Ajit Pawar Photograph: (sambad.in)
ମୁମ୍ବାଇ: ମୃତ୍ୟୁ କେତେବେଳେ ଆସେ କାହାକୁ କିଛି କହିକି ଆସେନି । ପାଖରେ ଯେତେ ପାଓ୍ଵାର ଥାଉ ପଛେ ମୃତ୍ୟୁ ଆଗରେ ସବୁ ଫିକା । ଏଇ ଯେମିତି ଅଜିତ ପାଓ୍ଵାରଙ୍କ ମୃତ୍ୟୁ... ତାଙ୍କ ନାଁରେ ପାଓ୍ଵାର ଥିଲା, ତାଙ୍କ ହାତରେ ପାଓ୍ଵାର ଥିଲା ହେଲେ ସବୁ ପାଓ୍ଵାର ମୃତ୍ୟୁର ପାଓ୍ଵାର ଆଗରେ ଫୁସକି ଗଲା... ଆଉ ଚାହୁଁ ଚାହୁଁ ଜୀବନ ଜଳି ପାଉଁଶ ପାଲଟିଗଲା ।
ସତରେ ଜୀବନ କେତେ କ୍ଷଣସ୍ଥାୟୀ ! ଘରର ଟିଭି ରିମୋର୍ଟ ହୁଏତ ଆମ ଆୟତ୍ତରେ ଥାଇପାରେ ହେଲେ ଆମ ଜୀବନର ରିମୋଟ୍ କଣ୍ଟ୍ରୋଲ ଆମ ହାତରେ ନାହିଁ, ବରଂ ସମୟ ହାତରେ । କାହାର ଯାତ୍ରା କେଉଁଠି ଅଟକିବ, ତାହା କେବଳ ଉପରବାଲା ଜାଣେ। କାହାର ସକାଳ କେତେବେଳେ ସରିବ ସେହି ସମୟ ହିଁ ନିର୍ଦ୍ଧାରଣ କରେ । ସକାଳ ଦେଖିଥିବା ମଣିଷ ଯେ ସଞ୍ଜ ଦେଖିପାରିବନି ଏକଥା କିଏ କହିପାରିବ । ମୃତ୍ୟୁ କେବେ କବାଟ ବାଡେଇ ଅନୁମତି ନେଇ ଆସେନି । ଯେତେ ପଦବୀ, ପ୍ରତିପତ୍ତି, ଧନ, ସବୁ ଯମ ଆଗରେ ଫିକା ।
ଆହୁରି ପଢନ୍ତୁ- Plane Crash: ବିମାନ ନେଉଛି ଜୀବନ: ବିଜୟଙ୍କ ପରେ ଆଖିବୁଜିଲେ ଅଜିତ... ଜାଣନ୍ତୁ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଛନ୍ତି ଆଉ କେଉଁ ନେତା ?
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ଦେହାନ୍ତରେ ସ୍ତବ୍ଧ ସାରା ଦେଶ । ବାରାମତିରେ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଅଜିତଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଶୋକର ଛାୟା ଖେଳାଇ ଦେଇଛି । କୁହୁଡ଼ି ଯୋଗୁ ନା ଅନ୍ୟ କୌଣସି କାରଣ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା, ତାହାର ତଦନ୍ତ ଆରମ୍ଭ କରିଛି AAIB । ସେପଟେ ଅଜିତଙ୍କ ଦେହାନ୍ତ ପରେ ମହାରାଷ୍ଟ୍ର ରାଜନୀତିରେ ବି ବଡ଼ ହଲଚଲ ହୋଇପାରେ ବୋଲି ଆକଳନ କରାଯାଉଛି ।...
