ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ଟିପ୍ପଣୀ ପାଇଁ ଗତକାଲିଠାରୁ ବିବାଦ ଲାଗି ରହିଛି। ବିଜେପି ନେତାମାନେ ଅଧୀରଙ୍କ ଟିପ୍ପଣୀ ପାଇଁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ଗତକାଲି ଏହି ଟିପ୍ପଣୀ ପାଇଁ ସୋନିଆ ଓ ସ୍ମୃତି ମୁହାଁମୁହିଁ ହୋଇଥିଲେ। ସୋନିଆଙ୍କୁ ଟଣା ଓଟରା କରାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଇତି ମଧ୍ୟରେ ଆଜି କଂଗ୍ରେସ ସାଂସଦମାନେ ସଂସଦ ଭବନ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଛନ୍ତି। ସରକାର ଏହି ମାମଲାରେ କ୍ଷମା ମାଗିବାକୁ ସେମାନେ ଦାବି କରିଛନ୍ତି। ସୋନିଆଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗରେ କଂଗ୍ରେସ ସାଂସଦମାନେ ଆଜି ସଂସଦ ଭବନ ପରିସରରେ ଆନ୍ଦୋଳନ କରିଛନ୍ତି। ଇତି ମଧ୍ୟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଗତକାଲି ସଂସଦରେ ସୋନିଆଙ୍କୁ ଯେଉଁଭଳି ଟାର୍ଗେଟ୍ କରାଗଲା ସେଥିପାଇଁ ସରକାର କ୍ଷମା ମାଗିବା ଉଚିତ। ଅଧୀର କହିଛନ୍ତି, ଏହି ବିବାଦର ମୁଖ୍ୟ କେନ୍ଦ୍ରସ୍ଥଳ ମୁଁ। କିନ୍ତୁ ବିଜେପି ସୋନିଆ ଗାନ୍ଧିଙ୍କ ଉପରେ ଆକ୍ରମଣ କରୁଛି। ସୋନିଆଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ପାଇଁ ସରକାର କ୍ଷମା ମାଗିବାକୁ ବାଧ୍ୟ ବୋଲି ସେ କହିଛନ୍ତି।
ସୋନିଆ-ସ୍ମୃତି ବିବାଦ: ସଂସଦ ପରିସରରେ କଂଗ୍ରେସ ସାଂସଦଙ୍କ ଆନ୍ଦୋଳନ
Advertisment
Follow Us