Image Courtesy of The New York Times
ନୂଆଦିଲ୍ଲୀ: ‘ସ୍ପେସ୍ଏକ୍ସ୍’ ଛାଡ଼ି ଥିବା ୪୯ଟି ନୂଆ ‘ହାଇ-ସ୍ପିଡ୍’ ଇଣ୍ଟର୍ନେଟ୍ ସାଟେଲାଇଟ୍ରୁ ପ୍ରାୟ ୪୦ଟି ଗତ ୪ ତାରିଖ ଦିନ ସୌରଝଡ଼ ଯୋଗୁ ନଷ୍ଟ ହୋଇଯାଇଥିବା କଥା ହାର୍ଭାର୍ଡ-ସ୍ମିଥସୋନିଆନ୍ର ଜ୍ୟୋତିର୍ବିଜ୍ଞାନୀ ଜନାଥନ୍ ମ୍ୟାକ୍ଡୋଏଲ୍ ବୁଧବାର ଦିନ କହିଛନ୍ତି।
ଫେବ୍ରୁଆରି ୩ ତାରିଖ ଦିନ ଉପରୋକ୍ତ କୃତ୍ରିମ ଉପଗ୍ରହଗୁଡ଼ିକୁ (ସାଟେଲାଇଟ୍) କକ୍ଷ ପଥରେ ଅବସ୍ଥାପିତ କରାଯାଇଥିଲା ଏବଂ ସେଗୁଡ଼ିକ ଭୂପୃଷ୍ଠରୁ ୧୩୦ ମାଇଲ୍ ଉଚ୍ଚରେ ଥାଇ ପୃଥିବୀ ପରିକ୍ରମା କରୁଥିଲେ।
ଏ ସଂକ୍ରାନ୍ତରେ ଜାରି କରିଥିବା ଏକ ବିବୃତିରେ ଏଲନ୍ ମସ୍କ୍ଙ୍କ କମ୍ପାନି ‘ସ୍ପେସ୍ଏକ୍ସ୍’ କହିଛି ଯେ, ଉକ୍ତ କୃତ୍ରିମ ଉପଗ୍ରହ ସବୁରେ କୌଣସି ଓଜନଦାର ଧାତବୀୟ ଉପକରଣ ଲାଗି ନ ଥିବାରୁ ପୃଥିବୀ ପ୍ରତି ବାସ୍ତବରେ କୌଣସି ବିପଦ ନାହିଁ। ଏହା ଭୂପୃଷ୍ଠକୁ ଖସିବା ପୂର୍ବରୁ ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ସମ୍ପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଥିବ।
Image Courtesy of The New York Timesସୂଚନାଯୋଗ୍ୟ, ଫେବ୍ରୁଆରି ୩ ତାରିଖ ଦିନ ଫ୍ଲୋରିଡାସ୍ଥିତ ‘କେନେଡି ସ୍ପେସ୍ ସେଣ୍ଟର୍’ରୁ ଉପରୋକ୍ତ ୪୯ଟି କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ କରାଯାଇ ପୃଥିବୀର ନିକଟତର ଥିବା ସେମାନଙ୍କ ପ୍ରାରମ୍ଭିକ କକ୍ଷପଥରେ ସ୍ଥାପନ କରାଯାଇଥିଲା। ମହାକାଶକୁ ଉଡ଼ାଇ ଦେବା ପୂର୍ବରୁ ଚୂଡ଼ାନ୍ତ ଯାଞ୍ଚ କରାଯିବା ଉଦ୍ଦେଶ୍ୟରେ ଉକ୍ତ କୃତ୍ରିମ ଉପଗ୍ରହଗୁଡ଼ିକୁ ଅପେକ୍ଷାକୃତ ନିକଟତର କକ୍ଷପଥରେ ସ୍ଥାପନ କରାଯାଇଥିଲା।
କିନ୍ତୁ, ସୂର୍ଯ୍ୟରେ ଉଦ୍ଗୀରଣ ଯୋଗୁଁ ମହାଶୂନ୍ୟକୁ ନିର୍ଗତ ହୋଇଥିବା ‘ସୋଲାର୍ କରୋନା’ (ସୌର ଝଡ଼) ମାଡ଼ି ଆସି ପୃଥିବୀକୁ ବେଢ଼ି ରହିଥିବା ବାୟୁମଣ୍ଡଳର ସବା ଉପର ଭାଗରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିବାରୁ ‘ସ୍ପେସ୍ଏକ୍ସ୍’ର ୪୦ଟି ଉପଗ୍ରହ ନଷ୍ଟ ହୋଇଯାଇଥିଲା।
Follow Us