The PiPa News
ନୂଆଦିଲ୍ଲୀ: ମୋବାଇଲ ଗେମ୍ ପାଇଁ ପୁଅ ମା’କୁ ମାରିଦେଇଛି। ଖାଲି ମାରିନି, ମୃତ ମା’ ପାଖରେ ୩ ଦିନ ରହିଛି। ମା’କୁ ଗୋଟିଏ ଘରେ ତାଲା ପକାଇ ସେ ସାଙ୍ଗମାନଙ୍କୁ ଘରକୁ ଡାକି ପାର୍ଟି କରିଛି। ସାଙ୍ଗମାନଙ୍କ ପାଖରେ ଏବଂ ପୁଲିସ ପାଖରେ ସତ ଲୁଚାଇବାକୁ ଚେଷ୍ଟା କରିଛି ଓ ଶେଷରେ ପୁଲିସ ହାତରେ ଧରାପଡ଼ି ସତ ସ୍ବୀକାର କରିଛି। ଲକ୍ଷ୍ନୌର ପିଜିଆଇ ଅଞ୍ଚଳର ଆଲ୍ଡିକୋ କଲୋନିରେ ଗତ ରବିବାର ଏହି ଘଟଣା ଘଟିଛି। ଜଣେ ୧୬ ବର୍ଷର ପୁଅ ମୋବାଇଲ ଗେମ୍ ଖେଳିବାପାଇଁ ମା’କୁ ମୋବାଇଲ ଫୋନ୍ ମାଗିଲା। ମା’ ଫୋନ୍ ନଦେବାରୁ ସେ ରାଗିଯାଇ ବାପାଙ୍କ ପିସ୍ତଲ୍ ଉଠାଇ ମା’ର ମୁଣ୍ଡକୁ ଗୁଳି କରିଦେଲା। ଫଳରେ ଘଟଣାସ୍ଥଳରେ ହିଁ ମା’ର ମୃତ୍ୟୁ ହୋଇଗଲା। ଏହାପରେ ସମ୍ପୃକ୍ତ ଅଭିଯୁକ୍ତ ନାବାଳକ ସାନ ଭଉଣୀକୁ ଅନ୍ୟ ଏକ ଘରେ ପୂରାଇ ତାଲା ପକାଇଦେଲା।
ମା’କୁ ଆଉ ଏକ ଘରେ ରଖି ମା’ ସହ ସେ ନିଜେ ରହିଥିଲା। ସାଙ୍ଗମାନଙ୍କୁ ଘରକୁ ଡାକି ପାର୍ଟି କରିଥିଲା। ଅନଲାଇନ୍ରେ ଖାଇବା ଅର୍ଡର କରି ଖାଇଥିଲା। ସାଙ୍ଗମାନେ ମା’ ସମ୍ପର୍କରେ ପଚାରିବାରୁ ସେ ମିଛ କହିଥିଲା। ପଡ଼ୋଶୀ ଆଣ୍ଟିଙ୍କ ଘରକୁ ମା’ ଯାଇଛନ୍ତି ବୋଲି ସେ କହିଥିଲା। କିନ୍ତୁ ସତ ଲୁଚି ରହେନା। ୩ ଦିନ ପରେ ପଚା ଗନ୍ଧ ହେବାରୁ ନାବାଳକ ଜଣଙ୍କ ରୁମ୍ ଫ୍ରେସନର ମାରିଲା। ଏହାପରେ ବାପାଙ୍କୁ ଫୋନ୍ କରି ମା’ର ହତ୍ୟା ବିଷୟରେ କହିଲା। ନାବାଳକ କୋଲକାତାରେ ସେନା ଅଧିକାରୀ ଥିବା ତା’ ବାପାଙ୍କୁ କିନ୍ତୁ ସତ ନକହି ମନଗଢ଼ା କଥା କହିଥିଲା। ଏହାପରେ ପୁଲିସରେ ଖବର ଦେବାପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଏବଂ ମାତ୍ର ୨ ଘଣ୍ଟା ମଧ୍ୟରେ ସତ ଜଣାପଡ଼ିଲା।
Follow Us