ରାଖୀ ପୂର୍ଣ୍ଣିମାରେ ଝୁମ୍ପୁଡ଼ିରେ ରହୁଥିବା ମହିଳାଙ୍କୁ ସୋନୁ ଦେଲେ ପ୍ରତିଶ୍ରୁତି, ଘରଟିଏ ଗଢ଼ି ଦେବି

Advertisment
ରାଖୀ ପୂର୍ଣ୍ଣିମାରେ ଝୁମ୍ପୁଡ଼ିରେ ରହୁଥିବା ମହିଳାଙ୍କୁ ସୋନୁ ଦେଲେ ପ୍ରତିଶ୍ରୁତି, ଘରଟିଏ ଗଢ଼ି ଦେବି

SantaBanta

ମୁମ୍ବାଇ: କରୋନା ମହାମାରୀ ସମୟରେ ଦେଶବ୍ୟାପି ଲକଡାଉନ୍ ଆରମ୍ଭ ହେବା ପରେ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ଆରମ୍ଭ କଲେ। ଏହି ସମୟରେ ସେମାନେ ଅକଥନୀୟ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ତେବେ ଯେଉଁ କତିପୟ ସେଲିବ୍ରିଟି ଶ୍ରମିକଙ୍କ ସାହାଯ୍ୟ ଲାଗି ଆଗେଇ ଆସିଲେ ସେମାନଙ୍କ ଭିତରେ ଥିଲେ ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ୍। ବସ୍, ଟ୍ରେନ୍ ଓ ବିମାନରେ ଫସି ରହିଥିବା ପ୍ରବାସୀଙ୍କୁ ଘରକୁ ଫେରିବାରେ ସାହାଯ୍ୟ କଲେ ସୋନୁ।  ଏହି କାର୍ଯ୍ୟ ତାଙ୍କୁ ଅସହାୟଙ୍କ ଅନ୍ନଦାତା, ଶ୍ରମିକଙ୍କ ସାକ୍ଷାତ ଭଗବାନ ଆଉ ଦୁଃଖୀ ଦରିଦ୍ରଙ୍କ ଦେବଦୂତ ଭାବେ ସାମ୍ନାକୁ ଆଣିଲା। । ଯିଏ ଯେଉଁଠିବି ସୋନୁଙ୍କୁ ନିଜ ସଂଘର୍ଷ ବିଷୟରେ ଜଣାଉଛି, ଦେବଦୂତ ସାଜି ଦୁଃଖ ଶୁଣୁଛନ୍ତି ସୋନୁ । ଆଉ ଏହାରି ଭିତରେ ରାଖୀ ପୂର୍ଣ୍ଣିମାରେ ସୋନୁଙ୍କ ଆଉ ଏକ ମହାନତାର କାହାଣୀ ସାମନାକୁ ଆସିଛି, ଯାହା ଆପଣଙ୍କ ହୃଦୟ ଜିଣିନେବ ।

ରାସ୍ତାକଡ଼ରେ ଚିରା ଫଟା ବ୍ୟାନରରେ ବନ୍ଧା ହୋଇଛି କବାଟ, ବାଉଁଶ ପାତିଆ ତିଆରି କାନ୍ଥରେ ଘୋଡାଯାଇଛି ପଲିଥିନ୍ । ଅଭାବ ଅନଟନର ଏହି ଅନ୍ଧାରୁଆ ଝୁମ୍ପୁଡି ଘରେ ଜୀବନ ଅତିବାହିତ କରନ୍ତି ଜଣେ ଅସହାୟ ମହିଳା ।  ତେବେ ଏ ନେଇ ସୋନାଲ ସିଂହ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏକ ଭିଡିଓକୁ ଟ୍ୱିଟରରେ ଅପଲୋଡ୍ କରିବା ସହ ସୋନୁ ସୁଦଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ ।

ରକ୍ତର ସମ୍ପର୍କ ନ ଥିଲେ ବି ରାକ୍ଷୀ ପୂର୍ଣ୍ଣିମାରେ ଘର ନ ଥିବା ଜଣେ ଗରିବ ଭଉଣୀଙ୍କୁ ଘରଟିଏ କରିଦେବା ପାଇଁ ଭରସା ଦେଇଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ଟ୍ୱିଟ୍ କରି ସୋନୁ ଲେଖିଛନ୍ତି, ଚାଲନ୍ତୁ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଆସାମର ଆମର ଏହି ଭଉଣୀଙ୍କ ଏକ ନୂଆ ଘର ତିଆରି କରିବା । ସୋନୁଙ୍କର ଏହି ଟୁଇଟକୁ ୧୦.୩ ହଜାର ବ୍ୟବହାରକାରୀ ରିଟୁଇଟ୍ କରିଥିବା ବେଳେ ୮୨ ହଜାରକୁ ଅଧିକ ଲାଇକ୍ ମିଳିଛି।

ଦେଶର କୋଣ ଅନୁକୋଣରୁ ଯେଉଁଠି ବି ସୋନୁଙ୍କ କାନରେ କାହା କଷ୍ଟ ପଡୁଛି, ସାଙ୍ଗେ ସାଙ୍ଗେ ସାହା ହେଉଛନ୍ତି । ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି ସୋନୁ ସୁଦ୍ । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଅଭିନେତା ଆଜି ପାଲଟି ଯାଇଛନ୍ତି ରିଅଲ୍ ଲାଇଫର ହିରୋ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe