କଲମ୍ବୋ: ଶ୍ରୀଲଙ୍କା ରାଜଧାନୀରେ ଶନିବାର ବିକ୍ଷୋଭ ଓ ରାଷ୍ଟ୍ରପତି ଭବନ ଭଙ୍ଗାରୁଜା ପରେ ରବିବାର ରାଷ୍ଟ୍ରପତି ଭବନର ଚାରିପଟେ ଶ୍ରୀଲଙ୍କାର ନାଗରିକମାନେ ବୁଲିବା ଦେଖାଯାଇଥିଲା। ଶ୍ରୀଲଙ୍କା ସ୍ବାଧୀନ ହେବାର ୭ ଦଶନ୍ଧି ବିତିଗଲାଣି। କିନ୍ତୁ ଏହି ସମୟ ମଧ୍ୟରେ ଶ୍ରୀଲଙ୍କାରେ କେବେ ବର୍ତ୍ତମାନ ପରିସ୍ଥିତି ଭଳି ଆର୍ଥିକ ସଂକଟ ଦେଖାଦେଇ ନଥିଲା। ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରାର ସାଂଘାତିକ ସଂକଟ କାରଣରୁ ଦେଶରେ ପେଟ୍ରୋଲ, ଡିଜେଲ, ଖାଦ୍ୟ ସାମଗ୍ରୀ ଓ ଔଷଧ ଆଦି ମିଳୁନାହିଁ। ଏଥିପାଇଁ ଲୋକଙ୍କୁ ଅକଥନୀୟ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଆର୍ଥିକ ସଂକଟର ହତାଶାବୋଧ ଲୋକଙ୍କ ମଧ୍ୟରେ ଏତେମାତ୍ରାରେ ବଢ଼ିଯାଇଥିଲା ଗତକାଲି ସେମାନେ ରାଷ୍ଟ୍ରପତିଙ୍କ ବାସଭବନ ଭିତରକୁ ଧସେଇ ପଶିଥିଲେ। ଏଥିସହିତ ସେଠାରେ ଥିବା ସନ୍ତରଣାଗାରରେ ମଧ୍ୟ କିଛି ଲୋକ ପହଁରି ଆନନ୍ଦ ନେଇଥିଲେ।
ରବିବାର ମଧ୍ୟ ଶହ ଶହ ବ୍ୟକ୍ତି ଉପନିବେଶ ଯୁଗରେ ନିର୍ମାଣ ହୋଇଥିବା ରାଷ୍ଟ୍ରପତି ଭବନ ପରିସରକୁ ପ୍ରବେଶ କରିଥିଲେ। ବାହାରେ ସୁରକ୍ଷା ବଳ, ବନ୍ଧୁକଧାରୀ ପୁଲିସ ଥିଲେ ମଧ୍ୟ ଜନତାଙ୍କୁ ରୋକିବାର ସାହସ କାହାର ନଥିଲା। ରାଷ୍ଟ୍ରପତି ଭବନ ବୁଲୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୬୧ ବର୍ଷୀୟ ରୁମାଲ ବିକ୍ରେତା ବିଏମ୍ ଚନ୍ଦ୍ରୱାଥି ରହିଥିଲେ। ରାଷ୍ଟ୍ରପତି ଭବନରେ ଥିବା ବିଳାସପୂର୍ଣ୍ଣ ସାମଗ୍ରୀ ସବୁ ଦେଖି ଚକିତ ହୋଇଥିଲେ। ଚନ୍ଦ୍ରୱାଥି କହିଥିଲେ ସେମାନେ ଅତି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ ଏବଂ ଆମେମାନେ ଅସୁବିଧାରେ ରହିଥିଲୁ। ଆମେ ଠକାମିର ଶିକାର ହେଉଥିଲୁ। ସେମାନେ ଯେଉଁ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ ଆମ ପିଲାମାନେ ମଧ୍ୟ ସେଭଳି ଜୀବନ ବିତାଇବା ଆମେ ଚାହୁ ବୋଲି ସେ ମତ ଦେଇଛନ୍ତି।
Follow Us