ଆଜି ପରି ସେଦିନ ବି ଥିଲା ମଙ୍ଗଳବାର... ଆତଙ୍କୀଙ୍କ ଗୁଳିରେ ମିନି ସୁଇଜରଲ୍ୟାଣ୍ଡ ସାଜିଥିଲା ମୃତ୍ୟୁର ଉପତ୍ୟକା

tuesday

Photograph: (Sambad.in)

ନୂଆଦିଲ୍ଲୀ: ଆଜି ପରି ସେଦିନ ବି ଥିଲା ମଙ୍ଗଳବାର । ୨୨ ଏପ୍ରିଲ ୨୦୨୫... ସମସ୍ତେ ନିଜ ନିଜ ପ୍ରିୟଜନ, ସମ୍ପର୍କୀୟ, ପରିବାର ସହ ବୁଲିଯାଇଥିଲେ ଭାରତର ଭୂସ୍ବର୍ଗ କାଶ୍ମୀର । କିଏ ନିଜ ସ୍ତ୍ରୀକୁ ନେଇ ବିବାହ ପରେ କାଶ୍ମୀର ବୁଲିବାକୁ ଯାଇଥିଲା ତ ପୁଣି କିଏ ନିଜ ବିବାହ ବାର୍ଷିକୀ ପାଳିବାକୁ ଯାଇଥିଲା । କେହି କେହି ହନିମୁଟ ଟ୍ରିପରେ ସୁଇଜରଲ୍ୟାଣ୍ଡ ପ୍ଲାନ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ପହଲଗାମ୍ ବୁଲିଯିବାକୁ ମନସ୍ଥ କରିଥିଲେ । କାଶ୍ମୀରର ବିଭିନ୍ନ ସ୍ଥାନ ବୁଲି ସେଦିନ ପହଲଗାମର ବୈସରଣରେ ଏକାଠି ହୋଇଥିଲେ ପର୍ଯ୍ଯଟକ । ଆଉ ପ୍ରକୃତିର ମଜା ବି ନେଉଥିଲେ... 

କିଏ ମ୍ୟାଗି ସହ ମିନି ସୁଇଜରଲ୍ୟାଣ୍ଡର ମଜା ନେଉଥିଲା ତ କିଏ ଫଟୋ ଉଠାଇ ସୁନ୍ଦରୀ କାଶ୍ମୀରର କୋଳରେ ସୁନ୍ଦର ସ୍ମୃତି ସାଉଣ୍ଟୁଥିଲା ପୁଣି କିଏ ରିଲ୍ସରେ ମାତିଥିଲା ତ କିଏ କାଶ୍ମୀରର ଛାତି ଉପରେ ପ୍ରେମ-ପ୍ରକୃତିର ବିଭୋରତାଭରା କବିତା ଲେଖୁଥିଲା । ନୂଆନୂଆ ବାହା ହୋଇଥିବା ସ୍ତ୍ରୀର କୋଳରେ ଶୋଇ କାଶ୍ମୀରକୁ ଉପଭୋଗ କରୁଥିବା ସ୍ବାମୀଟିଏ ଜୀବନର ପରମ ଶାନ୍ତି ପାଇଯାଇଛି ବୋଲି କିଛି କ୍ଷଣ ଅନୁଭବ କରୁଥିବା ବେଳେ ସେହି ସୁଖ, ସେହି ସ୍ମୃତି ଯେ ସେଇଠି ସରିଯିବ ଆଉ ଶେଷ ସ୍ମୃତି ପାଲଟିଯିବ ନା ସେ ସ୍ବାମୀ ଜଣଙ୍କ ଜାଣିଥିଲେ ନା ସ୍ତ୍ରୀ ଜଣକ । ହଠାତ୍ ସବୁଜ ବନାନୀର ପାଇନ ଗଛ ଭିଡରୁ ବାହାରିଥିଲେ ସୈତାନ ଆଉ ଆଖି ବୁଜା ଗୁଳିମାଡ କରିଥିଲେ । ଠୋ ଠା ଶବ୍ଦରେ କାନ ତାବଦା ହୋଇଯାଇଥିଲା, କେଇ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ମୃତ୍ୟୁର ଉପତ୍ୟକା ପାଲଟିଗଲା । ଆଉ ସବୁଜ ଘାସ ଗାଲିଚାରେ ସବୁଦିନ ପାଇଁ ଗୋଟେ ରକ୍ତାକ୍ତ କାହାଣୀ ଲେଖା ହେଲା । ଭାରତର ଭୂସ୍ବର୍ଗରୁ ଭୟ ଆତଙ୍କର କାହାଣୀ ସାରା ବିଶ୍ବ ଦେଖିଲା ।

