Image Courtesy of India Today
ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ଖବରକାଗଜ ମାମଲାରେ ଜେରା ନିମନ୍ତେ ଆଜି କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ଆଜି ପୂର୍ବାହ୍ନ ୧୧ଟାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ସୋନିଆ ଗାନ୍ଧୀ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍ ଗାନ୍ଧୀଙ୍କୁ ସାଥିରେ ନେଇ ଯାଇଥିଲେ।
ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଗୋଳମାଳିଆ ପରିସ୍ଥିତ ସୃଷ୍ଟି କରିବାର ଆଶଙ୍କା ଥିବାରୁ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍ ବସାଇଥିଲା। କିନ୍ତୁ, ଉତ୍ତ୍ୟକ୍ତ ପ୍ରତିବାଦକାରୀ କଂଗ୍ରେସ କର୍ମୀମାନେ ବାରିକେଡ୍ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଦୃଷ୍ଟି ଦେଇ ଜେରା ସମୟରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ଜଣେ ଡାକ୍ତରଙ୍କୁ ବସିବା ଲାଗି ଅନୁମତି ଦିଆଯିବ।
Image Courtesy of India Todayପୁଲିସ ମଧ୍ୟ ଶଶୀ ଥରୁରଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ଅଟକ ରଖିଛି।
ତେଣେ, ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ମଧ୍ୟ ସୋନିଆଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ରାଜନେତାମାନଙ୍କୁ ଅପମାନିତ କରିବା ଲାଗି ‘ଇଡି’ର ମନୋଭାବକୁ ମୁଁ ତୀବ୍ର ନିନ୍ଦା କରୁଛି। ଯଦି ସୋନିଆ ଗାନ୍ଧୀଙ୍କୁ କିଛି ପଚାରିବା ପ୍ରୟୋଜନ ଥିଲା ତେବେ ‘ଇଡି’ର ଅଧିକାରୀମାନେ ତାଙ୍କ ବାସଭବନକୁ ଯିବା ଉଚିତ ଥିଲା।
ସୂଚନାଯୋଗ୍ୟ, ଜଣେ କଂଗ୍ରେସ ମୁଖ୍ୟଙ୍କୁ କୌଣସି କେନ୍ଦ୍ରୀୟ ଏଜେନ୍ସି ଜେରା କରିବାରେ ଏହା ହେଉଛି ପ୍ରଥମ ଘଟଣା।
Follow Us