Image Courtesy of India Today
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲିଥିବା ‘ଟ୨୦ ବିଶ୍ବକପ୍’ରେ ଶ୍ରୀଲଙ୍କା ଟିମ୍ର ଅନ୍ୟତମ ଖେଳାଳି ଧନୁଷ୍କ ଗୁଣତିଳକେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା କଥା ଆଜି ତାଙ୍କ ଟିମ୍ସୂତ୍ରରୁ ଜଣାପଡ଼ିଛି।
ନଭେମ୍ବର ୨ ତାରିଖରେ ଜଣେ ମହିଳାଙ୍କୁ ଯୌନଉତ୍ପୀଡ଼ ଦେଇଥିବା ଅଭିଯୋଗର ତଦନ୍ତ କରାଯିବା ପରେ ଗତରାତିରେ ୩୧ ବର୍ଷିୟ ଗୁଣତିଳକେଙ୍କୁ ଗିରଫ କରାଯାଇ ସିଡ୍ନି ଥାନାକୁ ନିଆଯାଇଛି।
ଶ୍ରୀଲଙ୍କା ଟିମ୍ ସହିତ ସମ୍ପୃକ୍ତ ଥିବା ଗୋଟାଏ ସୂତ୍ର ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି, ଦୁଷ୍କର୍ମ ଅଭିଯୋଗରେ ଧନୁଷ୍କ ଗୁଣତିଳକେ ଗିରଫ ହୋଇଛନ୍ତି। ତାଙ୍କୁ ନ ଆଣି ପାରି ଶ୍ରୀଲଙ୍କା ଟିମ୍ ଅଷ୍ଟ୍ରେଲିଆରୁ ପ୍ରତ୍ୟାବର୍ତ୍ତନ କରିଛି।
ସୂଚନାଯୋଗ୍ୟ, ରବିବାର ଦିନ ଇଂଲଣ୍ଡ୍ଠାରୁ ପରାସ୍ତ ହେବା ପରେ ଶ୍ରୀଲଙ୍କା ଟିମ୍ ଉକ୍ତ ଟୁର୍ଣ୍ଣାମେଣ୍ଟ୍ରୁ ବାଦ ପଡ଼ିଛି।
ବାମହାତି ବ୍ୟାଟ୍ସ୍ମ୍ୟାନ୍ ଗୁଣତିଳକେ ‘ଟି୨୦ ବିଶ୍ବକପ୍’ ମ୍ୟାଚ୍ର ପ୍ରଥମ ରାଉଣ୍ଡ୍ରେ ନାମିବ୍ୟା ବିପକ୍ଷରେ ଖେଳି ବିନା ରନ୍ରେ ଆଉଟ୍ ହୋଇଯାଇଥିଲେ। ପରେ ଆହତ ହେବା କାରଣରୁ ସେ ଶ୍ରୀଲଙ୍କା ଟିମ୍ରୁ ବାଦ୍ ପଡ଼ିଥିଲେ।
Image Courtesy of NDTVଜଣେ ଅନାମିତ ଶ୍ରୀଲଙ୍କୀୟ ନାଗରିକଙ୍କ ଗିରଫଦାରି ପ୍ରସଙ୍ଗରେ ନିଉ ସାଉଥ୍ ୱେଲ୍ଜ୍ ପୁଲିସ ତା’ର ୱେବ୍ସାଇଟ୍ରେ ମଧ୍ୟ ଉଲ୍ଲେଖ କରିଛି। ଏଥିରେ ଉଲ୍ଲେଖ ଅଛି, ଗତ ସପ୍ତାହରେ ସିଡ୍ନିର ପୂର୍ବ ପ୍ରାନ୍ତରେ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଇଥିବା ଅଭିଯୋଗର ତଦନ୍ତ ପରେ ‘ସେକ୍ସ୍ କ୍ରାଇମ୍ ସ୍କ୍ବାଡ୍’ର ଗୁଇନ୍ଦାମାନେ ଜଣେ ଶ୍ରୀଲଙ୍କୀୟ ନାଗରିକଙ୍କୁ ଅଭିଯୁକ୍ତ କରିଛନ୍ତି।
ସବିଶେଷ ବିବରଣ ଅନୁସାରେ, ସେ ରୋଜ୍ ବେ’ସ୍ଥିତ ଏକ ବାସଭବନରେ ଜେଣ ୨୯ ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ‘ଅନ୍ଲାଇନ୍ ଡେଟିଙ୍ଗ୍ ଆପ୍’ କେତେ ଦିନ ଧରି ଭାବବିନିମୟ କରିବା ପରେ ମହିଳାଜଣକ ଉକ୍ତ ବ୍ୟକ୍ତିଙ୍କୁ ଭେଟିଥିଲେ। ୨୦୨୨ ନଭେମ୍ବର ୨ ତାରିଖ ସନ୍ଧ୍ୟା ବେଳେ ସେ ବ୍ୟକ୍ତିଜଣଙ୍କ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି।
ଗତକାଲି ଘଟଣାସ୍ଥଳରେ ତଦନ୍ତ କରାଯିବା ପରେ ରାତି ଗୋଟାଏ ପୂର୍ବରୁ ସସେକ୍ସ୍ ଷ୍ଟ୍ରିଟ୍ରେ ଥିବା ଗୋଟାଏ ହୋଟେଲ୍ରୁ ଉକ୍ତ ୩୧ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
କିନ୍ତୁ, ଶ୍ରୀଲଙ୍କା କ୍ରିକେଟ୍ ଏପର୍ଯ୍ୟନ୍ତ ଏହି ଘଟଣା ସଂକ୍ରାନ୍ତରେ କୌଣସି ବିବୃତି ଜାରି କରିନାହିଁ।
Follow Us