ଅଠର ନିଷ୍ପତ୍ତିରେ ସରକାର ଅଟଳ, ରାଜ୍ୟ ସଂଘ ସହ କ୍ରୀଡ଼ା ବିଭାଗର ଆଲୋଚନା

ଅଠର ନିଷ୍ପତ୍ତିରେ ସରକାର ଅଟଳ, ରାଜ୍ୟ ସଂଘ ସହ କ୍ରୀଡ଼ା ବିଭାଗର ଆଲୋଚନା

ଭୁବନେଶ୍ବର: କ୍ରୀଡ଼ା ଛାତ୍ରାବାସର ପ୍ରସ୍ତାବିତ ପୁନର୍ଗଠନକୁ ନେଇ ଉଠିଥିବା ବିବାଦ, ବିତର୍କ ଓ ବିରୋଧ ପରିପ୍ରେକ୍ଷୀରେ ସୋମବାର ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆହୂତ ଏକ ଦିନିକିଆ ବୈଠକରେ ବହୁ ରାଜ୍ୟ କ୍ରୀଡ଼ା ସଂଘର ସଭାପତି ଓ ସମ୍ପାଦକମାନେ ଆଲୋଚନା କରିଥିଲେ। କିନ୍ତୁ ଯେଉଁ ଗୋଟିଏ ପ୍ରସଙ୍ଗକୁ ନେଇ ବିରୋଧ ଅଧିକ ତାହାକୁ ନେଇ ସରକାର ଅଟଳ ରହିଛନ୍ତି। କ୍ରୀଡ଼ା ଛାତ୍ରାବାସରେ ଏଣିକି ୧୮ ବର୍ଷରୁ ଊର୍ଧ୍ବ ବୟସ ବର୍ଗର ଖେଳାଳିମାନେ ବିନା ପ୍ରଦର୍ଶନରେ ରହିପାରିବେ ନାହିଁ। ଖେଳାଳିଙ୍କ ବୟସ ୧୮ ହୋଇଗଲେ ସେମାନଙ୍କ ଉନ୍ନତ ପ୍ରଦର୍ଶନ ଭିତ୍ତିରେ ରହିବେ ଏବଂ ଉଚ୍ଚତ୍ତର ତାଲିମରେ ସାମିଲ ହେବେ। କିନ୍ତୁ ଏହି ବୟସବର୍ଗ ପରବର୍ତୀ ବିତାଡ଼ିତ ଖେଳାଳିଙ୍କ ସମ୍ପର୍କରେ କିଛି କୁହାଯାଇନାହିଁ।

ବୈଠକ ପରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ‘କ୍ରୀଡ଼ା ଛାତ୍ରାବାସ ପୁନର୍ଗଠନ ପରେ ଏହା ରାଜ୍ୟ କ୍ରୀଡ଼ାକୁ ଦୃଢ଼ିଭୂତ କରିବ। ପ୍ରଦର୍ଶନ ଭିତ୍ତିରେ ୧୮ ବ‌ର୍ଷରୁ ଊର୍ଧ୍ବ ବୟସ ଅନ୍ତେବାସୀଙ୍କୁ ରଖାଯିବ। ସମସ୍ତ ବର୍ଗରେ ପ୍ରତିଭା ଚିହ୍ନଟ ଓ ତାଲିମ ପରେ ଓଡ଼ିଆ ଖେଳାଳିମାନେ କିଭଳି ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ସରେ ଚମକ ଦେଖାଇବେ ସେ ନେଇ ଯୋଜନା ହେଉଛି।’। କ୍ରୀଡ଼ା ଛାତ୍ରାବାସ ଗୁଡିକୁ ଏକାଡେମିରେ ପରିଣତ କରି ଆବାସିକ ଏବଂ ଅଣଆବାସିକ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଶିକ୍ଷକଙ୍କ ଦ୍ବାରା ତାଲିମ ପ୍ରଦାନ କରାଯିବ ବୋଲି ମଧ୍ୟ ଶ୍ରୀ ବେହେରା ପ୍ରକାଶ କରିଥିଲେ। ସରକାରଙ୍କ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ ଏବଂ ପ୍ରସ୍ତାବଗୁଡିକ ରାଜ୍ୟ ସଂଘଦ୍ବାରା ଗ୍ରହଣୀୟ ହୋଇଛି ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରଦତ୍ତ ଏକ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି। କ୍ରୀଡ଼ାନୀତି ଲାଗି ପ୍ରସ୍ତୁତ ଚିଠା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ‘ପ୍ରଦର୍ଶନ ଆକଳନ ଭିତ୍ତିରେ ୧୮ ବର୍ଷରୁ ଊର୍ଧ୍ବ ପିଲାଙ୍କ ବହିସ୍କାର କେବଳ ବ୍ୟକ୍ତିଗତ କ୍ରୀଡ଼ାରେ ହେବ, ଦଳଗତ କ୍ରୀଡ଼ାରେ ନୁହେଁ' ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ବୈଠକରେ ଭଲିବଲ୍‌ ଓ ବାସ୍କେଟ୍‌ବଲ୍‌ର ପ୍ରତିନିଧିତ୍ବ କରିଥିବା ଡକ୍ଟର ଗଗନେନ୍ଦୁ ଦାଶ।

ଏହି ବୈଠକ ଅବସରରେ କ୍ରୀଡ଼ା ନୀତି ସମ୍ପର୍କିତ ଚିଠା ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା। ସଚିବ ବିଶାଲ କୁମାର ଦେବ ଏବଂ ନିର୍ଦେଶକ ଭିନିଲ କ୍ରିଷ୍ଣାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ାବିତ୍‌ଙ୍କୁ ଉଚିତ୍ ଦିଗଦର୍ଶନ ଦେବାରେ ସମ୍ପୃକ୍ତ ବିଭାଗ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ମଧ୍ୟ ଦାବି କରାଯାଇଛି। ସେହିଭଳି କୌଣସି କ୍ରୀଡ଼ା ଛାତ୍ରାବାସ ଉଠିଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା କ୍ରୀଡ଼ା ବିଭାଗର ଜଣେ କର୍ମକର୍ତା ପ୍ରକାଶ କରିଛନ୍ତି। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଦ୍ମଶ୍ରୀ ଦିଲୀପ ତିର୍କି (ଓଡ଼ିଶା ହକି ବିକାଶ ପରିଷଦ ଅଧ୍ୟକ୍ଷ)ଙ୍କ ସହ ରାଜ୍ୟ ଅଲିମ୍ପିକ୍ ସଂଘ, ଫୁଟ୍‌ବଲ ଆସୋସିଏସନ୍‌ ଅଫ୍‌ ଓଡ଼ିଶା, ଓଡ଼ିଶା ଭଲିବଲ୍ ସଂଘ, ହକି ଓଡ଼ିଶା, ଓଡ଼ିଶା ବାସ୍କେଟବଲ୍‌ ସଂଘ, ଓଡ଼ିଶା ଦୌଡ଼କୁଦ ସଂଘ, ଓଡ଼ିଶା କବାଡ଼ି ସଂଘ, ଓଡ଼ିଶା ତୀରନ୍ଦାଜି ସଂଘ, ଓଡ଼ିଶା ଖୋ ଖୋ ସଂଘର ସଭାପତି/ସମ୍ପାଦକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe