Image Courtesy of DefenceAviation Post
ନୂଆଦିଲ୍ଲୀ: ବିବାଦୀୟ ପାର୍ସଲ୍ ଦ୍ବୀପପୁଞ୍ଜରେ ବେଜିଙ୍ଗ୍ର ଲଢୁଆ ବିମାନ ଏବଂ ବୋମାବର୍ଷୀ ବିମାନ ମୁତୟନ କରିବାରୁ ଦକ୍ଷିଣ ଚୀନ୍ ସାଗରରେ ନିମ୍ନଗାମୀ ହେଉଥିବା ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଭାରତସ୍ଥିତ ଭିଏତ୍ନାମର ରାଷ୍ଟ୍ରଦୂତ ଫାମ୍ ସାନ୍ ଚାଉ ଭାରତର ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲାଙ୍କୁ ସଂକ୍ଷିପ୍ତଭାବେ ଅବଗତ କରାଇଛନ୍ତି।
କୂଟନୈତିକସୂତ୍ର ଏହାକୁ ସୌଜନ୍ୟମୂଳକ ସାକ୍ଷାତ କହୁଥିଲେ ବି ଏହି ବୈଠକରେ ରାଷ୍ଟ୍ରଦୂତ ଶ୍ରୀଙ୍ଗଲାଙ୍କୁ ଦକ୍ଷିଣ ଚୀନ୍ ସାଗରରେ ସଦ୍ୟତମ ହିଂସାତ୍ମକ ପରିସ୍ଥିତିରେ ଭିଏତ୍ନାମର ସ୍ଥିତି ବିଷୟରେ ଅବଗତ କରାଇଥିଲେ। ଏହାଛଡ଼ା ସେ କହିଥିଲେ ଯେ, ଭାରତ ସହ ଦୃଢ଼ ଓ ବ୍ୟାପକ ସାମରିକ ସହଯୋଗ ରଖିବାକୁ ତାଙ୍କ ଦେଶ ଦୃଢ଼ପରିକର।
Image Courtesy of Defence Newsସମ୍ପୃକ୍ତ ଅଞ୍ଚଳରେ ଆମେରିକାର ସାମରିକ କାର୍ଯ୍ୟକଳାପ ଦମନ କରିବାକୁ ପିପୁଲ୍ସ୍ ଲିବରେସନ୍ ଆର୍ମିକୁ ସହଯୋଗ କରିବାକୁ ଚୀନ୍ ଏ ମାସ ପ୍ରାରମ୍ଭରେ ‘ପାର୍ସଲ୍ ଦ୍ବୀପପୁଞ୍ଜ’ର ସବୁଠୁ ବଡ଼ ‘ଉଡି ଦ୍ବୀପ’ରେ ଏଚ୍-୬ଜେ ବୋମାବର୍ଷୀ ବିମାନ ମୁତୟନ କରିଥିବା କଥା ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ୍’ କହିଛି।
‘ପାର୍ସଲ୍ ଦ୍ବୀପ’କୁ ନିଜର ବୋଲି ଦାବି କରୁଥିବା ଭିଏତ୍ନାମ ମଧ୍ୟ ଚୀନ୍ର ପଦକ୍ଷେପ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଏଥିଯୋଗୁଁ ଯେ କେବଳ ତା’ର ସାର୍ବଭୌମତ୍ବ ଉଲ୍ଲଂଘନ ହୋଇଛି ତା’ନୁହେଁ, ସମ୍ପୃକ୍ତ ଅଞ୍ଚଳର ପରିସ୍ଥିତି ମଧ୍ୟ ବିପଦଗ୍ରସ୍ତ ହୋଇଛି।
ଦୁଇ ଦେଶର ସରକାରୀ ଅଧିକାରୀ ସାମ୍ପ୍ରତିକ ସମୟରେ ଚୀନ୍ର ବଢ଼ି ଚାଲିଥିବା ଔଦ୍ଧତ୍ୟ ବିଷୟରେ ଆଲୋଚନା କରିଥିଲେ। ଭାରତ ସହ ପ୍ରତିରକ୍ଷା ସମ୍ବନ୍ଧ ସମ୍ପ୍ରସାରଣ କରିବା ବ୍ୟତୀତ ଦକ୍ଷିଣ ଚୀନ୍ ସାଗର ଉପକୂଳରେ ଥିବା ତୈଳ ଓ ପ୍ରାକୃତିକ ବାଷ୍ପ ଅନ୍ବେଷଣ ନିମନ୍ତେ ଭାରତ ଉଦ୍ୟମ ଚଳାଉ ବୋଲି ଭିଏତ୍ନାମ ରାଷ୍ଟ୍ରଦୂତ କହିଥିଲେ। ସେ କହିଥିଲେ ଯେ, ଚୀନ୍ ବିରୋଧ କରୁଥିଲେ ମଧ୍ୟ ସେ ଅଞ୍ଚଳ ଭିଏତ୍ନାମ୍ର ଏକାନ୍ତ ଅର୍ଥନୈତିକ ଜୋନ୍ ଅନ୍ତର୍ଗତ।
Follow Us