Image Courtesy: News Live
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସୋମବାର ସନ୍ଧ୍ୟାରେ ଏଠାରେ ଥିବା ସାର୍ ଗଙ୍ଗାରାମ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ଏବଂ ତାଙ୍କୁ ଘରେ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଜୁନ୍ ୨ରେ ସେ କୋଭିଡ୍-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିବାର କିଛି ଦିନ ପରେ ଜୁନ୍ ୧୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ‘କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ସନ୍ଧ୍ୟାରେ ସାର୍ ଗଙ୍ଗାରାମ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ଏବଂ ଘରେ ବିଶ୍ରାମ କରିବାକୁ ପରାମର୍ଶ ଦିଆଯାଇଛି। ରମେଶ ପୂର୍ବରୁ କହିଥିଲେ ଯେ ନିକଟରେ କୋଭିଡ ସଂକ୍ରମଣ ପରେ ନାକରୁ ଅତ୍ୟଧିକ ରକ୍ତସ୍ରାବ ହେବା ପରେ ସୋନିଆ ଗାନ୍ଧୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ତାଙ୍କୁ ତୁରନ୍ତ ଚିକିତ୍ସାରେ ରଖାଯାଇଥିଲା ଏବଂ ଜୁନ୍ ୧୫ରୁ ତାଙ୍କୁ ଅବର୍ଜଭେସନରେ ରଖାଯାଇଥିଲା ବୋଲି ସେ କହିଛନ୍ତି।
ଆଡମିଶନ ପରେ ତାଙ୍କ ତଳ ଶ୍ୱାସକ୍ରିୟା ନଳୀରେ ଏକ ସଂକ୍ରମଣ ମଧ୍ୟ ଚିହ୍ନଟ କରାଯାଇଥିଲା। ସେ ବର୍ତ୍ତମାନ ଏଥିପାଇଁ ଚିକିତ୍ସାରେ ଅଛନ୍ତି। ଅନ୍ୟ କୋଭିଡ୍ ପରବର୍ତ୍ତୀ ଲକ୍ଷଣ ସହିତ ସେ ବର୍ତ୍ତମାନ ଘରେ ଚିକିତ୍ସାଧୀନ ଅବସ୍ଥାରେ ବିଶ୍ରାମରେ ରହିବେ।
୭୫ ବର୍ଷ ବୟସ୍କା ଗାନ୍ଧୀ ଜୁନ୍ ୮ରେ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ତାଙ୍କ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁସନ୍ଧାନ ଏଜେନ୍ସି ଠାରୁ ଅଧିକ ସମୟ ମାଗା ଯାଇଥିଲା। ଜୁନ୍ ୨୩ ହାଜର ହେବା ପାଇଁ ଇଡି ତାଙ୍କୁ ଏକ ନୂତନ ସମନ ଜାରି କରିଥିଲା। ତେବେ, ଏ ସ୍ଥିତିରେ ଜୂୁନ୍ ୨୩ରେ ସୋନିଆ ଇଡି ନିକଟରେ ହାଜର ହେଉଛନ୍ତି ନା ନାହିଁ ତା’ ଉପରେ ସମସ୍ତଙ୍କର ନଜର ରହିଛି।
Follow Us