ଟିକାକରଣ ନେଇ କିଛି ପ୍ରଶ୍ନ ଓ କେନ୍ଦ୍ରର ଉତ୍ତର: ବିଦେଶରୁ ଟିକା କିଣିବା ପାଇଁ ଭାରତ ଉଦ୍ୟମ କରୁନାହିଁ କି?

ଦେଶରେ ଜଣଙ୍କଠାରେ ଦୁଇ ଭିନ୍ନ ଡୋଜ୍‌ର ପରୀକ୍ଷା ହେବ

photo-New Indian Express

ଭାରତରେ ଟିକାକରଣ କାର୍ଯ୍ୟକୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି। ଏଥିରେ କେତେକ ବିକୃତ କଥା ଥିବା ବେଳେ ଆଉ କେତେକ ଅର୍ଦ୍ଧସତ୍ୟ ଏବଂ ପୂରା ମିଛ କଥା ରହିଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଟିକାକରଣ ସଂପର୍କିତ କେତେକ ସ୍ପଷ୍ଟୀକରଣ ଦିଆଯାଇଛି। ନିତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ତଥା ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ବିନୋଦ ପଲ୍ ୭ଟି ପ୍ରଶ୍ନ ଏବଂ ଉତ୍ତର ପ୍ରସ୍ତୁତ କରିଛନ୍ତି।

ବିଦେଶରୁ ଟିକା କିଣିବା ପାଇଁ ଭାରତ ଉଦ୍ୟମ କରୁନାହିଁ କି?
୨୦୨୦ ମସିହା ମଧ୍ୟଭାଗରୁ ଭାରତ ବିଶ୍ବର ପ୍ରମୁଖ ଟିକା ନିର୍ମାତାଙ୍କ ସହ ଯୋଗାଯୋଗରେ ରହିଛି। ଫାଇଜର, ଜନସନ୍ ଆଣ୍ଡ୍ ଜନସନ୍ ଏବଂ ମଡର୍ଣ୍ଣା ସହିତ ଏକାଧିକ ପର୍ଯ୍ୟାୟ ଆଲୋଚନା କରିସାରିଛି। ତେବେ ଆମକୁ ଏହା ବୁଝିବାକୁ ହେବ ଯେ ଅନ୍ତର୍ଜାତୀୟ ସ୍ତରରେ ଟିକା କିଣିବା ଦୋକାନର ଥାକରୁ ସଉଦା କିଣିବା ଭଳି ନୁହେଁ। ବିଶ୍ବସ୍ତରରେ ଟିକା ସୀମିତ ସଂଖ୍ୟାରେ ଉପଲବ୍ଧ ହେଉଛି। ଏସବୁ ସୀମିତ ଟିକାକୁ ଯୋଗାଇବାରେ କମ୍ପାନିଗୁଡ଼ିକ ପାଇଁ ସେମାନଙ୍କ ନିଜସ୍ବ ବାଧ୍ୟବାଧକତା, କୌଶଳ ଆଦି ରହିଛି। ଆମ ଦେଶର କମ୍ପାନି ଯେଭଳି ଆମ ଦେଶକୁ ଅଧିକ ଗୁରୁତ୍ବ ଦେଉଛନ୍ତି ସେମା‌ନଙ୍କ କମ୍ପାନି ମଧ୍ୟ ସେମାନଙ୍କ ଦେଶକୁ ଗୁରୁତ୍ବ ଦେଇ ଆସୁଛନ୍ତି। ଟିକାର ଉପଲବ୍ଧତା ନେଇ ଫାଇଜର ସୂଚନା ଦେବା ପରେ କେନ୍ଦ୍ର ସରକାର ଓ କମ୍ପାନି ମଧ୍ୟରେ ଯଥାଶୀଘ୍ର ଆମ ଦେଶକୁ ଏହି ଟିକା ଆଣିବା ଲାଗି କଥାବାର୍ତ୍ତା ଚାଲିଛି। ଏଭଳି କଥାବାର୍ତ୍ତାର ପରିଣତି ସ୍ବରୂପ ଭାରତରେ ଏବେ ରୁଷର ସ୍ପୁଟନିକ୍ ଭି ଟିକା ଆସିପାରିଛି।
ବିଶ୍ବରେ ଉପଲବ୍ଧ ହେଉଥିବା ଟିକାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇନାହାନ୍ତି କି?
