Image Courtesy of India Today
କୋଇମ୍ବାଟୁର୍: କୋଇମ୍ବାଟୁର୍ସ୍ଥିତ ଥଇଥାନ ଶିବିରରେ ବାସ କରୁଥିବା ଜଣେ ଶ୍ରୀଲଙ୍କୀୟ ତାମିଲ୍ ଶରଣାର୍ଥିନୀ ଶୁକ୍ରବାର ଦିନ ଏରୋଡ୍ ଅଞ୍ଚଳର ସତ୍ୟମଙ୍ଗଳମ ବସ୍ ଷ୍ଟାଣ୍ଡ୍ ନିକଟ ରାସ୍ତାରୁ ପାଇଥିବା ୪୦, ୦୦୦ ଟଙ୍କା ଫେରସ୍ତ କରିଦେଇଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ୫୫ ବର୍ଷୀୟ ରାଜେଶ୍ବରୀ ରାସ୍ତାରୁ ଗୋଟାଏ ପାର୍ସଲ୍ ଓ ଟଙ୍କା ପାଇଥିଲେ। ଗୋକୁଳ ନାମରେ ଜଣେ ୨୧ ବର୍ଷିୟ ଯୁବକଙ୍କ ସହାୟତାରେ ସେ ପାଇଥିବା ଟଙ୍କାକୁ ସତ୍ୟମଙ୍ଗଳମ୍ ଥାନାକୁ ହସ୍ତାନ୍ତର କରିଛନ୍ତି।
ଉପଯୁକ୍ତ ପ୍ରମାଣ ସହ ଥାନାରେ ପହଞ୍ଚି ଟଙ୍କା ହଜାଇ ଥିବା ବ୍ୟକ୍ତିଜଣକ ଟଙ୍କା ନେଇଯାଇ ପାରିବେ ବୋଲି ଜଣାଇ ପୁଲିସ ‘ହ୍ବାଟସ୍ଆପ୍’ରେ ମେସେଜ୍ ସେୟାର୍ କରିଥିଲା।
Image Courtesy of India Todayଏହାର କିଛି ସମୟ ପରେ ଗୁଣସିଂହମ୍ ନାମରେ ଜଣେ ବ୍ୟକ୍ତି ଆସି ଥାନାରେ ପହଞ୍ଚିଲେ। ସେ ପୁଲିସକୁ କହିଲେ ଯେ, କ୍ୟାଣ୍ଡି ଦୋକାନ ଖୋଲିଥିବା ଜୋଶୁଭ ନାମରେ ତାଙ୍କର ଜଣେ ୬୧ ବର୍ଷିୟ ବନ୍ଧୁ ଉକ୍ତ ଟଙ୍କା ହଜାଇ ଦେଇଥିଲେ।
ଅନ୍ତଃସତ୍ତ୍ବା ଝିଅର ଚିକିତ୍ସା ନିମନ୍ତେ ଜୋଶୁଭ ସେ ଟଙ୍କା ଗୁଣସିଂହମ୍ଙ୍କଠାରୁ କରଜ ନେଇଥିଲେ। ଘଟଣାକୁ ତନ୍ନତନ୍ନ କରି ବୁଝିବା ପରେ ଶନିବାର ଦିନ ପୁଲିସ ଉକ୍ତ ଟଙ୍କାକୁ ଜୋଶୁଭଙ୍କୁ ଦେଇଛି।
ସାଧୁତା ନିମନ୍ତେ ପୁଲିସ ରାଜେଶ୍ବରୀ ଓ ଗୋକୁଳଙ୍କୁ ପ୍ରଶଂସା କରିବା ସହ ସମ୍ମାନିତ କରିଛି।
Follow Us