Image Courtesy of Onlanka News
କଲମ୍ବୋ: ଯେତେ ଅଧିକ ସମ୍ଭବ ସାହାଯ୍ୟ କରିବା ପାଇଁ ଶ୍ରୀଲଙ୍କାର ବିରୋଧୀ ଦଳର ନେତା ସଜିତ ପ୍ରେମଦାସା ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।
୧୯୪୮ରେ ସ୍ବାଧୀନ ହୋଇଥିବା ଦ୍ବୀପଦେଶ ଶ୍ରୀଲଙ୍କାରେ ପୂର୍ବରୁ କେବେ ଏତେ ଉତ୍କଟ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ଦେଶର ବୈଦେଶିକ ମୁଦ୍ରା ରିଜର୍ଭ ନିଃଶେଷ ହୋଇ ଆସୁଥିବା ବେଳେ ଖାଦ୍ୟ ଓ ଇନ୍ଧନର ଘୋର ଅଭାବ ଦେଖା ଦେଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଉଦ୍ଦିଷ୍ଟ ବାର୍ତ୍ତାରେ ପ୍ରେମଦାସା କହିଛନ୍ତି, ଦୟାପୂର୍ବକ ଶ୍ରୀଲଙ୍କାକୁ ଯେତେ ଅଧିକ ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଶ୍ରୀଲଙ୍କା ଆମର ମାତୃଭୂମି। ମାତୃଭୂମିକୁ ରକ୍ଷା କରିବା ଆମର କର୍ତ୍ତବ୍ୟ।
Image Courtesy of Newsfirst.lkପ୍ରେମଦାସା ଯୁକ୍ତିବାଢ଼ିଛନ୍ତି ଯେ, ଶ୍ରୀଲଙ୍କାରେ ନୂଆ ଧରଣର ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ। ଏହି ପରିବର୍ତ୍ତନ ଶ୍ରୀଲଙ୍କାବାସୀଙ୍କୁ ଆଶ୍ବସ୍ତି ଦେବ, ରାଜନେତାମାନଙ୍କୁ ନୁହେଁ। ସେ କହିଛନ୍ତି, ରାଜନୀତି ‘ମ୍ୟୁଜିକ୍ ଚେୟାର୍’ ଭଳି ଖେଳ ନୁହେଁ ଯେ, ରାଜନେତାମାନେ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରି ପକାଇବେ।
ସେପଟେ, ଜାତୀୟ ସଙ୍କଟର ସମାଧାନ ଉପାୟ ବାହାର କରିବା ଲାଗି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ମିଳିତ ସରକାରରେ ଯୋଗ ଦେବାକୁ ବିରୋଧୀ ଦଳମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ସାମ୍ପ୍ରତିକ ସଙ୍କଟ ପାଇଁ କେତେକ ଅର୍ଥନୈତିକ ଏବଂ ବୈଶ୍ବିକ କାରଣ ଦାୟୀ ବୋଲି ସବୁ ରାଜନୈତିକ ଦଳମାନଙ୍କୁ ଲେଖିଥିବା ପତ୍ରରେ ରାଜପକ୍ଷେ ଉଲ୍ଲେଖ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଏସିଆର ଅନ୍ୟତମ ଅଗ୍ରଣୀ ଗଣତନ୍ତ୍ର ହୋଇଥିବାରୁ ଗଣତାନ୍ତ୍ରିକ ଉପାୟରେ ଏହି ସଙ୍କଟର ସମାଧାନ କରାଯିବା ଉଚିତ। ନାଗରିକ ଓ ଭବିଷ୍ୟତ ପିଢ଼ିଙ୍କ ଉପକାର ନିମନ୍ତେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ।
Follow Us