ଆମେରିକାର ଏଫଡିଏ, ଇଏମଏ, ବ୍ରିଟେନର ଏମଏଚଆରଏ, ଜାପାନର ପିଏମ୍‌ଡିଏ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଇୟୁଏଲରେ ତାଲିକାଭୁକ୍ତ ହୋଇଥିବା ଏବଂ ମଞ୍ଜୁରି ପାଇଥିବା ଟିକାକୁ କେନ୍ଦ୍ର ସରକାର ତାଙ୍କ ନିଜଆଡୁ ‌ଭାରତରେ ବ୍ୟବହାର ପାଇଁ ଏପ୍ରିଲରେ ଅନୁମତି ଦେଇସାରିଛନ୍ତି। ଭାରତର ଔଷଧ ନିୟାମକଙ୍କ ନିକଟରେ କୌଣସି ବିଦେଶୀ ଟିକା ନିର୍ମାତାଙ୍କ ଆବେଦନ ମଞ୍ଜୁରି ପାଇଁ ପଡ଼ି ରହିନାହିଁ।
ଦେଶରେ ଟିକା ଉତ୍ପାଦନ ପାଇଁ କେନ୍ଦ୍ର ଯଥେଷ୍ଟ ପଦକ୍ଷେପ ନେଉନାହିଁ କି?
ଦେଶରେ ଭାରତ ବାୟୋଟେକ ଏକମାତ୍ର କମ୍ପାନି ଯେ କି ନିଜସ୍ବ ଜ୍ଞାନକୌଶଳରେ କୋଭାକ୍ସିନ ଟିକା ଉତ୍ପାଦନ କରୁଛି। ଏଥିସହିତ ଆଉ ୩ଟି କମ୍ପାନି/ପ୍ଲାଣ୍ଟରେ କୋଭାକ୍ସିନ ଟିକା ଉତ୍ପାଦନ ଆରମ୍ଭ କରିବାକୁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା ଡିସେମ୍ବର ବେଳକୁ ଏମାନେ ମାସିକ ୪କୋଟି ଡୋଜ୍ ଟିକା ଉତ୍ପାଦନ କରିବେ। ଭାରତ ବାୟୋଟେକର ଟିକା ଉତ୍ପାଦନ କ୍ଷମତା ମାସିକ ୧ କୋଟିରୁ ୪ କୋଟିକୁ ବୃଦ୍ଧି କରାଯାଇଛି। ଆସନ୍ତା ଡିସେମ୍ବର ବେଳକୁ ଏହା ୧୦ କୋଟିରେ ପହଞ୍ଚିବ। ସେହିଭଳି ସରକାରୀ ପ୍ରୋତ୍ସାହନରେ ‌ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍‌ଡ ଟିକା ଉତ୍ପାଦନ କ୍ଷମତା ମାସିକ ୬.୫ କୋଟି ଡୋଜ୍‌ରୁ ୧୧ କୋଟି ଡୋଜ୍‌କୁ ବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଡକ୍ଟର ରେଡିସ୍ ସହଯୋଗରେ ଭାରତର ୬ଟି କମ୍ପାନି ରୁଷିଆର ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବେ। ଜାଇଡସ କାଡିଲା, ବାୟୋଇ ଏବଂ ଜେନୋଭାକୁ ସ୍ବଦେଶୀ ଟିକା ଉତ୍ପାଦନ ପାଇଁ କରୁଥିବା ଉଦ୍ୟମକୁ ମଧ୍ୟ କେନ୍ଦ୍ର ସରକାର କୋଭିଡ ସୁରକ୍ଷା ସ୍କିମ୍ ଅଧୀନରେ ସହାୟତା ଯୋଗାଇ ଦେଉଛନ୍ତି। ଭାରତ ସରକାରଙ୍କ ପାଣ୍ଠିରେ ଭାରତ ବାୟୋଟେକ ‌ନାକବୁନ୍ଦା ଟିକା ପାଇଁ କାର୍ଯ୍ୟ କରୁଛି। ଏହା ସଫଳ ‌ହେଲେ ବିଶ୍ବ ପାଇଁ ଏକ ବଡ଼ ସଫଳତା ଆସିପାରିବ। ୨୦୨୧ ଶେଷ ସୁଦ୍ଧା ଭାରତରେ ୨୦୦ କୋଟିରୁ ଅଧିକ ଡୋଜ୍ ଟିକା ଉତ୍ପାଦନ ହୋଇପାରିବ।
ସରକାର ବାଧ୍ୟତାମୂଳକ ଲାଇସେନ୍ସିଂ କାର୍ଯ୍ୟକାରୀ କରିବା ଉଚିତ କି?
