ଆମେରିକା, ସ୍ପେନ୍‌ ସ୍ଥିତି ସାଂଘାତିକ : ସ୍ପେନ୍‌ର ମୃତ୍ୟୁ ସଂଖ୍ୟା ଚୀନ୍‌କୁ ଟପିଲା

Advertisment

ଆମେରିକାରେ ୭୯୦ ମୃତ, ବିଶ୍ବବ୍ୟାପୀ ୧୯ ହଜାର ୮୦୦ ମୃତ

ଆମେରିକାରେ ୭୯୦ ମୃତ, ବିଶ୍ବବ୍ୟାପୀ ୧୯ ହଜାର ୮୦୦ ମୃତ

ଆମେରିକା, ସ୍ପେନ୍‌ ସ୍ଥିତି ସାଂଘାତିକ : ସ୍ପେନ୍‌ର ମୃତ୍ୟୁ ସଂଖ୍ୟା ଚୀନ୍‌କୁ ଟପିଲା

ନୂଆଦିଲ୍ଲୀ : ୧୯୬ ଦେଶରେ ପହଞ୍ଚିଥିବା କରୋନା ଭାଇରସ୍‌ ଏବେ ଆମେରିକା, ଇଟାଲି ଏବଂ ସ୍ପେନ୍‌ରେ ଭୟାନକ ସ୍ଥିତି ସୃଷ୍ଟି କରିଛି। ବିଶ୍ବବ୍ୟାପୀ ପ୍ରାୟ ୪ ଲକ୍ଷ ୪୦ ହଜାର ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧୯ ହଜାର ୮୦୦ରେ ପହଞ୍ଚିଛି। ୟୁରୋପୀୟ ରାଷ୍ଟ୍ର ଇଟାଲି ଏବେ କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ପାଲଟିଥିବା ବେଳେ ଆମେରିକାରେ ମଧ୍ୟ କରୋନା ବହୁତ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଆମେରିକାରେ ମୃତ୍ୟୁ ସଂଖ୍ୟା ୭୯୦ରେ ପହଞ୍ଚିଛି ଏବଂ କେବଳ ନ୍ୟୁୟର୍କ ସହରରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇଟାଲିରେ ମୃତ୍ୟୁସଂଖ୍ୟା ୬୮୦୦ରେ ପହଞ୍ଚିଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାରରେ ପହଞ୍ଚିଛି। ଆମେରିକାରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହଜାର ଛୁଇଁଛି ଏବଂ ବିଭିନ୍ନ ସହରରେ ସେନା ଦ୍ବାରା ଲୋକଙ୍କୁ ଚିହ୍ନଟ ଏବଂ କ୍ବାରାଣ୍ଟିନ୍‌ ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଉଛି। ଇଟାଲି ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି ଏବଂ ସ୍ପେନ୍‌ରେ ମଧ୍ୟ ଅଣାୟତ୍ତ ସ୍ଥିତି ଉପୁଜିଛି। ଚୀନ୍‌ର ମୃତ୍ୟୁ ସଂଖ୍ୟାକୁ ସ୍ପେନ୍‌ ଆଜି ଟପି ଯାଇଛି। ସ୍ପେନ୍‌ରେ ୩ ହଜାର ୫ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି।

ଆମେରିକାର ନ୍ୟୁୟର୍କ ସହର କରୋନା ଭାଇରସ୍‌ର ନୂଆ କେନ୍ଦ୍ରସ୍ଥଳ ପାଲଟିବାକୁ ଯାଉଛି। ନ୍ୟୁୟର୍କ ଏବେ ଭୂତ ସହରରେ ପରିଣତ ହୋଇଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ସହରରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ସେବା ପ୍ରଦାନକାରୀଙ୍କ ବ୍ୟତୀତ ଅନ୍ୟ କେହି ରାସ୍ତାକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ହେଉଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ବନ୍ଦ ରହିଛି। କାଲିଫର୍ଣ୍ଣିଆ ଏବଂ ୱାସିଂଟନ୍‌କୁ ବିପର୍ଯ୍ୟୟ ଅଞ୍ଚଳ ଘୋଷଣା କରାଯାଇଛି। ବିଭିନ୍ନ ରାଜ୍ୟରେ ଜାତୀୟ ଗାର୍ଡ କରୋନା ମୁକାବିଲା ଦାୟିତ୍ବ ଗ୍ରହଣ କରିଛନ୍ତି।

ଜର୍ମାନୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୦ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାରରେ ପହଞ୍ଚିଲାଣି। ଇରାନ୍‌ରେ ଗୋଟିଏ ଦିନରେ ପୁଣି ଶତାଧିକ ଲୋକଙ୍କ ମୃତ୍ୟ ଘଟିଛି। ଏଠାରେ ମୋଟ ୨ ହଜାର ୮୦ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୨୭ ହଜାର ଆକ୍ରାନ୍ତ ହୋଇଛନ୍ତି। ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାରରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧୦୦ରେ ପହଞ୍ଚିଛି। ବ୍ରିଟେନ୍‌ରେ ବି ମୃତ୍ୟୁସଂଖ୍ୟା ବଢ଼ୁଛି। ବ୍ରିଟେନ୍‌ରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୩୫ ପହଞ୍ଚିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୦୦ରେ ପହଞ୍ଚିଛି। ଫିଲିପାଇନ୍ସରେ ୮୦୦ରୁ ଅଧିକ ସ୍ବାସ୍ଥ୍ୟ କର୍ମଚାରୀ କ୍ବାରେଣ୍ଟିନ୍‌ରେ ଅଛନ୍ତି। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଥିବାବେଳେ ଏଠାରେ କରୋନା ଚିକିତ୍ସା କରିଥିବା ଜଣେ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe