ଡେରାଡୁନ: ଥରେ ଭାବିଲେ ଦିନର ସବୁକାମ ସାରି ଟିକେ ବିଶ୍ରାମ ନେବାକୁ, ଦିନ ତମାମର ଧାଁଦୌଡ ଭରା ଜୀବନରେ ଟିକେ ଥକ୍କା ମେଣ୍ଟାଇବାକୁ କିଏ ଶୋଇବାକୁ ଯାଇଥିବେ ପୁଣି କିଏ ନିଘୋଡ଼ ନିଦରେ ଶୋଇଯାଇଥିବେ… ଆଉ ଏତିକି ବେଳେ ରାତିର ଅନ୍ଧାର ଚିରି ମାଡି ଆସିବ ମୃତ୍ୟୁ । ଶୋଇବା ଘରେ ପଶିଯିବ ପ୍ରଳୟ… ଆଉ ନିମିଶକରେ ଛାରଖାର କରିଦେବ ସବୁକିଛି । ଆଖି ଖୋଲିଲା ବେଳକୁ କିଏ ପ୍ରଳୟ ପାଟିରେ ବଞ୍ଚାଅ … ବଞ୍ଚାଅ ବୋଲି ଚିତ୍କାର କରୁଥିବ ତ ପୁଣି କିଏ ଶୋଇଥିବା ବେଳେ ଶବ ପାଲଟିଯାଇଥିବ …
କଥାଟା ଶୁଣିଲା ପରେ ଆଉ ସବୁ ଧାଡିର ଦୃଶ୍ୟପଟ୍ଟକୁ ଆଖି ଆଗକୁ ଆଣିଲା ପରେ ଆପଣଙ୍କୁ ଏହା କେଉଁ ହଲିଉଡ ସିନେମାର ଦୃଶ୍ୟ ପରି ଲାଗୁଥିବ ନିଶ୍ଚିତ... କିନ୍ତୁ ଏହା ସତ ସତିକା ଜୀବନରେ ହୋଇଛି । ଯେଉଁଠି ୧୫ ଦିନ ପୂର୍ବେ ପ୍ରକୃତି ପ୍ରଳୟ ରଚିଥିଲା ପୁଣି ସେଇଠି ୧୫ ଦିନ ପରେ ପ୍ରକୃତି ତାର ବିକଟାଳ ରୂପ ଦେଖାଇଛି । ମଧ୍ୟରାତିରେ ହିଁ ସମସ୍ତେ ଶୋଇଗଲା ପରେ ପ୍ରକୃତି ତାର ରୌଦ୍ରରୂପ ଦେଖାଇ ମହାପ୍ରଳୟ ସୃଷ୍ଟି କରିଛି । ଯେଉଁଥିରେ ପ୍ରଭାବିତ ହୋଇଛି ଉତ୍ତରାଖଣ୍ଡର ଥରାଲି…
/filters:format(webp)/sambad/media/media_files/2025/08/23/4-2025-08-23-20-46-45.jpg)
ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ପାଖାପାଖି… ରାତି ବଢିବା ସହ ବଢିଥିଲା ପ୍ରକୃତିର ତାଣ୍ଡବଲୀଳା । ହଠାତ୍ ଚମୋଲିରେ ଫାଟିଥିଲା ବାଦଲ । ବାଦଲଫଟା ବର୍ଷା ଏତେ ଜୋରରେ ହୋଇଥିଲା ଯେ ସାଙ୍ଗେ ସାଙ୍ଗେ ପାହାଡର ଉପର ମୁଣ୍ଡରୁ କାଦୁଅ ମିଶା ପାଣି ମାଡି ଆସିଥିଲା । ପାଣିର ସୁଅ ଏତେ ପ୍ରଖର ଥିଲା ଯେ ପଥର ବି ଖୁବ୍ ଦ୍ରୁତ ଗତିରେ ପାଣିରେ ମିଶି ଥରାଲିକୁ ଥରାଇ ଦେଇଥିଲା । ପ୍ରକୃତିର ଭୟଙ୍କର ରୂପ ଦେଖି ଥରାଲିବାସୀ ଥରହର ହୋଇଥିବା ବେଳେ ଘରେ, ରାସ୍ତାରେ, ସରକାରୀ ଅଫିସରେ ଏବଂ ବଜାରରେ ମାଡି ଯାଇଥିଲା କାଦୁଅ ମିଶା ପାଣି ।
/filters:format(webp)/sambad/media/media_files/2025/08/23/weghb-2025-08-23-20-46-54.jpg)
ବାଦଲଫଟା ବର୍ଷା କାରଣରୁ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଗଲା । ଥରାଲି ବଜାର, କୋଟଦୀପ ଏବଂ ଥରାଲି ତହସିଲ କମ୍ପ୍ଲେକ୍ସରେ ଥିବା ଏସଡିଏମ୍ ବାସଭବନ ଏବଂ ଅନ୍ୟାନ୍ୟ କୋଠାବାଡ଼ିରେ ପାଣି ପଶିଗଲା । ରାତିରେ ତାଣ୍ଡବଲୀଳା ଏତେ ମାତ୍ରାରେ ଥିଲା ଯେ ରାତି ପାହିବା ବେଳକୁ ପ୍ରଳୟର ପଦଚିହ୍ନ ସବୁଠି ପଡିଥିଲା । କେଉଁଠି ଆବର୍ଜନା ଜାତୀୟ ରାଜପଥ ବନ୍ଦ କରିଥିଲା ତ କେଉଁଠି ପ୍ରଳୟ ପାଟିରେ ଲୋକଙ୍କ ଜୀବନ ଯାଇଥିଲା । ଘରବାଡି, ବଡ ବଡ କୋଠା, କାର, ମାଳମାଳ ବାଇକ୍, ଥରାଲି ବଜାରରେ ସବୁ କାଦୁଅ ପାଣି ପଶିଯାଇଥିଲା ।
ଓଃ ପ୍ରକୃତିର କି କୋପ । କିଛି ଦିନ ତଳେ ଏମିକି ଏକ ଦୃଶ୍ୟ ଧରାଲିରେ ହୋଇଥିବା ବେଳେ ଏବେ ଥରାଲିରେ ପୁନରାବୃତ୍ତି ହୋଇଛି । ବାରମ୍ବାର ଉତ୍ତରାଖଣ୍ଡକୁ ପ୍ରଳୟ ମାଡି ଆସୁଥିବା ବେଳେ ପ୍ରକୃତିର କୋପ ଆଉ ସହି ପାରୁନି ରାଜ୍ୟ । ପ୍ରଳୟ ପରେ ପ୍ରଳୟ.. ପ୍ରାକୃତିକ ବିପତ୍ତି ଉତ୍ତରାଖଣ୍ଡର ପିଛା ଛାଡୁନଥିବା ବେଳେ ସ୍ଥିତି ଟିକେ ସୁଧୁରିଲା ବେଳକୁ ପୁଣି ଏକ ପ୍ରଳୟ ଉତ୍ତରାଖଣ୍ଡର ଅଣ୍ଟାକୁ ଭାଙ୍ଗି ଦେଉଛି । ବିପତ୍ତି ସହ ଲଢି ଲଢି ଉତ୍ତରାଖଣ୍ଡ ଆଖିରୁ ଲୁହ ଶୁଖୁନି.. ଉତ୍ତରାଖଣ୍ଡ ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ସାହସ ପାଉ ଏତିକି ପ୍ରାର୍ଥନା…
Follow Us