Image Courtesy of Zee News
ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ତାମିଲନାଡୁର କୁନୁର୍ ନିକଟରେ ‘ଏମ୍ଆଇ-୧୭ଭି୫’ ହେଲିକପ୍ଟର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ‘ସିଡିଏସ୍’ ବିପିନ ରାୱତ୍ ଏବଂ ଅନ୍ୟମାନର ଶେଷକୃତ୍ୟ ସମାପନ କରାଯିବ ବୋଲି ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।
‘ସିଡିଏସ୍’ ଜେନେରାଲ୍ ବିପିନ ରାୱତ୍ ଏବଂ ଆଉ ୧୨ଜଣଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ଦୁଃଖ ବ୍ୟକ୍ତ କରି ରାଜନାଥ ସିଂହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସଂସଦରେ ସେ ଦୁର୍ଘଟଣାର ପୂର୍ଣ୍ଣ ବିବରଣୀ ମଧ୍ୟ ଦେଇଛନ୍ତି।
ସେ କହିଛନ୍ତି, ପୂର୍ଣ୍ଣ ସାମରିକ ମର୍ଯ୍ୟାଦାରେ ‘ସିଡିଏସ୍’ ବିପିନ ରାୱତ୍ଙ୍କ ଶେଷକୃତ୍ୟ ସମାପନ ହେବ। ଅନ୍ୟ ସାମରିକ କର୍ମଚାରୀମାନଙ୍କର ମଧ୍ୟ ଯଥୋଚିତ ସାମରିକ ମର୍ଯ୍ୟାଦାରେ ଶେଷକୃତ୍ୟ କରାଯିବ।
Image Courtesy of India Todayଲୋକସଭାରେ ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ସାମରିକ ହେଲିକପ୍ଟର୍ ଦୁର୍ଘଟଣାର କାରଣ ନିର୍ଦ୍ଧାରଣ କରିବା ଲାଗି ଭାରତୀୟ ବାୟୁସେନା ତିନି-ସେବା ତଦନ୍ତ ଆଦେଶ ଦେଇଛି। ତଦନ୍ତର ନେତୃତ୍ବ ନେବେ ଏୟାର୍ ମାର୍ସାଲ୍ ମାନବେନ୍ଦ୍ର ସିଂହ। ଗତକାଲି ଠାରୁ ତଦନ୍ତକାରୀ ଦଳ ୱେଲିଙ୍ଗ୍ଟନ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅଧିକ ସୂଚନା ଦେଇ ସେ ସାଂସଦମାନଙ୍କୁ କହିଛନ୍ତି, ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ୱେଲିଙ୍ଗ୍ଟନ୍ ମିଲିଟାରି ହସ୍ପିଟାଲ୍ରେ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି। ତାଙ୍କ ଜୀବନ ରକ୍ଷା ଲାଗି ସମସ୍ତ ପ୍ରକାର ଉଦ୍ୟମ ଅବ୍ୟାହତ ଅଛି।
ବୁଧବାର ଅପରାହ୍ଣରେ ଘଟିଥିବା ‘ଏମ୍୧୭’ ହେଲିକପ୍ଟର୍ ଦୁର୍ଘଟଣାରେ ମୃତ ୧୩ଜଣଙ୍କ ପ୍ରତି ଲୋକସଭାରେ ୨ ମିନିଟ୍ ନିରବତା ପାଳନ କରାଯାଇଥିଲା।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ରାଜ୍ୟସଭାରେ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇପାରନ୍ତି।
Follow Us