ଲଖନଉ: ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ଲୋକସଭା ନିର୍ବାଚନରେ ବହୁ ସଂଖ୍ୟାରେ ଯୁବପିଢିଙ୍କୁ ନିଜ ସହ ସାମିଲ କରିବାକୁ ପ୍ରସ୍ତୁତି ଚଳାଇଛି | ତେବେ ବିଜେପି ଯୁବ ମୋର୍ଚ୍ଚାର ପଦାଧିକାରୀଙ୍କ ଉପରେ ଖପ୍ପା ହୋଇପଡିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ | ବାସ୍ତବରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିଜେପି ଯୁବ ମୋର୍ଚ୍ଚାର ପଦାଧିକାରୀମାନଙ୍କୁ ଅନେକ ପ୍ରଶ୍ନ କରିଥିଲେ ବି ସେମାନେ ଏହାର ଉତ୍ତର ଦେଇପାରିନଥିଲେ | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ ଲଖନଉରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ବୈଠକରେ ଯୋଗ ଦେବାକୁ କେନ୍ଦ୍ର ମନ୍ତ୍ରୀ ପହଞ୍ଚିଥିଲେ। ଏହି ସମୟରେ ସେ ଦଳର ପଦାଧିକାରୀମାନଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ପ୍ରଶ୍ନ ପଚାରିଥିଲେ, କିନ୍ତୁ ଅଧିକାଂଶ ପଦାଧିକାରୀ ସେହିସବୁ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ।
ସ୍ମୃତି ଇରାନୀ ପଚାରିଥିଲେ ରାଜ୍ୟରେ କେତେ ବିଶ୍ୱବିଦ୍ୟାଳୟ ରହିଛି, ଉତ୍ତରପ୍ରଦେଶରେ କେତୋଟି ବୈଷୟିକ ଶିକ୍ଷାନୁଷ୍ଠାନ ରହିଛି ଏବଂ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ କେତେ? କିନ୍ତୁ ପଦାଧିକାରୀମାନେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। ଏହା ପରେ ସ୍ମୃତି ଇରାନୀ ଖବରକାଗଜରେ ପ୍ରକାଶ ପାଇଥିବା ମୁଖ୍ୟ ଖବର ବିଷୟରେ ପ୍ରଶ୍ନ କରିଥିଲେ, ତଥାପି ପଦାଧିକାରୀମାନେ ଚୁପ୍ ରହିଥିଲେ | ଏହି ସମୟରେ ଜଣେ ପଦାଧିକାରୀ କହିଥିଲେ ଯେ ଖବରକାଗଜ ପଢିବାକୁ ସମୟ ମିଳୁନାହିଁ | ଏହାପରେ ସ୍ମୃତି ଇରାନୀ ଉତ୍ତର ଦେଇ କହିଥିଲେ ଯେ ମୁମ୍ବାଇରୁ ଲଖନଉ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମରେ ଜଡିତ ଥିବା ସତ୍ତ୍ୱେ ସେ ସମସ୍ତ ଖବରକାଗଜ ପଢ଼ିଛନ୍ତି । ଏହାପରେ ସେ ପଦାଧିକାରୀମାନଙ୍କୁ ଖବରକାଗଜ ପଢିବାକୁ ପରାମର୍ଶ ଦେଇଥିଲେ |
Follow Us