ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା: ରାତି ୯.୩୦ ସୁଦ୍ଧା ଭାରତ ପହଞ୍ଚିବ ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ପାର୍ଥିବ ଶରୀର

Advertisment
ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା: ରାତି ୯.୩୦ ସୁଦ୍ଧା ଭାରତ ପହଞ୍ଚିବ ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ପାର୍ଥିବ ଶରୀର

Bollywood Hungama

ଦୁବାଇ: ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଦୁବାଇ ପୋଲିସ୍‌ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିଛି ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦୁବାଇସ୍ଥିତ ଭାରତୀୟ ଦୂତାବାସର ଅଧିକାରୀଙ୍କ ସହଯୋଗରେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁର ଓ ପୁତ୍ର ଅର୍ଜୁନ କାପୁର ଶବ ସଂରକ୍ଷଣ ଗୃହ (ମର୍ଗ)ରୁ ତାଙ୍କ ପାର୍ଥିର୍ବ ଶରୀରକୁ ନେଇ ଏବେ ଶବ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବା ପାଇଁ ଏମ୍ବାଲିଂ ସେଣ୍ଟରକୁ ନେଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପାଇଁ ପ୍ରାୟ ଦେଢ଼ରୁ ଦୁଇଘଣ୍ଟା ସମୟ ଲାଗିବ। ଏହାପରେ କାପୁର ପରିବାର ଦୁବାଇ ବିମାନ ବନ୍ଦରକୁ ଯିବେ ଏବଂ ସେଠାରୁ ଏକ ଚାର୍ଟଡ୍‌ ଫ୍ଲାଇଟ୍‌ରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ କଫିନ୍‌ରେ ଧରି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ରାତି ୯.୩୦ ସୁଦ୍ଧା ଶ୍ରୀଦେବୀଙ୍କ ପାର୍ଥିବ ଶରୀର ମୁମ୍ବାଇରେ ପହଞ୍ଚିବ ବୋଲି ଜଣା ପଡ଼ିଛି।

publive-image economictimes.indiatimes.com

ଦୁବାଇରୁ ପ୍ରକାଶିତ ସମ୍ବାଦପତ୍ର ‘ଖଲିଜ ଟାଇମ୍‌ସ’ରେ ପ୍ରକାଶିତ ରିପୋର୍ଟ ମୁତାବକ ୨୪ ତାରିଖ ରାତିରେ ଦୁବାଇସ୍ଥିତ ଜୁମୈରା ଏମିରେଟ୍‌ସ ଟାଓ୍ଵାର ହୋଟେଲ୍‌ର ବାଥ୍‌ରୁମ୍‌ରେ ଥିବା ବାଥ୍‌ଟବ୍‌ରେ ଶ୍ରୀଦେବୀ ଅଚେତ ହୋଇ ପଡ଼ିଯାଇଥିଲେ। ପରେ ଏହି ଘଟଣାରେ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ କରିଛି। ଏଥିସହ ଏହି ଅଘଟଣ ବେଳେ ଶ୍ରୀଦେବୀ ନିଶାସକ୍ତ ଅବସ୍ଥାରେ ଥିବା ବ୍ୟବଚ୍ଛେଦରିପୋର୍ଟରେ କୁହାଯାଇଥିଲା। ତେବେ, ଏହି ଫରେନସିକ୍‌ ରିପୋର୍ଟ ମିଳିବା ପରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣା ରହସ୍ୟଜନକ ହୋଇପଡ଼ିଥିଲା। କାରଣ ତାଙ୍କ ପରିବାର ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସମସ୍ତ ଘଟଣାକ୍ରମ ଭିତରେ ସମଗ୍ର ଘଟଣା ରହସ୍ୟ ଭିତରକୁ ଯାଉଥିବାରୁ ଦୁବାଇ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିଥିଲା। ଶେଷରେ ଏହି ମାମଲା ଦୁବାଇ କୋର୍ଟକୁ ଯାଇଥିଲା। ତେବେ ଅଦାଲତଙ୍କ ଚୂଡ଼ାନ୍ତ ଶୁଣାଣି ପରେ ପୋଲିସ୍‌ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ତାଙ୍କ ପରିବାରବର୍ଗଙ୍କୁ ଆଜି ଅପରାହ୍ନରେ ହସ୍ତାନ୍ତର କରିବା ସହ ଏହି ମାମଲାର ତଦନ୍ତ ବନ୍ଦ କରିଛି ବୋଲି ଘୋଷଣା କରିଛି।

publive-image economictimes.indiatimes.com

ଅନ୍ୟପକ୍ଷରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଯଥାଶୀଘ୍ର ସମ୍ଭବ ଭାରତ ଆଣିବା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟକୁ ଶେଷ କରାଯାଇଛି ବୋଲି ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସିଂହ ସୁରୀ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁଲିସ ଏବଂ ସରକାରୀ ଓକିଲ କ୍ଲିୟରାନ୍‌ସ ସାର୍ଟିଫିକେଟ ମିଳିବା ପରେ ଦୁବାଇ ପୋଲିସ ପକ୍ଷରୁ ଶ୍ରୀଦେବୀଙ୍କ ମୃତ୍ୟୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ଏହା ମିଳିବା ପରେ ଭାରତୀୟ ଦୂତାବାସ ଶ୍ରୀଦେବୀଙ୍କ ପାସପୋର୍ଟ ବାତିଲ କରି ସାର୍ଟିଫିକେଟ ଦେବାପରେ ଏବେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଭାରତ ଅଣାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସର୍ବଶେଷ ଖବର ଅନୁଯାୟୀ ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଦୁବାଇ ବିମାନ ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe