Photo Courtesy of India TV
ବେଙ୍ଗାଲୁରୁ: ୩୨୦୦୦ କୋଟି ଟଙ୍କା ମୂଲ୍ୟର ଜାଲ୍ ଷ୍ଟାମ୍ପ୍ ପେପର୍ ଦୁର୍ନୀତି ମାମଲାରେ ଦୋଷୀ ୫୬ ବର୍ଷିୟ ଅବ୍ଦୁଲ୍ କରୀମ୍ ଲାଲା ତେଲଗିଙ୍କର ଗୁରୁବାର ଦିନ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇ ଯାଇଛି। ଅପରାହ୍ଣରେ ଆଇସିୟୁରେ ଥିବାବେଳେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଭିକ୍ଟୋରିଆ ହସ୍ପିଟାଲ୍ର କର୍ତ୍ତୃପକ୍ଷମାନେ ନିଶ୍ଚିତ କରାଇଛନ୍ତି। ସାଙ୍ଘାତିକ ଅବସ୍ଥାରେ ତାଙ୍କୁ ପାରାପ୍ପାନ୍ନା ଅଗ୍ରାହାରା କେନ୍ଦ୍ରୀୟ କାରାଗାରରୁ ଅକ୍ଟୋବର ୧୬ ତାରିଖ ଦିନ ସେଠାକୁ ନିଆଯାଇଥିଲା। ତାଙ୍କର ପତ୍ନୀ ଏବଂ ଜଣେ ବିବାହିତା କନ୍ୟା ଅଛନ୍ତି।
Photo Courtesy of NDTVଏକାଧିକ ଅଙ୍ଗ ଅଚଳ ହୋଇ ହୋଇ ସଙ୍କଟମୟ ସ୍ଥିତିରେ ଥିବା ତେଲ୍ଗିଙ୍କର ଗୁରୁବାର ଅପରାହ୍ଣରେ ହୃଦ୍ଘାତ ହୋଇ ଥିଲା। ତାଙ୍କର ଶ୍ୱାସକ୍ରିୟା ଫେରାଇ ଆଣିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇ ଥିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ପାରି ନ ଥିଲା। ଅପରାହ୍ଣ ୩. ୫୫ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଭିକ୍ଟୋରିଆ ହସ୍ପିଟାଲ୍ କ୍ୟାମ୍ପସ୍ର ଟ୍ରମା କେୟାର୍ ସେଣ୍ଟର୍ର ଏକ ଆନୁଷ୍ଠାନିକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଆଇନ୍ଗତ ଔପଚାରିକତା ଶେଷ ହେବା ପରେ ରାତି କିଂବା କାଲି ସକାଳେ ତାଙ୍କ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଥିଲା।
Photo Courtesy of My Times Nowମଧୁମେହ ଏବଂ ଏଡ୍ସ୍ ସହ ଯୁଝୁଥିବା ତେଲ୍ଗି ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଥିବା ସ୍ନାୟବିକ ବେମାରି ମେଟାବୋଲିକ୍ ଏନ୍ସିଫାଲୋପାଥିରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଆଣ୍ଟିରେଟ୍ରୋ ଭାଇରାଲ୍ ଥେରାପି କରା ଯାଉଥିଲା। ଲାଇଫ୍ ସପୋର୍ଟ ସିଷ୍ଟମ୍ ସହ ତାଙ୍କୁ ଭେଣ୍ଟିଲେଟର୍ରେ ରଖା ଯାଇଥିଲା। ଖୁବ୍ ଶୀଘ୍ର ତେଲ୍ଗିଙ୍କ ବାରାକ୍ ଫାଙ୍କା ହୋଇ ଯିବ ବୋଲି ଜେଲ୍ ସୂତ୍ରରୁ ଜଣା ପଡ଼ିଛି। ଜେଲ୍ ଡାକ୍ତରଖାନା ନିକଟରେ ବାରାକ୍ ଅବସ୍ଥିତ ଏବଂ ସେ ଅଦାଲତଙ୍କ ଅନୁମତିରେ କୋଠରି ପରିବର୍ତ୍ତନ କରିଥିଲେ।
ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ତାଙ୍କୁ ବାହାର ଖାଦ୍ୟ ଖାଇବାକୁ ଅଦାଲତ ଅନୁମତି ଦେଇଥିଲେ। ତାଙ୍କ ପ୍ରକୋଷ୍ଠ ମଧ୍ୟରେ ସେ ଏକ ଛୋଟ ଷ୍ଟୋଭ୍ ଏବଂ ବାସନକୁସନ ରଖିଥିଲେ। ତାଙ୍କ ପ୍ରକୋଷ୍ଠରେ ଥିବା ସମସ୍ତ ସାମଗ୍ରୀ କାଢ଼ି ଦିଆଯିବ।
Photo Courtesy of Trending News World Wideଜାଲ୍ ପାସ୍ପୋର୍ଟ ବ୍ୟବସାୟ କରିଥିବା ଅଭିଯୋଗରେ ମୁମ୍ବାଇ ଠାରେ ୧୯୯୨ରେ ଗିରଫ ହୋଇଥିବା ତେଲ୍ଗି ପ୍ରଥମେ କର୍ଣ୍ଣାଟକସ୍ଥିତ ନିଜ ଜନ୍ମିତ ସହରରେ ଖାନପୁର ଦେଇ ଚଳାଚଳ କରୁଥିବା ରେଳଗାଡ଼ିରେ ପଣସ ଏବଂ ପରିବାପତ୍ର ବିକ୍ରୟ କରୁଥିଲେ। ପରେ ସେ ଜାଲ୍ ଷ୍ଟାମ୍ପ୍ ପେପର ବିକ୍ରୟ କରିବା ଆରମ୍ଭ କଲେ ଏବଂ ତାଙ୍କ ବ୍ୟବସାୟ ୧୮ଟି ରାଜ୍ୟର ୭୦ଟି ସହରକୁ ବ୍ୟାପି ଥିଲା।
ଦେଶବ୍ୟାପୀ ସରକାରୀ ଅଧିକାରୀ ଏବଂ ପୁଲିସ ଅଧିକାରୀଙ୍କୁ ଲାଞ୍ଚ ଦେଇ ତେଲ୍ଗି ବଜାରକୁ ବିପୁଳ ପରିମାଣର ଜାଲ୍ ଷ୍ଟାମ୍ପ୍ ପେପର ଛାଡୁଥିଲେ। ୨୦୦୦ ମସିହା ନଭେମ୍ବର ମାସରେ ଉପ୍ପରପେଟ୍ ଥାନା ଜଣେ ଅଜ୍ଞାତ ବ୍ୟକ୍ତିଙ୍କ କଲ୍ ପାଇ ଜାଲ୍ ଷ୍ଟାମ୍ପ ପେପର ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଗିରଫ ହୋଇ ଥିବା ବ୍ୟକ୍ତି କହିଥିଲେ ଯେ ତେଲ୍ଗି ଏହାର ସପ୍ଲାୟର୍। ଏ ଘଟନାର ବର୍ଷକ ପରେ ତେଲ୍ଗିଙ୍କୁ ରାଜସ୍ଥାନର ଆଜ୍ମେରରୁ ଗିରଫ କରାଯାଇଥିଲା। କିନ୍ତୁ, ବେଙ୍ଗାଲୁରୁ ଜେଲ୍ରେ ଥାଇ ମଧ୍ୟ ସେ ନିଜର ର୍ୟାକେଟ୍ ଚଳାଇ ଥିଲା।
Image Courtesy of Ajit Vadakayil blogଜାଲ୍ ଷ୍ଟାମ୍ପ୍ ପେପର୍ରୁ ୩୨ କୋଟି ଟଙ୍କା ଉପାର୍ଜନ କରିଥିବା ଅବ୍ଦୁଲ୍ କରୀମ୍ ତେଲ୍ଗି ଓରଫ୍ କରୀମ୍ ଲାଲା ଜାଲ୍ ପାସ୍ପୋର୍ଟ, ବିଦେଶୀ ବିଲ୍, ବ୍ରୋକର୍ସ୍ ନୋଟ୍ସ୍, ଇନ୍ସ୍ୟୁରାନ୍ସ୍ ପଲିସି, ସେୟାର୍ ଟ୍ରାନ୍ସ୍ଫର୍ ସାର୍ଟିଫିକେଟ୍ସ୍ ଏବଂ ଇନ୍ସ୍ୟୁରାନ୍ସ୍ ଏଜେନ୍ସି ଷ୍ଟାମ୍ପ୍ସ୍ ମଧ୍ୟ ପ୍ରସ୍ତୁତ କରୁଥିଲେ। ତେଲ୍ଗି ୧୯୬୧ ମସିହାରେ କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ଖାନାପୁରଠାରେ ଜନ୍ମ ଗ୍ରହଣ କରିଥିଲେ।
Follow Us