ୍ ସୌଦଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛୁ। ଆଲ୍ଲା ତାଙ୍କ ଉପରେ ଦୟା କରନ୍ତୁ, ସେ ଆଲ୍ଲାଙ୍କ କୃପାରୁ ପରଲୋକ ଗମନ କରିଛନ୍ତି। ଖଲିଜ୍ ଟାଇମ୍ସ ଅନୁଯାୟୀ, ପ୍ରିନ୍ସ ଅଲୱାଲିଦଙ୍କ ଶେଷକୃତ୍ୟ ରବିବାର (୨୦ ଜୁଲାଇ) ଅସର ନମାଜ ପରେ ରିୟାଦର ଇମାମ୍ ତୁର୍କି ବିନ୍ ଅବଦୁଲ୍ଲା ମସଜିଦରେ କରାଯିବ।
ଅଧିକ ପଢ଼ନ୍ତୁ: ଭାରତୀୟ ଡାକ୍ତରଙ୍କ ଘୃଣ୍ୟ ଖେଳ: ଚିକିତ୍ସା ପାଇଁ ରୋଗୀଙ୍କ ଆଗରେ ରଖୁଥିଲେ ଏଭଳି ନିନ୍ଦନୀୟ ସର୍ତ୍ତ
ପ୍ରିନ୍ସ ଅଲ-ୱାଲିଦ ଲଣ୍ଡନର ଏକ ସାମରିକ କଲେଜରେ ପାଠପଢୁଥିବା ସମୟରେ ଏକ କାର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ, ତାଙ୍କୁ ସାଉଦି ଆରବର ରାଜଧାନୀ ରିୟାଦର କିଙ୍ଗ ଅବଦୁଲଆଜିଜ୍ ମେଡିକାଲ୍ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେବେଠାରୁ ସୌଦ କୋମାରେ ଥିଲେ।
ପ୍ରିନ୍ସ ଅଲ-ୱାଲିଦଙ୍କ ବାପା ଆଶା କରିଥିଲେ ଯେ, ତାଙ୍କ ପୁଅ ୨୦ ବର୍ଷ ଧରି କୋମାରେ ରହିବା ପରେ ମଧ୍ୟ ଦିନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ। ମାତ୍ର ବିଧିର ବିଧାନ ଅନ୍ୟ କିଛି ଥିଲା। ସୌଦ ଶେଷରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି।
ପ୍ରିନ୍ସ ଅଲ-ୱାଲିଦଙ୍କ ପିତା ଗତ ଦୁଇ ଦଶନ୍ଧି ଧରି ସୌଦଙ୍କ ଯତ୍ନ ନେଉଥିଲେ। ସେ ସର୍ବଦା ରାଜକୁମାରଙ୍କୁ ଲାଇଫ୍ ସପୋର୍ଟରୁ ହଟାଇବା ବିରୋଧରେ ଥିଲେ। ଏପ୍ରିଲ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରିନ୍ସ ଅଲ ୱାଲିଦ ପ୍ରମୁଖ ସାଉଦି ରାଜପରିବାରର ସଦସ୍ୟ ଏବଂ କୋଟିପତି ପ୍ରିନ୍ସ ଅଲ ୱାଲିଦ ବିନ୍ ତଲାଲଙ୍କ ଭଣଜା ପ୍ରିନ୍ସ ଖାଲିଦ ବିନ୍ ତଲାଲ ଅଲ ସୌଦଙ୍କ ବଡ଼ ପୁଅ ଥିଲେ।
ଅଧିକ ପଢ଼ନ୍ତୁ: ଅନୈତିକ ସମ୍ପର୍କ ସନ୍ଦେହ: ସ୍ତ୍ରୀକୁ ହତ୍ୟା କରି ନଦୀରେ ଫିଙ୍ଗିଲା ସ୍ୱାମୀ
sleeping-prince-al-waleed | eternal sleep | coma
Follow Us