ନୂଆଦିଲ୍ଲୀ: କିଏ ଜାଣିଥିଲା ଯାହା ହାତ ଧରି, ହୋମନିଆଁକୁ ସାକ୍ଷୀ ରଖି ରାଜା ରଘୁବଂଶୀ ସାତ ଜନମର ସାଥି କରିଥିଲେ ସିଏ ହିଁ ତାଙ୍କ ଜୀବନ ନେଇଯିବ ବୋଲି... ଯାହା ସିନ୍ଥିରେ ସିନ୍ଦୂର ପିନ୍ଧାଇ ପତ୍ନୀର ପରିଚୟ ଦେଲେ ସେ ହିଁ ପିଶାଚୀ ପାଲଟି ରକ୍ତ ପିଇଯିବ ବୋଲି... ବିବାହର ମିଛ ନାଟକ କରି ମିଛି ମିଛିକା ହସ ହସି ହତ୍ୟା କରି ସାରା ପରିବାରକୁ କନ୍ଦାଇ ଦେବ ବୋଲି... ସାରା ଦେଶକୁ ଦୋହଲାଇ ଦେଇଛି ହନିମୁନ ହରର ଘଟଣା । ମେଘାଳୟ ରାଜା ରଘୁବଂଶୀ ହତ୍ୟା ଘଟଣା ଏବେ ସବୁଠି ଚର୍ଚ୍ଚାରେ ରହିଛି ।
ସବୁକିଛି ଠିକ୍ ଥିଲା, ହଳଦୀ-ମେହେନ୍ଦୀ ସେରିମନି ହୋଇଥିଲା । ରାଜା ବରଯାତ୍ରୀ ବି ନେଇ ବାହା ହେବାକୁ ଯାଇଥିଲେ... ବଡ ଧୁମ ଧାମରେ ଘୋଡା ଉପରେ ବସି ସାଙ୍ଗଙ୍କ ନାଚ ଦେଖି ଖୁସି ହେଉଥିଲେ । ବେଦୀରେ ବ୍ରାହ୍ମଣ ମନ୍ତ୍ରରେ ଦୁଇ ଜଣଙ୍କ ଶୁଭ ପରିଣୟ ହେଉଥିଲା । ହୋମନିଆଁ, ହାତଗଣ୍ଠି, ସିନ୍ଦୂର ପିନ୍ଧା ସହ ସାତ୍ ଫେରା ବି ହେଲା... ରାଜା ନୂଆ ଜୀବନ ସାଥି ପାଇ ବେଶ୍ ଖୁସିଥିଲେ । ଦୁଇ ପରିବାରର ସହମତିରେ ବିବାହ ହୋଇଥିଲା... ବିବାହ ପରେ ହନିମୁନ ପାଇଁ ପ୍ଲାନ୍ ହେଲା, ରାଜା କାଶ୍ମୀର ଯିବାକୁ ଚାହୁଁଥିଲେ ହେଲେ ସୋନମ ମେଘାଳୟ ସିଲଙ୍ଗ ପ୍ଲାନ କଲେ । ସ୍ତ୍ରୀର ଇଚ୍ଛାକୁ ସମ୍ମାନ ବି ଦେଲେ ରାଜା ଆଉ ବେଡିଂ ବାନ୍ଧି ଦୁହେଁ ମେଘାଳୟ ବାହାରିଲେ...
ସୋନମଙ୍କ ଶାଶୁ ବୋହୂକୁ ସୁନା ଗହଣା ନନେଇ ଯିବାକୁ କହିଥିଲେ ବି ଜିଦ୍ କରି ସୋନମ ସବୁ ସୁନା ଗହଣା ନେଇ ହନିମୁନରେ ଯାଇଥିଲେ । ଯିବାର ଟିକେଟ୍ ହୋଇଥିଲେ ବି ରିଟର୍ଣ୍ଣ ଟିକେଟ୍ ହୋଇନଥିଲା । ଯାହା ସ୍ତ୍ରୀ ସୋନମ ମୃତ୍ୟୁ ଫାଶ ବୁଣୁଥିଲେ ବି ସାଧାସିଧା ଲୋକ ରାଜା କିନ୍ତୁ ଜାଣି ପାରୁନଥିଲେ । ସିଏ ବା କେମିତି ଜାଣିବେ ସ୍ତ୍ରୀ ହନିମୁନ ଟିକେଟ୍ କରିବା ବଦଳରେ ହତ୍ୟା ପାଇଁ ଟିକେଟ୍ କାଟୁଛନ୍ତି ବୋଲି...
