ନୂଆଦିଲ୍ଲୀ: ଥରେ ଭାବିଲେ ଦେଶର ରାଜଧାନୀରେ ଯେଉଁଠି ଦିନେ ଚକାଚକ ରାସ୍ତା ଥିଲା ଆଉ ଯେଉଁ ରାସ୍ତା ଉପରେ ଦାମୀ ଗାଡି ମଟର ଧାଉଁଥିଲା ଆଜି ସେ ରାସ୍ତାର ଅବସ୍ଥା କଣ ? ପ୍ରକୃତି ଆଗରେ ସମସ୍ତେ ଅସହାୟ- ମଣିଷ, ପଶୁ, ଆଉ ମଣିଷ ଦ୍ବାରା ନିର୍ମିତ ପ୍ରତିଟି ଜିନିଷ । ନଦୀର ନିର୍ଯାତନା ଆଗରେ ଆଜି ସବୁକିଛି ଛାରଖାର । ରାସ୍ତାରେ ପାଣି, ପାଣିରେ ଚାଲୁଛି ବୋଟ୍ । ଯେଉଁ ରାସ୍ତାରେ ଗାଡ଼ି ଗଡୁଥିଲା ସେଠି ବୋଟ୍ ଚାଲୁଛି- ସମୟ କିଛି ବି କରିଦିଏ ଏ ଘଟଣା ହିଁ ବର୍ଣ୍ଣନା କରୁଛି ।
ରାଜଧାନୀର ଚିକମିକ ସହରରେ ଶାନ୍ତିରେ ନିଦ ଯିବାକୁ ସ୍ବପ୍ନ ଦେଖୁଥିବା ପ୍ରତିଟି ମଣିଷ- କୋଠା ଘରେ ବିଳାସମୟ ଜୀବନ ବିତାଉଥିବା ପ୍ରତିଟି ମଣିଷ ଆଜି ପ୍ରକୃତି ଆଗରେ ଅସହାୟ । ପାଣିର ପ୍ରଳୟ ଆଗରେ ମୁଣ୍ଡ ନୁଆଁଇ ଦେଇଛନ୍ତି । ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହେବା ପରେ ଜୀବନ ଜଳବନ୍ଦୀ ହୋଇଛି । ଘର ଭିତରେ ରହୁଥିବା ଲୋକଙ୍କୁ ଜଳ ବେଘର ବି କରିଛି । ଆଜି ମଣିଷ ପାଣିକୁ ପ୍ରାଣେ ପ୍ରାଣେ ଭୟ କରି ରାସ୍ତା କଡରେ ପାଲ ଟାଣି, ଟ୍ରଲି ଉପରେ ଶୋଉଛି… ସତରେ ସମୟ ଆଉ ପ୍ରକୃତି ଆଗରେ ସବୁ ଗର୍ବ, ଅହଙ୍କାର, ଆଉ ସବୁ ବଡ଼ଲୋକ ପଣିଆ ବି ପାଣିରେ ମିଶିଯାଏ । ଯାହାର ଉଦାହରଣ ଯମୁନା ନଦୀର ଯାତନାରେ ଜର୍ଜରିତ ପ୍ରତିଟି କାହାଣୀ ବଖାଣୁଛି ।
ଦିଲ୍ଲୀବାସୀଙ୍କୁ ଯମୁନା ନାକରେ କନ୍ଦେଇ ଦେଲାଣି । ଏଥର ବନ୍ୟା ଲୋକଙ୍କୁ ଅସହ୍ୟ କଲାଣି । ଲୋକେ ତ୍ରାହି ତ୍ରାହି ଡାକିଲେଣି । ଯମୁନା ନଦୀ ପାଣି ଫୁଲୁଛି, ଘରେ ଘରେ ପଶୁଛି । ୨୦୧୩ ପରେ ଯୁମନା ନଦୀର ଉଗ୍ରରୂପ ଦେଖିବାକୁ ମିଳିଥିବା ବେଳେ ଏହା ସବୁଠାରୁ ଭୟଙ୍କର ଏବଂ ୨୦୧୩ର ରେକର୍ଡ ଭାଙ୍ଗିଛି ଏଥର ଯମୁନା ।
#WATCH | Civil Lines area of Delhi flooded, latest visuals from the area.
— ANI (@ANI) September 4, 2025
Several areas of the city are reeling under flood and waterlogging as the water level of river Yamuna continues to rise following heavy rainfall. pic.twitter.com/oX7EjtZl9c
ପାଣି ବଢୁଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି । ଯମୁନା ବଜାର ଅଂଚଳରେ ଲଗାଯାଇଥିବା ରିଲିଫ କେନ୍ଦ୍ରରେ ବି ପାଣି ପଶିଯାଇଛି । ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ଉଦ୍ଧାର କରି ଏଠାରେ ରଖାଯାଇଥିଲା । ମାତ୍ର ସେଠି ବି ପାଣି ପଶିଛି । ପାଣି ବଢୁଥିବାରୁ ଦିଲ୍ଲୀର ତଳିଆ ଅଂଚଳ ଗୁଡିକରେ ପାଣି ପଶିଯାଇଛି । ପ୍ରଶାସନ ଲୋକଙ୍କୁ ସତର୍କ କରିଛି ଓ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଛି । ଉଦ୍ଧାର କାମ ଜୋରଦାର ଜାରି ରହିଛି । ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଦେଶର ରାଜଧାନୀରେ କିଭଳି ଜୀବନ ଦହଗଞ୍ଜ ହେଉଛି ତାର ଗୋଟି ଗୋଟି ଚିତ୍ର ସାମ୍ନାକୁ ଆସୁଛି ।
ଲଗାଣ ବର୍ଷାରେ ଦିଲ୍ଲୀ ସହର ୩ ଦିନ ହେବ ଅଚଳ ହୋଇଯାଇଛି ଏବଂ ଆଜି ମଧ୍ୟ ବର୍ଷା ଜାରି ରହିଥିବାରୁ ସ୍ଥିତି ବିଗୁଡ଼ୁଛି। ଦିଲ୍ଲୀ-ଏନ୍ସିଆର୍, ପଡ଼ୋଶୀ ନୋଏଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦରେ ଜଳବନ୍ଦୀ ସମସ୍ୟା ସାଂଘାତିକ ରୂପ ନେଇଛି। ଯମୁନା ନଦୀ ଲଗାତାର ଫୁଲୁଥିବାରୁ ଦିଲ୍ଲୀରେ ରାସ୍ତାଘାଟରେ ଏବେ ବନ୍ୟା ପାଣିର ସୁଅ ଛୁଟିଛି। ତଳିଆ ଅଞ୍ଚଳର ଅନେକ ଘର ଜଳମଗ୍ନ ହୋଇଯାଇଛି।
ଗୋଟେ ପଟେ ଜୀବନ ଯମୁନା ଜଳରେ ବନ୍ଦୀ ହୋଇଥିବା ବେଳେ ପ୍ରଶାସନିକ କଳବଳ ବି ବେହାଲ ହୋଇଛି । ସଚିବାଳୟକୁ ଛୁଇଁଛି ବନ୍ୟା ଜଳ । ଦିଲ୍ଲୀ ସରକାରଙ୍କ ଶାସନ ବ୍ୟବସ୍ଥା ଯେଉଁଠୁ ସବୁ ଚାଲେ ସେଠାରେ ଜଳ ଦେଖାଇଛି ତାର ନାଲି ଆଖି । ଖାଲି ସଚିବାଳୟ ନୁହେଁ ବିଭିନ୍ନ ସରକାରୀ ଅଫିସ ପାଣି ଘେରରେ ଥିବା ବେଳେ କଲେଜ ବି ବନ୍ୟା ପାଣିର ପାଟି ଭିତରେ ରହିଛି । ଯମୁନାର ଜଳ ରାସ୍ତାକୁ ବି ନଦୀ ସଜାଇବାକୁ ବସିଲାଣି । ନଈ ଏତେ ଫୁଲୁଛି ରାସ୍ତା ବି ନଈ ପରି ଦିଶୁଛି । ଆଉ ସେଥିରେ ଗାଡ଼ି ମଟର ଯିବା ଆସିବା କରିବା ମୁସ୍କିଲ ହେଉଛି ।
ସେପଟେ ବେଲା ରୋଡରେ ଅଣ୍ଟେ ଯାଏଁ ପାଣି ବଢିଛି । କଲେଜ, ଘର ସବୁ ପାଣି ଘେରରେ ଥିବା ବେଳେ ରାସ୍ତା ଦିଶୁନି । ଅନ୍ୟପଟେ ଅଲିପୁର ଥାନା ଅଞ୍ଚଳରେ ଥିବା ଏନଏଚ-୪୪ରେ ଥିବା ଓଭରବ୍ରିଜରେ ବିରାଟ ଗାତ ସୃଷ୍ଚି ହୋଇଛି । ଫ୍ଲାଏଓଭରର ଖଣ୍ଡେ ଅଂଶ ଦବି ଯିବା ଫଳରେ ରାସ୍ତାରେ ଏକ ଅଟୋ ଦୁର୍ଘଟଣାର ଶିକାର ହୋଇଛି ।
ଅଧିକ ପଢନ୍ତୁ-
ସମୁଦ୍ର ପାଲଟିଛି ସତଲେଜ ! ପାଣିର ଚକ୍ରବ୍ୟୁହରେ ଫସିଛି ପଞ୍ଜାବ, ୭ ତାରିଖ ଯାଏଁ ସ୍କୁଲ-କଲେଜ ଛୁଟି ଘୋଷଣା