The Indian Express
ଚେନ୍ନାଇ : ଦୁବାଇରୁ ମଦୁରାଇକୁ ଆସିବାକୁ ଥିବା ଏକ ସ୍ପାଇସଜେଟ୍ ବିମାନରେ ମଙ୍ଗଳବାର ଦିନ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ସ୍ପାଇସଜେଟ୍ର ବୋଇଂ ବି୭୩୭ ମାସ୍କ ବିମାନର ନୋଜ୍ ହୁଇଲ୍ ଠିକ୍ରେ କାମ ନକରିବା ଯୋଗୁ ବିମାନ ଉଡ଼ାଣ ବିଳମ୍ବ ହୋଇଛି। ଗତ ୨୪ ଦିନରେ ସ୍ପାଇସଜେଟ୍ ବିମାନରେ ଏହା ନବମ ଯାନ୍ତ୍ରିକ ତ୍ରୁଟି। ବିମାନଟି ସୋମବାର ପ୍ରଥମେ ମାଙ୍ଗାଲୁରୁରୁ ଦୁବାଇ ଯାତ୍ରା କରିଥିଲା। ସେଠାରେ ଅବତରଣ କରିବା ପରେ ଜଣେ ଇଞ୍ଜିନିୟର ବିମାନଟିର ଯାଞ୍ଚ କରିଥିଲେ। ସେହି ସମୟରେ ସେ ଜାଣିବାକୁ ପାଇଥିଲେ ଯେ ବିମାନର ନୋଜ୍ ହ୍ବିଲ୍ ଷ୍ଟ୍ରଟ୍ ଅତ୍ୟଧିକ ଚାପି ହୋଇଯାଇଛି। ଏହାପରେ ଇଞ୍ଜିନିୟର ଜଣକ ବିମାନକୁ ନଉଡ଼ାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସ୍ପାଇସଜେଟ୍ କର୍ତ୍ତୃପକ୍ଷ ମୁମ୍ବାଇରୁ ଦୁବାଇକୁ ଅନ୍ୟ ଏକ ବିମାନ ପଠାଇଥିଲେ। ସେଥିରେ ଦୁବାଇରୁ ମଦୁରାଇକୁ ଯାତ୍ରୀମାନେ ଆସିଥିଲେ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଅଧିକାରୀମାନେ କହିଛନ୍ତି।
ପରବର୍ତ୍ତୀ ସମୟରେ ଏୟାରଲାଇନ୍ସ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇ ଶେଷ ମୁହୂର୍ତ୍ତରେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମ୍ବଳ ଉଡ଼ାଣ ବିଳମ୍ବ ହେଲା ବୋଲି କୁହାଯାଇଥିଲା। ଜୁନ୍ ୧୯ ଠାରୁ ସ୍ପାଇସଜେଟ୍ ବିମାନରେ ବାରମ୍ବର ବୈଷୟିକ ତ୍ରୁଟି ଦେଖାଦେଉଥିବାରୁ ଡିଜିସଏ ପକ୍ଷରୁ କମ୍ପାନିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଚଳିତମାସ ୨ ତାରିଖରେ ଦିଲ୍ଲୀରୁ ଜବଲପୁରକୁ ଯାତ୍ରା କରୁଥିବା ଏକ ବିମାନ ୫୦୦୦ ଫୁଟ ଉପରେ ଉଡ଼ୁଥିବା ସମୟରେ କ୍ୟାବିନ ଭିତର ଧୂଆଁମୟ ହୋଇଯାଇଥିଲା। ଏହାପରେ ବିମାନଟି ପୁନର୍ବାର ଦିଲ୍ଲୀ ଫେରିଯାଇଥିଲା।
Follow Us