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସ୍ଵାମୀଙ୍କ ହତ୍ୟାକୁ ନିଜ ଆଖିରେ ଦେଖିଥିଲେ ସୋନମ୍ । ୨୩ ତାରିଖରେ ରାଜାଙ୍କୁ ହତ୍ୟା କରାଯାଇଥିବା ବେଳେ ୨୨ ତାରିଖରେ ସୁପାରୀ କିଲରଙ୍କ ସହ କଥା ହୋଇଥିଲେ ସୋନମ ଆଉ ହତ୍ୟା ଦିନ ସେ ସ୍ଵାମୀଙ୍କ ଲାଇଭ ମର୍ଡର ଦେଖୁଥିଲେ । ଜୁନ ୨ରେ ଯେତେବଳେ ପୂର୍ବକାଶୀର ଏକ ପାହାଡୀ ଇଲାକାରୁ ରାଜାଙ୍କ ଗଳିତ ମୃତଦେହ ମିଳିଲା ସେତେବେଳକୁ ସୋନମ୍ ନିଖୋଜ ଥିଲେ ।
ଅଧିକ ପଢନ୍ତୁ-
କୁରାଢି କହିଲା ହତ୍ୟା କାହାଣୀ ! ହନିମୁନ ହରର ମାମଲାରେ ସତ ଧରାଇଦେଲା ଧାରୁଆ କୁରାଢି...
ସୋନମଙ୍କୁ ନେଇ ସେତେବେଳେ ଅନେକ କଳ୍ପନା ଜଳ୍ପନା କରାଗଲା । ସ୍ଵାମୀଙ୍କୁ ହତ୍ୟା ହୋଇଥିବା ବେଳେ ସ୍ତ୍ରୀଙ୍କ ସହ କିଛି ସେମିତି କାଣ୍ଡ ହୋଇନି ତ ? ସୋନମଙ୍କୁ ପାହାଡି ଆଦିବାସୀ ଲୋକ ଗଣଦୁଷ୍କର୍ମ କରି ମାରି ଫିଙ୍ଗି ଦେଇ ନାହାନ୍ତି ତ ? ନା ତାଙ୍କୁ ସେଠାରୁ ଅନ୍ୟ ଦେଶକୁ ଚାଲାଣ କରିଦିଆଗଲା ? ସୋନମଙ୍କ ନିଖୋଜକୁ ନେଇ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଶେଷରେ ସ୍ଵାମୀ ହତ୍ୟାର ମାଷ୍ଟରମାଇଣ୍ଡ ନିଜେ ସୋନମ ହିଁ ଥିବା ଜଣା ପଡିଲା ।
ସିସିଟିଭିରେ କଏଦ ହୋଇଛି କି ହତ୍ୟାକାଣ୍ଡ ସ୍ଥଳରୁ ୧୦ କିଲୋମିଟର ଦୂରରେ ସୋନମ ସୁପାରୀ କିଲରଙ୍କ ସହ କଥା ହେଉଛି । ହତ୍ୟା ବେଳେ ସୋନମର ରେନ କୋଟ୍ ଜଣେ ହତ୍ୟାକାରୀ ପିନ୍ଧିଥିଲା ଯେଉଁଥିରେ ରକ୍ତର ଛିଟା ପଡିଥିଲା । ଯାହା ପୋଲିସକୁ ମିଳିଛି । ହତ୍ୟାକାଣ୍ଡ ପାଇଁ କୁରାଢି ଗୌହାଟୀ ରେଳଷ୍ଟେସନ ନିକଟରୁ କିଣାଯାଇଥିଲା ।
ହନିମୁନ ଟ୍ରିପ ଆଳରେ ରାଜାଙ୍କୁ ହତ୍ୟା ନିଜ ପ୍ରେମିକ ସହ ମିଶି ଆଗୁଆ ପ୍ଲାନ କରିଥିଲା ସୋନମ । ଯାହା ଜଳଜଳ ହୋଇ ଜଣାପଡୁଛି । ହନିମୁନ ଟ୍ରିପରେ ଥିବା ବେଳେ ସ୍ଵାମୀଙ୍କ ସହ କୌଣସି ଫଟୋ ସୋନମ୍ ପୋଷ୍ଟ କରିନଥିଲା ବରଂ ସ୍ଵାମୀ ରାଜାଙ୍କ ଆକାଉଣ୍ଟରୁ ସାତ ଜନମର ସାଥୀ ଲେଖି ଏକ ପୋଷ୍ଟ କରିଥିଲା । ହତ୍ୟା ପରେ ନିଜ ପ୍ରେମିକ ସହ ଏକ ରାତି ବିତାଇ ଗାଜିପୁର ଯାଇଥିବା ବେଳେ ସେଠାରେ ପୋଲିସ ସୋନମକୁ ଧରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ବି ଗିରଫ କରିଛି ।
ତେବେ ତମାମ ଘଟଣାକ୍ରମକୁ ଯଦି ଆପଣ ଦେଖିବେ ତେବେ ଜଣେ ନିରିହ ପୁରୁଷ ଉପରେ ଜଣେ ପିଶାଚୀ ନାରୀ ଭାରି ପଡିଗଲା । ପ୍ରେମ ପାଇଁ ମିଛ ସିନ୍ଦୂରର ଖେଳ ଖେଳି ଶ୍ମଶାନ ଯାଏ ସ୍ଵାମୀକୁ ନେଇଗଲା...