ବାଧ୍ୟତାମୂଳକ ଫର୍ମୁଲା ଏକ ଆକର୍ଷଣୀୟ ବିକଳ୍ପ ନୁହେଁ। କାରଣ ଏହା କେବଳ ଏକ ଫର୍ମୁଲା ନୁହେଁ। ଏଥିରେ ଅନେକ କିଛି ବିଷୟ ରହିଛି। ସକ୍ରିୟ ସହଯୋଗ, ମାନବ ସମ୍ବଳଙ୍କୁ ତାଲିମ, କଞ୍ଚାମାଲ ସଂଗ୍ରହ ଏବଂ ସର୍ବୋତ୍କୃଷ୍ଟ ମାନର ଜୈବ ସୁରକ୍ଷା ଥିବା ଲାବ୍ ଆଦି ଆବଶ୍ୟକ। ପ୍ରଯୁକ୍ତି ହସ୍ତାନ୍ତର ପ୍ରମୁଖ ବିଷୟ। ଗବେଷଣା କରି ଟିକା ବିକାଶ କରିଥିବା କମ୍ପାନି ପାଖରେ ଏହା ରହିଥାଏ। ଏହା ବ୍ୟତୀତ ଆଉ ଏକ ବିଷୟ ଚିନ୍ତା କରିବାକୁ ପଡ଼ିବ। ଟିକା ପ୍ରସ୍ତୁତି ଯଦି ଏତେ ସହଜ ହୋଇଥାନ୍ତା ତାହେଲେ ବିକଶିତ ଦେଶଗୁଡ଼ିକ ଏବେ ବି ଟିକା ଅଭାବର ସମ୍ମୁଖୀନ ହେଉ ନଥାନ୍ତେ।
କେନ୍ଦ୍ର ତାଙ୍କ ଦାୟିତ୍ବ ରାଜ୍ୟ ଉପରେ ଲଦି ଦେଇଛନ୍ତି କି?
କେନ୍ଦ୍ର ସରକାର ସବୁ ପ୍ରକାର ବଡ଼ କାମ ହାତକୁ ନେଇଛି। କେନ୍ଦ୍ର ଦ୍ବାରା ସଂଗ୍ରହ ହେଉଥିବା ଟିକା ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି। ରାଜ୍ୟଗୁଡ଼ିକ ଦେଶର ଟିକା ଉତ୍ପାଦନ କ୍ଷମତା ଏବଂ ବିଦେଶରେ ଟିକା ଉପଲବ୍ଧତାର ଅଭାବ ସଂପର୍କରେ ଭଲଭାବେ ଅବଗତ ଅଛନ୍ତି। ତେଣୁ ବିଶ୍ବସ୍ତରୀୟ ଟେଣ୍ଡର ସତ୍ତ୍ବେ ବିଶ୍ବ ବଜାରରୁ କମ୍ ସମୟ ମଧ୍ୟରେ ଟିକା କିଣିବା ରାଜ୍ୟଗୁଡ଼ିକ ପକ୍ଷେ ସହଜ ନୁହେଁ।
ରାଜ୍ୟଗୁଡ଼ିକୁ କେନ୍ଦ୍ର ପର୍ଯ୍ୟାପ୍ତ ଟିକା ଦେଉ ନାହିଁ କି?
କେନ୍ଦ୍ର ସରକାର ସମସ୍ତ ପ୍ରକାର ସ୍ବଚ୍ଛତା ସହିତ ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ଟିକା ଯୋଗାଇ ଦେଉଛି। ଏପରିକି ଆଗୁଆ ରାଜ୍ୟଗୁଡ଼ିକୁ ଟିକାର ଉପଲବ୍ଧତା ସଂପର୍କରେ ଜଣାଇ ଦିଆଯାଉଛି। କେନ୍ଦ୍ର ୫୦ ପ୍ରତିଶତ ଟିକା କିଣି ଯୋଗାଇ ଦେଉଥିବାବେଳେ ଅବଶିଷ୍ଟ ୫୦ ପ୍ରତିଶତ ଟିକା ରାଜ୍ୟ ଏବଂ ଘରୋଇ ହସ୍ପିଟାଲ ମାଧ୍ୟମରେ ସଂଗ୍ରହ କରୁଛନ୍ତି। ସବୁ ଜାଣିବା ସତ୍ତ୍ବେ କିଛି ନେତା ବିଭ୍ରାନ୍ତି ସୃଷ୍ଟି କରିଚାଲିଛନ୍ତି ।
ପିଲାଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ପଦେକ୍ଷପ ନେଉନାହିଁ କି?
ବର୍ତ୍ତମାନ ସୁଦ୍ଧା ବିଶ୍ବର କୌଣସି ଦେଶ ପିଲାଙ୍କୁ ଟିକା ଦେଇନାହାନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପିଲାଙ୍କୁ ଟିକା ଦେବା ନେଇ କୌଣସି ସୁପାରିସ କରିନାହିଁ। ପିଲାଙ୍କ ଠାରେ ଟିକାର ସୁରକ୍ଷା ନେଇ ଅନୁଧ୍ୟାନ ଚାଲିଛି ଏବଂ ଏହା ଉତ୍ସାହଜନକ ରହିଛି। ଭାରତରେ ପିଲାଙ୍କ ଠାରେ ଟିକା ପରୀକ୍ଷଣ ଖୁବଶୀଘ୍ର ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe