ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା: ଚୀନ୍‌ ସହ ଟକ୍କର; ସୀମାନ୍ତ ଗ୍ରାମ ଉପରେ ଫୋକସ୍‌

Advertisment
ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା: ଚୀନ୍‌ ସହ ଟକ୍କର; ସୀମାନ୍ତ ଗ୍ରାମ ଉପରେ ଫୋକସ୍‌

The Daily Guardian

ନୂଆଦିଲ୍ଲୀ: ଚୀନ୍ ବିବାଦୀୟ ସୀମାନ୍ତ ଅଞ୍ଚଳରେ ନିଜର ଦାବିକୁ ସୁଦୃଢ଼ କରିବା ପାଇଁ ସେସବୁ ଅଞ୍ଚଳରେ ଗ୍ରାମ ବସାଉଥିବା ବେଳେ ଭାରତ ବି ଅନୁରୂପ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ଦଖଲରେ ଥିବା ତଥା କାଁଭାଁ ଲୋକ ବାସ କରୁଥିବା ବିବାଦୀୟ ଅଞ୍ଚଳରେ ଭାରତ ଭାଇବ୍ରାଣ୍ଟ୍‌ ଭିଲେଜ୍‌ ପ୍ରୋଗ୍ରାମ (ସ୍ପନ୍ଦନଶୀଳ ଗ୍ରାମ ଯୋଜନା) ଆରମ୍ଭ କରିବାକୁ ଯାଉଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ମଙ୍ଗଳବାର ନୂତନ ସ୍ପନ୍ଦନଶୀଳ ଗ୍ରାମ ଯୋଜନା (ଭିଭିପି) ବିଷୟରେ ତାଙ୍କର ୨୦୨୨-୨୩ ବଜେଟ୍ ଭାଷଣରେ ଘୋଷଣା କରିଛନ୍ତି। ବିବାଦୀୟ ଭାରତ-ଚୀନ୍ ବା ଉତ୍ତର ସୀମାରେ ଥିବା ହାମଲେଟ୍ (ଛୋଟ ଗ୍ରାମ)ଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯାଇଛି। ସୀତାରମଣ କହିଲେ ଯେ, କାଁଭାଁ ଲୋକ ବାସ କରୁଥିବା ଏହି ସୀମାନ୍ତ ଗ୍ରାମଗୁଡ଼ିକରେ ଭିତ୍ତିଭୂମି ନାହିଁ, ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ନୁହେଁ ଏବଂ ଏଗୁଡ଼ିକ ବିକାଶ ଯୋଜନାରୁ ସବୁବେଳେ ବଞ୍ଚିତ ହୋଇ ଆସୁଛନ୍ତି। ଏହି ଗ୍ରାମଗୁଡ଼ିକ ଭିଭିପି ଯୋଜନାରେ ଆଧୁନିକୀକରଣ କରାଯିବ। ଗ୍ରାମଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ କରାଯିବ। ଲୋକଙ୍କ ପାଇଁ କୋଠାଘର ନିର୍ମାଣ କରାଯିବ। ପର୍ଯ୍ୟଟନ କେନ୍ଦ୍ର ରହିବ। ରାସ୍ତା ସଂଯୋଗୀକରଣ ସହ ନବୀକରଣଯୋଗ୍ୟ ଶକ୍ତି ଦ୍ବାରା ବିଦ୍ୟୁତ୍ ସଂଯୋଗ ବା ଆଲୋକୀକରଣ ଆଦି କରାଯିବ। ଜାତୀୟ ଟିଭି ନେଟ୍‌ୱର୍କ ଦୂରଦର୍ଶନ ଓ ଶୈକ୍ଷିକ ଚାନେଲଗୁଡ଼ିକ ନିମନ୍ତେ ଡାଇରେକ୍ଟ-ଟୁ-ହୋମ୍ ଆକ୍‌ସେସ୍‌ର ବ୍ୟବସ୍ଥା କରାଯିବ। ଲୋକଙ୍କ ଜୀବିକା ନିର୍ବାହ ପାଇଁ ରୋଜଗାରର ବ୍ୟବସ୍ଥା କରାଯିବ। ଭିଭିପି ଓ ସୀମାନ୍ତ କ୍ଷୁଦ୍ର ଗ୍ରାମଗୁଡ଼ିକର ବିକାଶ ନିମନ୍ତେ କେନ୍ଦ୍ର ସରକାର ଅତିରିକ୍ତ ପାଣ୍ଠି ଖର୍ଚ୍ଚ କରିବେ। ତା’ ସହ ବର୍ତ୍ତମାନ ସରକାରୀ ଯୋଜନାରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ସେସବୁ ମଧ୍ୟ ଉକ୍ତ ଗ୍ରାମଗୁଡ଼ିକର ଅଧିବାସୀ ପାଇପାରିବେ।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଲୋକମାନେ ଗ୍ରାମରେ ସବୁ ସୁବିଧା ସୁଯୋଗ ପାଇଲେ ଜୀବିକା ନିର୍ବାହ ପାଇଁ ଆଉ ଅନ୍ୟତ୍ର ଚାଲିଯିବାକୁ ପଡ଼ିବ ନାହିଁ। ଏଠାରେ ଲୋକସଂଖ୍ୟା କମିଯାଉଥିବାରୁ ଏହି ଅଞ୍ଚଳ ଉପରେ ଭାରତ ନିଜର ଦାବିକୁ ଜୋରଦାର କରିବାରେ ଅସୁବିଧା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe