ଚଳିତ ବର୍ଷ ସ୍ବାଭାବିକ ହୋଇପାରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ: ଭାରତୀୟ ପାଣିପାଗ ବିଭାଗ

ଚଳିତ ବର୍ଷ ସ୍ବାଭାବିକ ହୋଇପାରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ: ଭାରତୀୟ ପାଣିପାଗ ବିଭାଗ

Image Courtesy of Mint

ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ଭାରତରେ ସ୍ବାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ଅଛି ବୋଲି ଆଜି ଭାରତର ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ ଉଲ୍ଲେଖ କରିଛି ଯେ, ‘ଲଙ୍ଗ୍‌ ପିରିୟଡ୍‌ ଆଭରେଜ୍‌’ର (ଏଲ୍‌ପିଏ) ୯୬%ରୁ ୧୦୪% ବୃଷ୍ଟିପାତ ହେବ। ୧୯୭୧ରୁ ୨୦୨୦ ବର୍ଷ ପର୍ଯ୍ୟନ୍ତ ସମୟଖଣ୍ଡରେ ହୋଇଥିବା ‘ଏଲ୍‌ପିଏ’ର ୮୭ ସେ.ମି. ବୃଷ୍ଟିପାତ ଆଧାରରେ ଉପରୋକ୍ତ ବୃଷ୍ଟିପାତ ହାର ନିର୍ଦ୍ଧାରଣ କରାଯାଇଛି।

ପୂର୍ବରୁ ପାଣିପାଗ ବିଭାଗ ୧୯୬୧-୨୦୧୦ ସମୟଖଣ୍ଡର ୮୮ ସେ.ମି. ବୃଷ୍ଟିପାତକୁ ପାଣିପାଗ ବିଭାଗ ‘ଲଙ୍ଗ୍‌ ପିରିୟଡ୍‌ ଆଭରେଜ୍‌’ ବୋଲି ବିବେଚନା କରୁଥିଲା।

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି, ୧୯୭୧-୨୦୨୦ ସମୟ ଅବଧି ପର୍ଯ୍ୟନ୍ତ ହୋଇଥିବା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ସମଗ୍ର ଭାରତରେ ହାରାହାରି ୮୬୮.୬ ମିଲିମିଟର୍‌ ସ୍ବାଭାବିକ ବୃଷ୍ଟିପାତ ହୋଇଥିଲା। ତେଣୁ, ଉପରୋକ୍ତ ବୃଷ୍ଟିପାତ ହାର ୧୯୬୧-୨୦୧୦ ମଧ୍ୟରେ ହୋଇଥିବା ସ୍ବାଭାବିକ ବୃଷ୍ଟିପାତ ହାର ୮୮୦.୬ ମିଲିମିଟର୍‌ ବୃଷ୍ଟିପାତ ସ୍ଥାନକୁ ଚାଲିଆସିବ।

publive-image Image Courtesy of Business Standard

ପାଣିପାଗ ବିଭାଗ ସୂଚନା ଦେଇଛି, ଭାରତୀୟ ଉପଦ୍ବୀପର ଉତ୍ତର ପ୍ରାନ୍ତ ଅନେକ ଅଞ୍ଚଳ, କେନ୍ଦ୍ରୀୟ ଭାରତ, ହିମାଳୟ ପର୍ବତମାଳାର ପାଦଦେଶ ଏବଂ ଉତ୍ତରପଶ୍ଚିମ ଭାରତର କେତେକ ଅଞ୍ଚଳରେ ସ୍ବାଭାବିକ ଏବଂ ତା’ଠାରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ଅଛି।

ସେହିପରି, ଉତ୍ତରପୂର୍ବ ଭାରତର ଅନେକ ଅଞ୍ଚଳ, ଉତ୍ତରପଶ୍ଚିମ ଭାରତର କେତେକ ଅଞ୍ଚଳ ଏବଂ ଦକ୍ଷିଣ ଉପଦ୍ବୀପର ଦକ୍ଷିଣପ୍ରାନ୍ତରେ ସ୍ବାଭାବିକ ଠାରୁ କମ୍‌ ବୃଷ୍ଟିପାତ ହେବାର ସମ୍ଭାବନା ଅଛି।

ଉଲ୍ଲେଖଯୋଗ୍ୟ, ୨୦୨୧ରେ ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସ କାଳ ପ୍ରବାହିତ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ବେଳେ ଭାରତରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିଲା।

ଏହା ଥିଲା କ୍ରମାଗତ ଭାବେ ଦେଶରେ ସ୍ବାଭାବିକ ଅଥବା ସ୍ବାଭାବିକ ଠାରୁ ଅଧିକ ବୃଷ୍ଟିପାତ ହେବାର ତୃତୀୟ ବର୍ଷ। ୨୦୧୯ ଏବଂ ୨୦୨୦ରେ ବୃଷ୍ଟିପାତ ହାର ଥିଲା ସ୍ବାଭାବିକ ଠାରୁ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe