Image Courtesy: Et Times
ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ଦିନ କିଛି ସମୟ ପାଇଁ କିଛି ସ୍ପାଇସ୍ ଜେଟ୍ ବିମାନ ଚଳାଚଳ ବନ୍ଦ ରହିଥିଲା। କାରଣ, ସ୍ପାଇସ୍ ଜେଟ୍ ସଂସ୍ଥାର ବିମାନ ସେବା ପକ୍ଷରୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)କୁ ଦୈନିକ ଦେୟ ପ୍ରଦାନରେ ବିଳମ୍ବ ହୋଇଥିଲା ବୋଲି ସୂତ୍ରରୁ ପ୍ରକାଶ।
ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ ସଫ୍ଟେଓ୍ଵୟାରରେ ତ୍ରୁଟି ହେତୁ ଦୈନିକ ଦେୟ ବିଳମ୍ବ ହୋଇଥିଲା ଏବଂ ବିମାନଗୁଡ଼ିକ ବର୍ତ୍ତମାନ ସାଧାରଣ ଭାବରେ କାର୍ଯ୍ୟ କରୁଛି।
୨୦୨୦ରେ ଏଏଆଇ ସ୍ପାଇସ୍ ଜେଟ୍କୁ ନଗଦ ଏବଂ ବହନ (କ୍ୟାସ୍ ଆଣ୍ଡ କ୍ୟାରି) ଆଧାରରେ ରଖିଥିଲା। କାରଣ ସ୍ପାଇସ୍ ଜେଟ୍ ଏୟାରଲାଇନ୍ସ ଏହାର ପୂର୍ବ ଦେୟ ପୈଠ କରିବାରେ ଅସମର୍ଥ ଥିଲା। ନଗଦ ଏବଂ କ୍ୟାରି ମଡେଲରେ, ବିମାନ ଚଳାଚଳ ପାଇଁ ଏୟାରଲାଇନ୍ସକୁ ବିଭିନ୍ନ ଦେୟ- ନାଭିଗେସନ୍, ଲ୍ୟାଣ୍ଡିଂ, ପାର୍କିଂ- ଏବଂ ଅନ୍ୟ କେତେକ ସୁବିଧା ପାଇଁ ଏଏଆଇକୁ ଦୈନିକ ଦେୟ ଦେବାକୁ ପଡିଥାଏ।
ଶୁକ୍ରବାରର ଘଟଣା ବିଷୟରେ ପଚରାଯିବାରୁ ସ୍ପାଇସ୍ ଜେଟ୍ ମୁଖପାତ୍ର କହିଛନ୍ତି, ଏସଏପିରେ ବୈଷୟିକ ତ୍ରୁଟି ହେତୁ ସ୍ୱୟଂଚାଳିତ ଦୈନିକ ଦେୟ ପ୍ରକ୍ରିୟା ସମ୍ଭବ ହୋଇପାରି ନଥିଲା। ଏଏଆଇକୁ ବର୍ତ୍ତମାନ ମାନୁଆଲ୍ ଭାବରେ ଦେୟ ପୈଠ କରାଯାଉଛି ଏବଂ ଏ ପ୍ରସଙ୍ଗରେ ତାଙ୍କୁ ଅବଗତ କରାଯାଇଛି। ସ୍ପାଇସ୍ ଜେଟ୍ର ବିମାନ ଚଳାଚଳ ବର୍ତ୍ତମାନ ସ୍ୱାଭାବିକ ଭାବେ ଜାରି ରହିଛି ବୋଲି ମୁଖପାତ୍ର କହିଛନ୍ତି।
Follow Us