ଉଡ଼ାଣ ଭରିଥିଲା ଲିଅରଜେଟ୍-45 ବିମାନ । ୬ ରୁ ୮ ସିଟ୍ ବିଶିଷ୍ଟ ଛୋଟ ପ୍ରାଇଭେଟ୍ ଜେଟ୍ । ଜନସଭାରେ ଯୋଗ ଦେବା ପାଇଁ ନିଜ ଆସନ ବାରାମତିକୁ ଯାଉଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ମୁମ୍ବାଇରୁ ପ୍ରାୟ ୨୫୦ କିଲୋମିଟର ଦୂର, ପ୍ରାୟ ୩୫ ମିନିଟ୍ର ଯାତ୍ରା । ହେଲେ କୁହାଯାଉଛି, ବାରାମତି ବିମାନ ବନ୍ଦରରେ ଅବତରଣ ବେଳେ ଘନ କୁହୁଡ଼ି ଯୋଗୁ ଦିଶିଲାନି ରନ୍ୱେ-୧୧ । ପ୍ରଥମ ପ୍ରଚେଷ୍ଟାରେ ବିଫଳ ହୋଇ, ୮ଟା ୪୫ରେ ପୁଣି ଲ୍ୟାଣ୍ଡିଂ କଲା ବେଳେ ରନୱେଠୁ ପ୍ରାୟ ଶହେ ଫୁଟ୍ ପୂର୍ବରୁ ଭୂଇଁରେ ପିଟି ହୋଇ ନିଆଁ ପିଣ୍ଡୁଳା ପାଲଟିଗଲା ବିମାନ । ଘଟଣାସ୍ଥଳରେ ଉଦ୍ଧାରକାରୀ ପହଞ୍ଚିବା ବେଳକୁ ସବୁକିଛି ଛାରଖାର, ସବୁକିଛି ଶେଷ ।
ପ୍ରାଣ ହରାଇଥିଲେ ବିମାନରେ ଥିବା ସମସ୍ତ ୫ ଜଣ । ଅଜିତ ପାୱାର, ପାଇଲଟ୍ ସମ୍ଭାବୀ ପାଠକ ଓ ସୁମିତ କପୁର୍, ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ପିଙ୍କି ମାଲି ଏବଂ ପିଏସ୍ଓ ଭିଦୀପ ଯାଦବ । ଦୁର୍ଘଟଣା ପୂର୍ବରୁ ପାଇଲଟ୍ 'ମେ ଡେ' କହିନଥିବା ବେଳେ, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହାର ତଦନ୍ତ କରୁଛି । ମହାରାଷ୍ଟ୍ର ରାଜନୀତିର ଅନ୍ୟତମ ପାୱାରଫୁଲ୍ ନେତା ଅଜିତ ପାୱାର୍ । ୮ ଥର ବିଧାୟକ, ୬ ଥର ଉପମୁଖ୍ୟମନ୍ତ୍ରୀ, ପଦରେ ସର୍ବାଧିକ କାଳ ଥିବା ରାଜନେତା ତଥା ଏନ୍ସିପି ସଭାପତି ଅଜିତ ।
୪ ଦଶନ୍ଧିର ରାଜନୈତିକ ଜୀବନ । ୬୬ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ । ବିଦ୍ୟା ପ୍ରତିଷ୍ଠାନରେ ଶେଷ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦାଦା ଶରଦ ପାୱାର, ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ।
ମହାରାଷ୍ଟ୍ର ୩ ଦିନିଆ ଶୋକ ପାଳୁଥିବା ବେଳେ, ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ । ଅଜିତଙ୍କ ଦେହାନ୍ତ ପରେ ମହାରାଷ୍ଟ୍ର ରାଜନୀତିରେ ହୋଇପାରେ ବଡ଼ ହଲଚଲ । କିଏ ଏନ୍ସିପି ମଙ୍ଗ ଧରିବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିବା ବେଳେ, ପୌର ନିର୍ବାଚନରେ ଅଜିତ-ଶରଦ ନିକଟତର ହୋଇଥିବାରୁ ବିମାନ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ରର ବି ଗନ୍ଧ ବାରିଲେଣି ବିରୋଧୀ ।
Follow Us