ସ୍ବାଭାବିକଠାରୁ କମ୍‌ ବର୍ଷା, ଚାଷରେ ବଡ଼ କ୍ଷତି ଆଶଙ୍କା

ନୂଆଦିଲ୍ଲୀ : ଭାରତରେ ଚଳିତ ‌ବର୍ଷା ଋତୁରେ ସ୍ବାଭାବିକଠାରୁ କମ୍‌ ବର୍ଷା ଚାଷୀମାନଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି। ଗତ ୧୭ ତାରିଖ ସୁଦ୍ଧା ଭାରତରେ ସ୍ବାଭାବିକ ବୃଷ୍ଟିପାତଠାରୁ ୨୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ୍‌ ୧ ତାରିଖରେ ମୌସୁମୀ ସକ୍ରିୟ ହେବାଠାରୁ ଭାରତ ଏଯାବତ୍‌ ୧୬ ପ୍ରତିଶତ ହାରାହାରି କମ୍‌ ବର୍ଷାଜଳ ଗ୍ରହଣ କରିଛି। ଭାରତ ଏକ କୃଷି ପ୍ରଧାନ ଦେଶ। ଏଠାରେ କୃଷି ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମୌସୁମୀ ବର୍ଷା ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ଭାରତରେ ୫୫ ପ୍ରତିଶତ ଚାଷ ଉପଯୋଗୀ ଜମି କେବଳ ବ‌ର୍ଷା ଜଳ ଉପରେ ନିର୍ଭର କରେ। ଦେଶର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଲୋକ କୃଷି କ୍ଷେତ୍ରରେ ହିଁ ଅଛନ୍ତି। ତେଣୁ ମନ୍ଥର ମୌସୁମୀକୁ ନେଇ ଏବେ ଚାରିଆଡ଼େ ଉଦ୍‌ବେଗ ପ୍ରକାଶ ପାଇଲାଣି।

ଜୁଲାଇ ୧୭ ସୁଦ୍ଧା ଦେଶର କେନ୍ଦ୍ରାଞ୍ଚଳରେ ଥିବା ସୋୟାବିନ୍‌ ଏବଂ କପା ଉତ୍ପାଦନକାରୀ ଅଞ୍ଚଳରେ ହାରାହାରି ବର୍ଷାଠାରୁ ୬୮ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଭାରତର ରବର ଏବଂ ଚା’ ଉତ୍ପାଦନ ହେଉଥିବା ଅଞ୍ଚଳ ଗୁଡ଼ିକରେ ୭୧ ପ୍ରତିଶତ କମ୍‌ ବର୍ଷା ହୋଇଥିବା ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ପକ୍ଷରୁ ଜଣାପଡ଼ିଛି। ପଶ୍ଚିମ ଭାରତର ଆଖୁ ଏବଂ ଚିନାବାଦାମ ଉତ୍ପାଦନକାରୀ ଅଞ୍ଚଳଗୁଡ଼ିକରେ ମଧ୍ୟ ହାରାହାରି ବର୍ଷାଠାରୁ କମ୍‌ ବର୍ଷା ହୋଇଛି। ଭାରତୀୟ କୃଷକମାନେ ସାଧା‌ରଣତଃ ଜୁନ୍‌ ଏବଂ ଜୁଲାଇରେ ଚାଉଳ, କପା, ସୋୟାବିନ୍‌, ମକା ଏବଂ ଚିନାବାଦାମ ଚାଷ କରିଥାନ୍ତି। କିନ୍ତୁ କମ୍‌ ବର୍ଷାପାଇଁ ଏବେ ଅନେକ ରାଜ୍ୟରେ କୃଷକମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନ୍ୟପକ୍ଷେ ଆସାମ ଏବଂ ବିହାର ପରି ରାଜ୍ୟ‌ରେ ପ୍ରବଳ ବର୍ଷା‌ କୃଷି କ୍ଷେତ୍ରରେ ବିପର୍ଯ୍ୟୟ ଘଟାଇଛି। ତେବେ ବର୍ଷାଜନିତ କାରଣ ପାଇଁ ଏଥର ବିଭିନ୍ନ ଶସ୍ୟ ଉତ୍ପାଦନ କମ୍ ‌ହେବାକୁ ଥିବାରୁ ଭାରତ ଏଥର ଆମଦାନୀ ଉପରେ ନିର୍ଭର କରିପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe