The Indian Express
କିବ୍: ୟୁକ୍ରେନ୍ର ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ରୁଷ୍ ଗତ ରାତିସାରା ଭୟଙ୍କର ଆକ୍ରମଣ କରିଛି। ରୁଷ୍ର ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ରେ ରାତିକରେ ୬୦୦ ୟୁକ୍ରେନ୍ ସୈନିକ ନିହତ ହୋଇଛନ୍ତି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ରୁଷ୍ ଦକ୍ଷିଣ ସହର ମାଇକୋଲେବ୍ର ଏକ ବିଶାଳ ଗୋଳାବାରୁଦ ଗୋଦାମ ଏବଂ କାନାଟୋଭ ଏୟାରଫିଲ୍ଡରେ ଆକ୍ରମଣ କରିଛି। ଗତରାତିରେ ହୋଇଥିବା ଆକ୍ରମଣରେ ୬୧ଟି ସାମରିକ ୟୁନିଟ୍, ୧୫ଟି ଇନ୍ଧନ ଗୋଦାମ ଧ୍ବଂସ ହୋଇଥିବା ୟୁକ୍ରେନ୍ ସ୍ବୀକାର କରିଛି। ରୁଷ୍ର ଏଭଳି ଆକ୍ରମଣକୁ ‘କ୍ଷେପଣାସ୍ତ୍ର ଆତଙ୍କବାଦ’ ବୋଲି ୟୁକ୍ରେନ୍ ଦର୍ଶାଇଛି ।
‘କ୍ଷେପଣାସ୍ତ୍ର ଆତଙ୍କବାଦ’ ଚଳାଇଛି ରୁଷ୍: ୟୁକ୍ରେନ୍
ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ୟୁକ୍ରେନ୍ରେ ଭୟ ସୃଷ୍ଟି କରିବା ପାଇଁ ରୁଷ୍ କ୍ଷେପଣାସ୍ତ୍ର ଆତଙ୍କବାଦ କୌଶଳ ଅବଲମ୍ବନ କରିଛି। ରାତିସାରା ୟୁକ୍ରେନ୍ର ପ୍ରମୁଖ ସହରମାନଙ୍କରେ ଏୟାର ରେଡ୍ ସାଇରନ୍ ବାଜୁଛି। କିବ୍ ଏବଂ କେନ୍ଦ୍ରୀୟ ୟୁକ୍ରେନ୍ର ଚେରକାସି, ଡିନିପ୍ରୋ ଏବଂ ଦକ୍ଷିଣପୂର୍ବର ଜାପୋରିଝିଆରେ ଆକ୍ରମଣ ହୋଇଛି। ଅନ୍ୟପକ୍ଷେ ରୁଷ୍ ପାଶ୍ଚାତ୍ୟ ଅସ୍ତ୍ର ଯୋଗାଣ ବନ୍ଦ କରିବାପାଇଁ ପ୍ରମୁଖ ରେଳ ଷ୍ଟେସନ୍ଗୁଡ଼ିକୁ ଧ୍ବଂସ କରିଦେଇଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ସହର ମାଇକୋଲେବରେ ବୋମାବର୍ଷା ଯୋଗୁଁ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି।
କ୍ରାମାଟର୍ସ୍କରେ ରୁଷ୍ ପୁଣିଥରେ ଆକ୍ରମଣ ଆରମ୍ଭ କରିଛି। ପ୍ରାୟ ୬ଟି ବିମାନ ଆକ୍ରମଣ ଏକ ଜନବସତି ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି। ଏହି ଆକ୍ରମଣରେ ୨୫ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଧ୍ବଂସାବଶେଷ ତଳେ ପୋତି ହୋଇ ରହିଛନ୍ତି। ଡୋନେସ୍କ ଏବଂ ଲୁହାଂସ୍କକୁ ରୁଷ୍ ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାପାଇଁ ଉଦ୍ୟମ ଜାରି ରଖିଛି। ଲୁହାଂସ୍କରେ ରୁଷ୍ର ଗୋଳାବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବ୍ୟାପକ ଅଂଚଳ ଛାରଖାର ହୋଇଛି ।
Follow Us