Image Courtesy of Times Now
କାଠମାଣ୍ଡୁ: ମାଡ଼ଗୋଳ ବେଳେ ଭୁସା ଯାଇଥିବା ଛୁରି ୨୨ ବର୍ଷିୟ ଯୁବକଙ୍କ ପେଟ ଭିତରେ ପଶି ରହିଥିବା ଜାଣି ନ ପାରି ନେପାଳର ଜଣେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ଛୁରାମାଡ଼ଜନିତ କ୍ଷତର ଚିକିତ୍ସା କରିବାକୁ ଯାଇ ‘ଷ୍ଟିଚ୍’ ବା ସିଲେଇ କରି ଦେଇଥିବା କଥା ‘ନିଉଜ୍ଉଇକ୍’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ‘ଷ୍ଟିଚ୍’ ପଡ଼ିବାର ପୂର୍ବ ଦିନ ମାଡ଼ପିଟ ହୋଇଥିଲା ଏବଂ ଛୁରାମାଡ଼ ହେଲା ବେଳେ ସେ ଯୁବକ ନିଶାସକ୍ତ ଥିଲେ। କିନ୍ତୁ, ୧୫ ସେଣ୍ଟିମିଟର୍ ଲମ୍ବ ଛୁରିଟିଏ ଯେ, ତାଙ୍କ ପେଟ ଭିତରେ ପଶି ରହିଥିବ ଏ ଧାରଣା କାହା ମନକୁ ଆସି ନ ଥିଲା। ପେଟ ଭିତରେ ଛୁରି ପଶିଥିବାର କୌଣସି ଲକ୍ଷଣ ବି ଦେଖାଯାଉ ନ ଥିଲା।
‘ଷ୍ଟିଚ୍’ ପକାଯିବା ପରେ ସେ ଯୁବକଙ୍କୁ ଘରକୁ ପଠାଇ ଦିଆଗଲା। ଭୀଷଣ ପଟେ ବ୍ୟଥା ଓ ଅସୁବିଧା ଲାଗୁଛି ବୋଲି ତହିଁ ଆରଦିନ ସକାଳେ କହିବାରୁ ତାଙ୍କୁ ଡାକ୍ତରଖାନା ନିଆଗଲା। ଡାକ୍ତରମାନେ ଦେଖିଲେ ତାଙ୍କ ରକ୍ତବାହୀ ନାଡ଼ୀ ଓ ଧମନୀ ସ୍ବାଭାବିକ ଅଛି। ତାଙ୍କର ବାନ୍ତି, ଝାଡ଼ା କି, କୋଷ୍ଠକାଠିନ୍ୟ ମଧ୍ୟ ହେଉନାହିଁ।
Image Courtesy of NDTVଡାକ୍ତରମାନେ ‘ଷ୍ଟିଚ୍’ କଥା ପଚାରିବାରୁ ସେ ସବୁକଥା କହିଲେ। ଏଥର ଦଳେ ଡାକ୍ତର ତନ୍ନ ତନ୍ନ କରି ତାଙ୍କ ଶରୀର ଯାଞ୍ଚ କଲେ। ‘ଏକ୍ସ୍-ରେ’ରୁ ଜଣା ପଡ଼ିଲା ଯେ, ତାଙ୍କ ପେଟ ଭିତରେ ଛୁରିଟିଏ ଅବାଧରେ ଭାସି ବୁଲୁଛି।
ଡାକ୍ତରମାନଙ୍କ କହିବା ଅନୁସାରେ, ଛୁରିଟି ତାଙ୍କ ପେଟ ଭିତରେ ଗୋଟିଏ ପାଖରୁ ଆଉ ଗୋଟାଏ ପାଖକୁ ଯାତାୟାତ କରୁଥିଲା। ଯୋଗ ଭଲ, ଛୁରି ଯାତାୟାତ କରିବାଦ୍ବାରା ତାଙ୍କ ପେଟ ଭିତରେ କୌଣସି ଅଙ୍ଗ ବିଶେଷ ଆଘାତ ପାଇ ନ ଥିଲା। ତା’ପରେ ଡାକ୍ତରମାନେ ‘ଲାପାରୋଟମି’ କରି ତାଙ୍କ ପେଟରୁ ଛୁରିଟିକୁ କାଢ଼ିଲେ। ଏବେ ସେ ବ୍ୟକ୍ତିଜଣକ କ୍ରମଶଃ ସୁସ୍ଥ ହେଉଛନ୍ତି।
Follow Us