Image Courtesy of India Today
ନୂଆଦିଲ୍ଲୀ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନ କଂପାନି ସ୍ପାଇସ୍ଜେଟ୍ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜ ଅଂଶଧନ ବିକ୍ରି କରିବା ଉପରେ ବିଚାର କରୁଛି। ଏଥିପାଇଁ ମଧ୍ୟ ପ୍ରାଚ୍ୟର ଏକ ସଂସ୍ଥା ସହ ଆଲୋଚନା ମଧ୍ୟ ହୋଇଛି। ପାଣ୍ଠି ଲାଗି ନିବେଶକମାନଙ୍କ ସହ ଏଭଳି ଆଲୋଚନା ଜାରି ରହିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ନିକଟରେ ସ୍ପାଇସ୍ଜେଟ୍ର ବିମାନଗୁଡ଼ିକ ମଝି ଆକାଶରେ ଉଡ଼ୁଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଚର୍ଚ୍ଚାରେ ରହିଥିଲା। କେବଳ ସ୍ପାଇସ୍ଜେଟ୍ର ୮ଟି ବିମାନରେ ଏଭଳି ଘଟଣା ଘଟିଥିଲା। ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ କଂପାନିକୁ ନେଇ ୪୮ ଥର ସ୍ପଟ୍ ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ କଂପାନିର ଆର୍ଥିକ ସ୍ଥିତି ଆଦୌଁ ଭଲ ନାହିଁ। କେବଳ ଯେତିକି ଆବଶ୍ୟକ ସେତିକି ଟଙ୍କାରେ ନିତିଦିନିଆ କାମ ଚାଲୁଛି।
ସ୍ପାଇସ୍ଜେଟ୍ରେ ଏହାର ମୁଖ୍ୟ ଅଜୟ ସିଂହଙ୍କ ୬୦% ଅଂଶଧନ ରହିଛି। କଂପାନିର ୨୪% ଅଂଶଧନ ମଧ୍ୟପ୍ରାଚ୍ୟର ଏକ ବିମାନ କଂପାନିକୁ ବିକ୍ରି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଦେଶର ଏକ ବଡ଼ ସଂସ୍ଥା ମଧ୍ୟ ସ୍ପାଇସ୍ଜେଟ୍ର ଅଂଶଧନ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ପ୍ରବାସୀ ଭାରତୀୟ ଭୁଲୋ କନସାଗ୍ରାଙ୍କ ସହ ମିଶି ୨୦୦୪-୦୫ରେ ଅଜୟ ସ୍ପାଇସ୍ଜେଟ୍କୁ ଆରମ୍ଭ କରିଥିଲେ। ଏହା ଦେଶରେ ୫୧ଟି ସ୍ଥାନକୁ ବିମାନ ସେବା ପ୍ରଦାନ କରୁଛି। କିଛି ବର୍ଷ ପୂର୍ବେ ଏହି ସଂସ୍ଥା ବନ୍ଦ ହେବା ଦ୍ବାରଦେଶରେ ପହଞ୍ଚିଯାଇଥିଲା। ମାତ୍ର ଠିକ୍ ସମୟରେ ଅଜୟ ପାଣ୍ଠି ଯୋଗାଡ଼ କରି ଦେବାରୁ ବନ୍ଦ ହେବାରୁ କଂପାନି ରକ୍ଷା ପାଇଯାଇଥିଲା। ଏବେ ପୁଣି ସେଭଳି ସ୍ଥିତି ସୃଷ୍ଟି ହୋଇଛି।
Follow Us