ଆତଙ୍କୀଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଗୁଳିମାଡରେ ୨୬ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ । ଗୁଳିମାଡରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅସ୍ତ୍ରଧାରୀ ୫ ଆତଙ୍କୀ । କାହାକୁ ସ୍ତ୍ରୀ ଆଗରେ ମାରିଥିଲେ ତ କାହାକୁ ତା ପିଲା ଆଗରେ ଗୁଳିକରି ହତ୍ୟା କରିଥିଲେ । ବୁଢା ବାପାମାଆ ଆଗରେ ବି ବନ୍ଧୁଧାରୀ ସୈତାନମାନେ ପୁଅର ଜୀବନ ନେଇଥିଲେ । ସବୁଠାରୁ ଲୋକଟାଙ୍କୁରା କଥା କଣ ଜାଣନ୍ତି- ଧର୍ମ ପଚାରି ପଚାରି ଗୁଳିମାରୁଥିଲେ ଆତଙ୍କୀ । ହିନ୍ଦୁ ଧର୍ମର ଲୋକଙ୍କୁ ଖୋଜି ଖୋଜି ମାରୁଥିଲେ । ସେମାନଙ୍କୁ ସେମାନଙ୍କ ଧର୍ମ ପଚାରୁଥିଲେ, କଲମା ପଢିବାକୁ କହୁଥିଲେ,  ସନ୍ଦେହ ହେଲେ ପ୍ୟାଣ୍ଟ ଖୋଲୁଥିଲେ ଏବଂ ତାପରେ ଯଦି ସେମାନେ ଜାଣିବାକୁ ପାଉଥିଲେ ହିନ୍ଦୁ ବୋଲି ତାହାଲେ ଗୁଳି ମାରୁଥିଲେ – ଓଃ କେତେ ନୃଶଂସ ସେମାନେ । 

ଆତଙ୍କୀଙ୍କ ଗୁଳିରେ ସେଦିନ ଟଳିପଡିଥିଲେ ଖାଲି ପୁରୁଷ । କାଶ୍ମୀର ସାଗୁଆ ଭୂଇଁରେ ଭାଙ୍ଗି ଯାଇଥିଲା ଅନେକ ସ୍ତ୍ରୀଙ୍କ ନାଲି ଶଙ୍ଖା, ସୁନ୍ଦରୀ କାଶ୍ମୀର ସେଦିନ ପୋଛି ଦେଇଥିଲା ଅନେକ ସ୍ତ୍ରୀଙ୍କ ମଥାର ସିନ୍ଦୂର । ଆଉ ସେମାନଙ୍କ ବିଧବା ସଜେଇ ଦେଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମୁସଲମାନ ଥିଲେ, ସିଏ ଘୋଡା ଚାଳକ ଥିଲେ, ପର୍ୟ୍ୟଟକଙ୍କୁ ବଞ୍ଚାଇବାକୁ ପ୍ରୟାସ କରିବାରୁ ତାଙ୍କୁ ହତ୍ୟା କରିଥିଲେ ଆତଙ୍କୀ । 

ତେବେ ୟା ଭିତରେ ସେହି ଅମଙ୍ଗଳ ମଙ୍ଗଳବାରକୁ ୮ ଦିନ ପୂରିଛି । ସେଦିନ ଥିଲା ମଙ୍ଗଳବାର ଆଉ ଆଜି ବି ମଙ୍ଗଳବାର । ୟା ଭିତରେ କିନ୍ତୁ ପହଲଗାମ୍ ପ୍ରତିଶୋଧ ସିଧାସଖଳ ନିଆଯାଇନି । ଆତଙ୍କୀଙ୍କୁ ନିପାତ କରାଯାଇନି କି ସେମାନଙ୍କ ମାରିବାକୁ ବଡ ଷ୍ଟ୍ରାଇକ୍ ହୋଇନି । କୂଟନୈତିକ କ୍ଷେତ୍ରରେ ଯାହା ଭାରତ ସରକାର ଆକ୍ସନ ନେଇଛନ୍ତି । ତେବେ ନିଜ ପରିବାରକୁ ହରାଇଥିଲା ଲୋକେ ଆଜି ବି ସେଦିନକୁ ମନେପକାଇ ଭୟରେ କମ୍ପୁଛନ୍ତି କାରଣ ସେମାନଙ୍କ ଆଖି ଆଗରେ ହିଁ ହତ୍ୟା ହୋଇଛି । ଯାହାର ବଦଲା ସେମାନେ ମୋଦୀ ସରକାର ନିଅନ୍ତୁ ବୋଲି ଦାବି କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe