The Indian Express
ମୁମ୍ବାଇ: କରୋନା ମହାମାରୀ ସମୟରେ ସଂକ୍ରମଣ ଭୟରେ ଲୋକେ ଘରେ ରହୁଥିବା ବେଳେ ବାହାରକୁ ବାହାରି ନିଜ ସ୍ବାସ୍ଥ୍ୟ କଥା ଚିନ୍ତା ନକରି ପ୍ରବାସୀଙ୍କ ସାହାଯ୍ୟ କରିବା ଆରମ୍ଭ କରିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ପ୍ରବାସୀଙ୍କୁ ଚାଲି ଚାଲି ଘରକୁ ଫେରୁଥିବା ଦେଖି ତାଙ୍କ ପାଇଁ ବସ୍ ର ସୁବିଧା କରିଥିଲେ ସୋନୁ। ସେହି ଦିନଠାରୁ ଗୋଟେ ପରେ ଗୋଟେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ଭଗବାନ ବନିଯାଇଛନ୍ତି ସୋନୁ ସୁଦ୍। ପୂର୍ବରୁ ତାଙ୍କ ସାହାଯ୍ୟ କରିବାର ଅନେକ ଖବର ସାମ୍ନାକୁ ଆସିଛି। କିନ୍ତୁ କିଛି ଲୋକ ତାଙ୍କୁ ଛୋଟ ଛୋଟ କାମ ପାଇଁ ଟୁଇଟ୍ କରି ସାହାଯ୍ୟ ମାଗୁଥିବା ଦେଖାଯାଇଛି। ପୂର୍ବରୁ ଏଭଳି ଅନେକ ଘଟଣା ଘଟିଥିବା ବେଳେ ଏବେ ଜଣେ ମହିଳା ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇବା ପାଇଁ ସୋନୁ ସୁଦଙ୍କୁ ଟୁଇଟ୍ କରିଥିବା ଜଣା ପଡ଼ିଛି। ତେବେ ମହିଳାଙ୍କ ଏଭଳି ଟୁଇଟ୍ ପାଇ ସୋନୁ ଯେଉଁ ଜବାବ ଦେଇଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ସୋନୁ ଟୁଇଟର ପ୍ରତିକ୍ରିୟାରେ ଲେଖିଛନ୍ତି- 'ତୁମେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରି ପାରିବ କି? ବର୍ତ୍ତମାନ, ମୁଁ କାହାର କମ୍ପ୍ୟୁଟର ଠିକ କରିବାରେ, କାହାର ବିବାହ ସ୍ଥିର କରିବାରେ, କାହାର ଟ୍ରେନ୍ ଟିକେଟ୍ ନିଶ୍ଚିତ କରିବାରେ, କାହାର ପାଣି ସମସ୍ୟାର ସମାଧାନ କରିବାରେ ଟିକିଏ ବ୍ୟସ୍ତ ଅଛି | ଲୋକମାନେ ମୋତେ ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦେଇଛନ୍ତି ବୋଲି ଲେଖି ହସିବା ଇମୋଜି ଦେଇଛନ୍ତି ସୋନୁ ସୁଦ୍ | ଗତକାଲି ଜଣେ ଯୁବକ ୟୁପିଏସସି ବହି କିଣିଦେବା ପାଇଁ ସୋନୁଙ୍କୁ ସାହାଯ୍ୟ ମାଗିଥିବା ବେଳେ ସୋନୁ ତାଙ୍କ ଘରକୁ ବହି ପଠାଇଦେବେ ବୋଲି କହିଥିଲେ। ଏହା ସହ ସେ ଫିଲିପାଇନ୍ସରେ ଥିବା ୩୯ଜଣ ଅସୁସ୍ଥ ଶିଶୁଙ୍କୁ ନୂଆଦିଲ୍ଲୀ ଆଣି ସେମାନଙ୍କର ଚିକିତ୍ସା ଦାୟିତ୍ବ ନେଇଥିବା ଖବର ତାଙ୍କୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି।
Follow Us