Image Courtesy of NDTV
ନୂଆଦିଲ୍ଲୀ: ଅବିଶ୍ବାସୀ ସର୍ବଦା ଅବିଶ୍ବାସୀ ହୋଇ ରହିବ ବୋଲି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଉପରେ ତୁର୍କୀର ରାଷ୍ଟ୍ରପତି ତାୟିପ୍ ଏର୍ଡଗାନ୍ଙ୍କ ମନ୍ତବ୍ୟକୁ ନିନ୍ଦା କରି ଜାତିସଂଘସ୍ଥିତ ଇସ୍ରାଏଲୀ ରାଷ୍ଟ୍ରଦୂତ ଜିଲାଡ୍ ଏର୍ଡାନ୍ କହିଛନ୍ତି।
ଏର୍ଡାଗନ୍ ଇହୁଦୀ-ବିରୋଧୀ ହୋଇ ରହିଛନ୍ତି ବୋଲି ମଧ୍ୟ ସେ ଦୋଷାରୋପ କରିଛନ୍ତି। ସୂଚନାଯୋଗ୍ୟ, ପାଲେଷ୍ଟାଇନ୍କୁ ସମର୍ଥନ କରି ଇସ୍ତାନ୍ବୁଲ୍ରେ ଆୟୋଜିତ ଏକ ବିରାଟ ରାଲିରେ ଉଦ୍ବୋଧନ ଦେବା ପରେ ଏର୍ଡାନ୍ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ରାଲିରେ ଏର୍ଡଗାନ୍ ଇସ୍ରାଏଲ୍କୁ ‘ଯୁଦ୍ଧ ଅପରାଧୀ’ ଏବଂ ‘ଜବରଦଖଲକାରୀ’ ବୋଲି କହିଛନ୍ତି। ଦୀର୍ଘ ଏକ ଘଣ୍ଟାର ଭାଷଣରେ ଏର୍ଡଗନ୍ ପୁଣି ଗୁରୁତ୍ବାରୋପ କରି କହିଲେ ଯେ, ହମାସ୍ ଆତଙ୍କବାଦୀ ସଙ୍ଗଠନ ନୁହେଁ। ତା’ଛଡ଼ା ଇସ୍ରାଏଲ୍କୁ ନିଃସର୍ତ୍ତ ସମର୍ଥନ ଦେଉଥିବା କେତେକ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି।
Image Courtesy of India Todayସେ କହିଛନ୍ତି, ଇସ୍ରାଏଲ୍ ଯୁଦ୍ଧ ଅପରାଧୀ ବୋଲି ଆମେ ସାରା ଦୁନିଆକୁ ଜଣାଇବୁ। ଆମେ ଏଥିନିମନ୍ତେ ପ୍ରସ୍ତୁତି କରୁଛୁ। ଆମେ ଇସ୍ରାଏଲ୍କୁ ଯୁଦ୍ଧ ଅପରାଧୀ ଘୋଷଣା କରିବୁ।
ଇସ୍ତାନବୁଲ୍ରେ ପାଲେଷ୍ଟିନୀୟ ପତାକା ଉଡ଼ାଉ ଥିବା ସମବେତ ଜନତାକୁ ଏର୍ଡଗନ୍ କହିଲେ, ୨୨ ଦିନ ହେଲା ଇସ୍ରାଏଲ୍ ଉନ୍ମୁକ୍ତ ଭାବେ ଯୁଦ୍ଧ ଅପରାଧ କରିଚାଲିଛି। ପ୍ରତିକ୍ରିୟା ବ୍ୟକ୍ତ କରିବା କଥା ଛାଡ଼ନ୍ତୁ, ପାଶ୍ଚାତ୍ୟ ନେତାମାନେ ଯୁଦ୍ଧବିରତି ପାଇଁ ମଧ୍ୟ ଇସ୍ରାଏଲ୍କୁ କହୁ ନାହାନ୍ତି।
ହମାସକୁ ସ୍ବାଧୀନତା ସଂଗ୍ରାମୀ ଭାବେ ସମର୍ଥନ ଜଣାଇବା ସହିତ ଏର୍ଡଗନ୍ ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ୍ର ବୋମା ବର୍ଷଣକୁ ନିନ୍ଦା କରୁଥିବା ବେଳେ ତୁର୍କୀରୁ ସମସ୍ତ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ଆଣିବା ଲାଗି ଇସ୍ରାଏଲ୍ ନିଷ୍ପତ୍ତି ଗ୍ରହଣ କରିଛି।
Follow Us