Image Courtesy of Colorado Springs Gazette
ମାଡ୍ରିଡ୍: ସ୍ପେନ୍ର ଭାଲେନ୍ସିଆ ଅଞ୍ଚଳର ଏକ ସହରୀ ରାସ୍ତାରେ ବିବସ୍ତ୍ର ହୋଇ ଚାଲିବା ଓ ସେଥି ଯୋଗୁଁ କରାଯାଇଥିବା ମାମଲାର ବିଚାର ପାଇଁ ସେହି ଅବସ୍ଥାରେ ଅଦାଲତରେ ହାଜର ହେବାକୁ ଉଦ୍ୟମ କରି ଜରିମାନାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ସପକ୍ଷରେ ଏକ ସ୍ପେନୀୟ ହାଇକୋର୍ଟ ରାୟ ଦେଇଛନ୍ତି।
ରାଜଧାନୀ ମାଡ୍ରିଡ୍ର ଉପକଣ୍ଠରେ ଥିବା ଆଲ୍ଡାଇଆ ଉପନଗରୀର ରାସ୍ତାରେ ବିବସ୍ତ୍ର ହୋଇ ଚାଲିଥିବା ଉକ୍ତ ବ୍ୟକ୍ତିଙ୍କଠାରୁ ନିମ୍ନ ଅଦାଲତ ଆଦାୟ କରିଥିବା ଜରିମାନା ଅର୍ଥ ଫେରସ୍ତ ଦେବା ପାଇଁ ସେ ଅଞ୍ଚଳର ହାଇକୋର୍ଟ ଦେଇଥିବା ରାୟରେ କହିଛନ୍ତି।
ଅଦାଲତ ସ୍ବୀକାର କରିଛନ୍ତି ଯେ, ସର୍ବସାଧାରଣରେ ନଗ୍ନତା ପ୍ରଦର୍ଶନ କରାଯିବା ବିଷୟରେ ସ୍ପେନୀୟ ଆଇନରେ କିଛି ଉଲ୍ଲେଖ ନାହିଁ।
ଏହି ଘଟଣା ଉପରେ ଉତ୍ତୋଳନ କରାଯାଇଥିବା ଭିଡିଓରେ ଦେଖାଯାଉଛି ଯେ, ୨୯ ବର୍ଷିୟ ଆଲେଜାଣ୍ଡ୍ରୋ କଲୋମାର୍ କେବଳ ହଳେ ‘ହାଇକିଙ୍ଗ୍ ବୁଟ୍’ ପିନ୍ଧି ଅଦାଲତକୁ ଆସିଥିଲେ। କିନ୍ତୁ, ଅଦାଲତ ପ୍ରକୋଷ୍ଠକୁ ଯିବାକୁ ହେଲେ ପୋଷାକ ପିନ୍ଧିବାକୁ ପଡ଼ିବ ବୋଲି ତାଙ୍କୁ କୁହାଯାଇଥିଲା। ଏହି ମାମଲାର ବିଚାର ବେଳେ ସେ ଯୁକ୍ତି ବାଢ଼ିଥିଲେ ଯେ, ଲାଗୁ କରାଯାଇଥିବା ଜରିମାନା ତାଙ୍କ ସ୍ବାଧୀନତା ଅଧିକାରକୁ କ୍ଷୁଣ୍ଣ କରୁଛି।
Image Courtesy of NDTVସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ଆଲେଜାଣ୍ଡ୍ରୋ କହିଛନ୍ତି, ୨୦୨୦ରେ ବିବସ୍ତ୍ର ହୋଇ ରାସ୍ତାରେ ଯିବା ବେଳେ ତାଙ୍କୁ ଅପମାନ ଅପେକ୍ଷା ଅଧିକ ସମର୍ଥନ ମିଳିଥିଲା। ଅବଶ୍ୟ ଥରେ ଜଣେ ତାଙ୍କୁ ଛୁରି ଦେଖାଇ ଧମକ ଦେଇଥିଲେ।
ଜରିମାନ ସଂକ୍ରାନ୍ତରେ ଯୁକ୍ତି ଦର୍ଶାଇ ସେ କହିଛନ୍ତି, ଏଥିପାଇଁ ଜରିମାନା କରାଯିବା ଅପ୍ରାସଙ୍ଗିକ। ଅଶ୍ଳୀଳତା ପ୍ରଦର୍ଶନ କରୁଛି ବୋଲି ସେମାନେ ମୋ ଉପରେ ଦୋଷାରୋପ କରୁଛନ୍ତି। କିନ୍ତୁ, ଅଭିଧାନ ଅନୁସାରେ, ଯୌନାଚାର ଉଦ୍ଦେଶ୍ୟରେ ବିବସ୍ତ୍ର ହେବା ଆଇନ ବିରୋଧୀ। ମୋର କିନ୍ତୁ, ସେଭଳି ଉଦ୍ଦେଶ୍ୟ ନ ଥିଲା।
ସୂଚନାଯୋଗ୍ୟ, ୧୯୮୮ରୁ ସର୍ବସାଧାରଣରେ ଉଲଗ୍ନ ହେବାକୁ ଆଇନସମ୍ମତ କରାଯାଇଛି। ପୋଷାକପତ୍ର ନ ପିନ୍ଧି ରାସ୍ତାରେ ଯିବାଆସିବା କରୁଥିବା ବ୍ୟକ୍ତିଙ୍କୁ ସେଠାରେ ଗିରଫ କରାଯାଏ ନାହିଁ। କିନ୍ତୁ, ଭାଲ୍ଲାଡଲିଡ୍ ଏବଂ ବାର୍ସିଲୋନା ଭଳି କେତେକ ଅଞ୍ଚଳ ନଗ୍ନତା ବିରୋଧରେ ନିଜସ୍ବ ଆଇନ କରିଛନ୍ତି। ବିଶେଷ କରି ସମୁଦ୍ର ବେଳାଭୂମିକୁ ଛାଡ଼ି ଦେଲେ ଅନ୍ୟ ଅଞ୍ଚଳରେ କେହି ସର୍ବସାଧାରଣରେ ବିବସ୍ତ୍ର ହୋଇ ପାରିବେ ନାହିଁ।
କିନ୍ତୁ, ଅଲଡାଇଆରେ ନଗ୍ନତାକୁ ନିଷେଧ କରିବା ନିମନ୍ତେ ଆଇନ ନାହିଁ ବୋଲି ହାଇକୋର୍ଟ କହିଥିଲେ।
Follow Us