oneindia
ମୁମ୍ବାଇ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିବିଆଇ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ କରିଛି। ଶନିବାର ଦିନ ସିବିଆଇ ଟିମ୍ ସୁଶାନ୍ତଙ୍କ ଘରେ ପହଞ୍ଚି ଘଟଣା ଦିନ କଣ ସବୁ ଘଟିଥିଲା, ତାହାର ତଦନ୍ତ କରିଛି। ଏହି ସମୟରେ ସୁଶାନ୍ତଙ୍କ ରୋଷେଇଆ ନୀରଜ, ଫ୍ଲାଟମେଟ ସିଦ୍ଧାର୍ଥ ପୀଠାନି ଏବଂ ବନ୍ଧୁ ଦୀପେଶ ସାୱନ୍ତ ସିବିଆଇ ଦଳ ସହିତ ଉପସ୍ଥିତ ଥିଲେ। ତେବେ ଏ ମଧ୍ୟରେ ସୁଶାନ୍ତଙ୍କ ପଡ଼ୋଶୀ ଜୁନ୍ ୧୩ର ଘଟଣାବଳୀ ବିଷୟରେ ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି |
ନିକଟରେ ଗଣମାଧ୍ୟମରେ ଖବର ଆସିଥିଲା ​​ଯେ, ଆତ୍ମହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ସୁଶାନ୍ତ ତାଙ୍କ ଘରେ ଏକ ପାର୍ଟୀ କରିଥିଲେ। ବର୍ତ୍ତମାନ ସୁଶାନ୍ତଙ୍କ ବିଲଡିଂରେ ରହୁଥିବା ଜଣେ ମହିଳା ଜଣକ କହିଛନ୍ତି ଯେ, ଜୁନ୍ ୧୩ ରାତିରେ ସୁଶାନ୍ତ ସିଂ ରାଜପୁତଙ୍କ ଘରେ କୌଣସି ପାର୍ଟୀ ହୋଇନଥିଲା। ମହିଳା ଜଣକ କହିଛନ୍ତି ଯେ, ଜୁନ୍ ୧୩ ରାତି ୧୦ଟା ୩୦ବେଳକୁ ସୁଶାନ୍ତଙ୍କ ରୁମ୍ ଲାଇଟ୍ ବନ୍ଦ ହୋଇଯାଇଥିଲା। କେବଳ ରୋଷେଇ ଘରର ଲାଇଟ ଜଳୁଥିଲା | ଅନ୍ୟ ଦିନେ ସୁଶାନ୍ତଙ୍କ ରୁମର ଲାଇଟ ଭୋର ୪ଟା ପର୍ଯ୍ୟନ୍ତ ଜଳେ | କିନ୍ତୁ ସେଦିନ ଶୀଘ୍ର ଲାଇଟ ବନ୍ଦ କରିଦିଆଯାଇଥିଲା | ଏହା ସହ ଘରେ ପାର୍ଟୀ ଚାଲୁଥିବାର ମଧ୍ୟ ଜଣା ପଡୁନଥିଲା | ତେବେ ପଡୋଶୀ ମହିଳାଙ୍କ ଏହି ବୟାନ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆଣିଛି |
Follow Us