ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୧ ରଦ୍ଦ ହେବ ନାହିଁ । କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଗତ ବର୍ଷ ଭଳି ଚଳିତ ବର୍ଷ ଜୁଲାଇରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ ପାଇଛି।
ଗତକାଲି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ପରୀକ୍ଷା ଫର୍ମାଟ୍ ବିଷୟରେ ଅଧିକ ସୂଚନା ଦେବା ସହ ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ ଜୁନ୍ ୧ରେ ଘୋଷଣା କରିବେ ବୋଲି ଜଣାପଡିଛି ।
ତେବେ ଏହି ଖବର ଶୁଣିବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ଛାତ୍ର ଲେଖିଛନ୍ତି, ମୁଁ ସରକାରଙ୍କୁ ଅନୁରୋଧ କରୁଛି କି ଆମେ ଯେତେବେଳେ ବୋର୍ଡ ପରୀକ୍ଷା ଦେବାକୁ ଯିବୁ, ସେତେବେଳେ ଆମ ପାଇଁ ଶ୍ମଶାନରେ ସ୍ଥାନ ଯୋଗାଡ଼ି ରଖିଥିବେ।
ଆଉ ଜଣେ ଛାତ୍ର ଲେଖିଛନ୍ତି, ପରୀକ୍ଷା ସମୟ ହ୍ରାସ କରି ୧/୨ଘଣ୍ଟା କରି ଆମକୁ ବୋକା ବନାଇ ପାରିବେ ନାହିଁ। ଆମେ ବଞ୍ଚିବାକୁ ଚାହୁଁଛୁ। ସେହିପରି ଅନ୍ୟ ଜଣେ ଛାତ୍ର ଲେଖିଛନ୍ତି, ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ମା ଓ ବାପା ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରୁଛନ୍ତି। ଏଭଳି ସମୟରେ ପରୀକ୍ଷା ଆୟୋଜନ କରି ଆମର ଭାବନ ସହିତ କାହିଁକି ଖେଳୁଛନ୍ତି।
ଅନ୍ୟପକ୍ଷରେ ଦ୍ବାଦଶ ପରୀକ୍ଷା ହେବାକୁ ରାଜି ଥିବା ନେଇ କିଛି ଛାତ୍ରଛାତ୍ରୀ କହିଛନ୍ତି, ଏହା ଆମର ଭବିଷ୍ୟତ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ।
ସୂଚନା ମୁତାବକ, ଏହି ବୈଠକର ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଙ୍କ ସମେତ ଏହି ବୈଠକରେ କେନ୍ଦ୍ର ମହିଳା ଓ ଶିଶୁ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଉପସ୍ଥିତ ରହିଥିଲେ | ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ରାଜ୍ୟ ପରୀକ୍ଷା ବୋର୍ଡର ଚେୟାରମ୍ୟାନ୍ ତଥା ହିତାଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯାଇଥିଲା |
Follow Us