ସୁପ୍ରିମ‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ମହଲତ ଆବେଦନ ଖାରଜ

Advertisment

୨୦୧୯ ନଭେମ୍ବର ୪ ଆଦେଶ ଅନୁପାଳନ ପାଇଁ ନିର୍ଦ୍ଦେଶ, ମେ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି

୨୦୧୯ ନଭେମ୍ବର ୪ ଆଦେଶ ଅନୁପାଳନ ପାଇଁ ନିର୍ଦ୍ଦେଶ, ମେ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି

ବର୍ଷବର୍ଷ ଧରି ମାମଲା ଗଡ଼ୁଛି: କୋର୍ଟଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

google.com

ନୂଆଦିଲ୍ଲୀ : ଶ୍ରୀମନ୍ଦିରରେ ସ୍ଥାୟୀ ମୁଖ୍ୟପ୍ରଶାସକ ନିଯୁକ୍ତି ଲାଗି ସମୟ ସୀମା ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧିକରିବା ପାଇଁ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଅବସରରେ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ ସି.ଟି ରବିକୁମାରଙ୍କ ଖଣ୍ଡପୀଠ ଏହି ଅନୁରୋଧକୁ ଗ୍ରହଣ କରିନାହାନ୍ତି। ଏହାସହିତ ଶ୍ରୀ ମନ୍ଦିର ସଂସ୍କାର ମାମଲା‌ରେ ସର୍ବୋଚ୍ଚ ଅଦାଲତଙ୍କ ୨୦୧୯ ନଭେମ୍ବର ୪ ଆଦେଶର ଅନୁପାଳନ ତଥା ଅନୁପାଳନ କରାଯାଇନଥିବା ସଂପର୍କିତ ସ୍ଥିତି ରିପୋର୍ଟ (ଷ୍ଟାଟସ୍‌ ରିପୋର୍ଟ) ଦାଖଲ ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠ ସମୟସୀମା ଧାର୍ଯ୍ୟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ପହିଲାରେ ହେବ।

ଶୁଣାଣି ବେଳେ ଆମିକସ କ୍ୟୁରି ରଂଜିତ କୁମାର କହିଥିଲେ ଯେ ତତ୍କାଳୀନ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ୨୦୧୯ ନଭେମ୍ବର ୪ରେ ବିସ୍ତୃତ ଆଦେଶ ଜ‌ାରିକରିଥିଲେ। ଆଦେଶଗୁଡ଼ିକର ଅନୁପାଳନ ପାଇଁ ରାଜ୍ୟ ସରକାର ଏବଂ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ରହିଥିଲା। ହେଲେ, ଆଜିଦିନରେ ଆମେ ଜାଣିପାରିନାହୁଁ ‌କୋର୍ଟଙ୍କ ସେସବୁ ନିର୍ଦ୍ଦେଶର ପାଳନ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା କରାଯାଇଛି କି ନାହିଁ। ନିର୍ଦ୍ଦେଶ ଜାରିକୁ ଇତିମଧ୍ୟରେ ତିନି ବର୍ଷ ବିତିଲାଣି। ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ସ୍ଥିତି ରିପୋର୍ଟ ତଲବ କରାଯାଉ ବୋଲି ସେ ଖଣ୍ଡପୀଠଙ୍କୁ କହିଥିଲେ।

ଆମିକସ କ୍ୟୁରି ସୂଚନା ଦେଇ କହିଥିଲେ ଯେ କୋର୍ଟଙ୍କ ନି‌ର୍ଦ୍ଦେଶନାମା ପରେ ବିଦ୍ୟାଳୟ ନିର୍ମାଣ ପାଇଁ ମନ୍ଦିର କମିଟିକୁ ୫ ‌କୋଟି ଟଙ୍କା ଦାନ କରାଯାଇଥିଲା। ସ୍କୁଲ ନିର୍ମାଣ ହୋଇଛି କି ନାହିଁ ଆମେ ସେ ସଂପର୍କରେ କିଛି ଜାଣିପାରିନାହୁଁ। ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ତଥା ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ କୋର୍ଟଙ୍କ ନିର୍ଦ୍ଦେଶର ପାଳନ ହୋଇନାହିଁ। ଏହା ଶୁଣିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୋଜିତ ଓକିଲ ଖଣ୍ଡପୀଠଙ୍କୁ ଅବଗତ କରାଇ କହିଥିଲେ ଯେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ ଦାଖଲ ହୋଇଛି। ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ସଂପ୍ରସାରଣ ପାଇଁ ପ୍ରାର୍ଥନା କରାଯାଇଛି। ବର୍ତ୍ତମାନ ଯେଉଁ ବ୍ୟବସ୍ଥା ପ୍ରଚଳିତ ଅଛି, ତାହା ଜାରି ରହୁ ବୋଲି ସେ ଖଣ୍ଡପୀଠଙ୍କୁ କହିଥିଲେ। ଅନ୍ୟ ପକ୍ଷରେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ଯେଉଁ ଆଦେଶ ଅଛି ତାକୁ ପାଳନ କରିବାକୁ ପଡ଼ିବ।

ଶ୍ରୀମନ୍ଦିର ଆଖପାଖ ଅଂଚଳର ବିକାଶ ତଥା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦୃଷ୍ଟିରେ ରଖି ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ ପ୍ରାର୍ଥନା କରାଯାଇଥିଲା। ତେବେ, ଓଡ଼ିଶା ଦ୍ବାରା ଦାଖଲ ଏହି ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ୨୦୧୯ ନଭେମ୍ବର ୪ରେ ତତ୍କାଳୀନ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୨ଟି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ପରେ ୨୦୨୦ ଜାନୁଆରି ୭ରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନିର୍ଦ୍ଦେଶନାମା ଉପରେ କ’ଣ ପଦକ୍ଷେପ ନିଆଗଲା ତା’ ଉପରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ୨୦୧୯ ନଭେମ୍ବର ୪ ଅନ୍ତରୀଣ ନିର୍ଦ୍ଦେଶନାମା ପରିପେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚ‌ରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇ ଶ୍ରୀମନ୍ଦିରରେ ୨୦୨୦ ମାର୍ଚ୍ଚ ପରେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ସୂଚନା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe